Latest Odisha News

BREAKING NEWS

୧୮ ମାସରେ ଚାରି ମୁଖ୍ୟମନ୍ତ୍ରୀ ବଦଳାଇଲାଣି ବିଜେପି, ଆଉ ୮ ମାସରେ କେତେ ?

ଭୁବନେଶ୍ୱର: ଚାରି ବର୍ଷ ପୂର୍ବେ, ବିଜେପି ତ୍ରିପୁରାରେ କ୍ଷମତାକୁ ଆସିଥିଲା । ବାମପନ୍ଥୀ ଦଳକୁ କ୍ଷମତାଚ୍ୟୁତ କରି ବିଜେପି ଏଠାରେ ଗେରୁଆ ବାନା ଉଡାଇଥିଲା। ଆଉ ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ଏହି ସଫଳତା ପାଇବା ପଛରେ ନେପଥ୍ୟ ନାୟକ ସାଜିଥିଲେ ବିପ୍ଲବ ଦେବ । ହେଲେ ଆଗାମୀ ବିଧାନସଭା ନିର୍ବାଚନକୁ ୮ ମାସ ବାକି ଥିବା ବେଳେ ହଠାତ୍ ଏମିତି କଣ ହେଲା ଯେଉଁଥିପାଇଁ ବିଜେପି ବିପ୍ଲବ ଦେବଙ୍କୁ ମୁଖ୍ୟମନ୍ତ୍ରୀ ଆସନରୁ ହଟାଇଲା ? ବିଜେପି ଏବେ ତ୍ରିପୁରା ରାଜ୍ୟ ସଭାପତି ମାଣିକ ସାହଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରିଛି।

ଆଗକୁ ବିଧାନସଭା ନିର୍ବାଚନ ରହିଛି । ଏହି ରାଜ୍ୟ ଉପରେ ପଶ୍ଚିମବଙ୍ଗର ଶାସକ ଦଳ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସିର ନଜର ରହିଛି । ପଶ୍ଚିମବଙ୍ଗରେ ହ୍ୟାଟ୍ରିକ ସରକାର ଗଢିବା ପରେ ମମତା ତାଙ୍କ ଦଳକୁ ବିଭିନ୍ନ ରାଜ୍ୟରେ ପହଞ୍ଚାଇବାକୁ ଚାହୁଁଛନ୍ତି । ଏହି ପରିପ୍ରେକ୍ଷୀରେ ଏବେ ମମତାଙ୍କ ଫୋକସରେ ରହିଛି ତ୍ରିପୁରା । ତେବେ ନିର୍ବାଚନ ପୂର୍ବରୁ ବିପ୍ଲବ କୁମାର ଦେବଙ୍କୁ ନେଇ ଅନେକ ବିଧାୟକ ଅସନ୍ତୋଷ ଥିଲେ। ଦିଲ୍ଲୀରେ ବିଜେପିର ଛାମୁଆ ନେତାଙ୍କୁ ଭେଟି ଅସନ୍ତୋଷ କହୁଥିଲେ। କିନ୍ତୁ ଶୃଙ୍ଖଳିତ ଦଳ ବୋଲି ଏସବୁ ଚାରିକାନ୍ଥ ଭିତରେ ଚାପି ହୋଇ ରହୁଥିଲା। ଏହାରି ଭିତରେ ବିଜେପି ଛାଡି ଦୁଇ ବିଧାୟକ ଟିଏମସିରେ ସାମିଲ ହୋଇସାରିଛନ୍ତି । ତେଣୁ ଆଗାମୀ ଖାଲି ପଡିଥିବା ଟିଏମସି କଳସରେ ଆମଦାନୀ ବିଜେପି ନେତାଙ୍କ ଅବଦାନ ପୂରଣ ନହେଉ ବୋଲି ବିଜେପି ଚିନ୍ତା କରିଥିଲା କେନ୍ଦ୍ର ବିଜେପି। ତେଣୁ ବିପ୍ଲବ ଦେବଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ବଦଳି କରିଛି।

ପୂର୍ବରୁ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ତ୍ରିପୁରା ଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। କିନ୍ତୁ କେନ୍ଦ୍ରୀୟ ନେତୃତ୍ୱ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ବଦଳାଇନଥିଲେ । ତେଣୁ ରାଜନୈତିକ ସମୀକ୍ଷକମାନେ କୁହନ୍ତି, ଏହି କାରଣ ପାଇଁ ୨୦୧୯ରେ ବିଧାନସଭା ନିର୍ବାଚନରେ ​​ବିଜେପି ଏଠାରେ ହାରିଲା। ତେଣୁ ଏବେ ବିଜେପି ଝାଡଖଣ୍ଡ ରଣନୀତିର ପୁନରାବୃତି ନକରିବାକୁ ଚାହୁଁଛି ବୋଲି ସୂଚନା ରହିଛି।

ଜଣେ ବରିଷ୍ଠ ବିଜେପି ନେତା ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟାରେ କହିଛନ୍ତି ଯେ ଜଣେ ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତନକୁ ନେଇ କିଛି ଦିନ ମଧ୍ୟରେ ନିଷ୍ପତ୍ତି ନିଆଯାଇଛି। ଗତ ୧୮ ମାସ ମଧ୍ୟରେ ଆସାମ (ନିର୍ବାଚନ ପରେ) ଉତ୍ତରାଖଣ୍ଡ (ବିଧାନସଭା ନିର୍ବାଚନ ପୂର୍ବରୁ) ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇଛି । ସେହିପରି ଗୁଜୁରାଟ ଏବଂ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ପୂରା କ୍ୟାବିନେଟକୁ ବଦଳି କରାଯାଇଛି ।

ବିଜେପିର ଶୀର୍ଷ ନେତୃତ୍ୱ ବିଶ୍ୱାସ କରନ୍ତି ଯେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେଲେ ସରକାର ବିରୋଧୀ ବାତାବରଣ କମିଯିବ। ତେଣୁ ଏବେ ତ୍ରିପୁରା ପରେ ଚର୍ଚ୍ଚା ବଢିଛି ଆଗକୁ ଅନ୍ୟ ବିଜେପି ଶାସିତ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ବିଷୟରେ ଚିନ୍ତା କରାଯାଉଛି। ଯେଉଁଥିରେ କର୍ଣ୍ଣାଟକ (ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ), ହରିଆଣା (ମନୋହର ଲାଲ ଖଟ୍ଟର) ଏବଂ ମଧ୍ୟପ୍ରଦେଶ (ଶିବରାଜ ସିଂ ଚୌହାନ) ରହିଛନ୍ତି। ଚୂଡାନ୍ତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ରହିବ। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଜୟ ରାମ ଠାକୁରଙ୍କ ସ୍ଥାୟୀତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ହେଲେ ଏହା ଏତେ ଚର୍ଚ୍ଚାରେ ନାହିଁ।

କାରଣ କର୍ଣ୍ଣାଟକରେ ବୋମାଇ ମୁଖ୍ୟମନ୍ତ୍ରୀ ହେବାର ୯ ମାସ ପରେ ବି ଦଳ ଭିତରେ ଥିବା କନ୍ଦଳକୁ ପ୍ରଶମିତ କରିପାରି ନାହାନ୍ତି । ଯଦିଓ ନିକଟରେ ବିଜେପିର ଦ୍ୱିତୀୟ ଶୀର୍ଷ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ କର୍ଣ୍ଣାଟକ ଗସ୍ତରେ ଯାଇ ବୋମାଇଙ୍କୁ ସରକାରକୁ ପ୍ରଶଂସା କରିଥିଲେ । ସେହିପରି ବିଜେପି ୬୩ ବର୍ଷୀୟ ଶିବରାଜ ଚୌହାନଙ୍କ ବିକଳ୍ପ ଖୋଜୁଛି । ନେତା ମିଳିବା ପରେ ଶିବରାଜ କେନ୍ଦ୍ର ସରକାରରେ ସାମିଲ ହୋଇପାରନ୍ତି । କାରଣ କେନ୍ଦ୍ରରେ ଏବେ ଅଭିଜ୍ଞତା ପୂର୍ଣ୍ଣ ନେତାଙ୍କ ଅଭାବ ରହିଛି ବୋଲି ଶୀର୍ଷ ନେତୃତ୍ୱ ଅନୁଭବ କରୁଛନ୍ତି। ତେଣୁ ମଧ୍ୟପ୍ରଦେଶର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ଏହି ତାଲିକାରେ ବିଷ୍ଣୁ ଦତ୍ତ ଶର୍ମା, କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମ ଚର୍ଚ୍ଚାରେ ରହିଛି।

ସେହିପରି ଚଳିତ ବର୍ଷ ହରିଆଣାର ମୁଖ୍ୟମନ୍ତ୍ରୀ ଖଟ୍ଟର ଆଠ ବର୍ଷ କାର୍ୟ୍ୟକାଳ ପୂରଣ କରିଛନ୍ତି। ସେ ବିଜେପିର ଅଣ-ଜାଠ ଆଧାରକୁ ଏକ କରିବାର ଶ୍ରେୟ ନେଇଥିଲେ। ଏବେ କିନ୍ତୁ ରାଜନୈତିକ ସମୀକରଣ ବଦଳିଯାଇଛି । ଜାଠ ସମ୍ପ୍ରଦାୟ ସହିତ ଯୋଗାଯୋଗ କରିବାକୁ ବିଜେପି ସହଯୋଗୀ ଜନନାକ ଜନତା ପାର୍ଟି (ଜେଜେପି) ଉପରେ ନିର୍ଭରଶୀଳ। ତେଣୁ ଖଟ୍ଟରଙ୍କୁ ବଦଳାଇବାକୁ ବିଜେପି ଚିନ୍ତା କରୁଛି ବୋଲି କୁହାଯାଉଛି।

Leave A Reply

Your email address will not be published.