ନୂଆଦିଲ୍ଲୀ: ଆର୍ଥିକ କ୍ଷତି କମ୍ କରିବାକୁ ଯାଇ ଅନେକ ରାଷ୍ଟ୍ରାୟତ ବ୍ୟାଙ୍କ ବିଭିନ୍ନ ବ୍ୟାଙ୍କ ସହ ବିଲୟ ହେବା ପରେ ଆହୁରି ଦୁଇ ରାଷ୍ଟ୍ରାୟତ ବ୍ୟାଙ୍କ ଘରୋଇ କରଣ ହେବ ବୋଲି ସୂଚନା ରହିଛି। ମୋଦୀ ସରକାର ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଗାମୀ ମାସରେ ସରକାର ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେଇପାରନ୍ତି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁୟାୟୀ, ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏ ଦିଗରେ କାମ ଜାରି ରହିଛି। ଏହି ଦୁଇ ବ୍ୟାଙ୍କ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ବୋଲି ସୂଚନା ରହିଛି।
କଣ୍ଟେନର କର୍ପୋରେସନ୍ ଅଫ୍ ଇଣ୍ଡିଆ (କନକର)ର ଷ୍ଟ୍ରାଟେଜିକ୍ ବିକ୍ରି ଉପରେ ସୂତ୍ରରୁ ଜଣାପଡ଼ିଛି ଯେ, କିଛି ସମସ୍ୟା ରହିଛି ଏବଂ ସେଗୁଡ଼ିକର ସମାଧାନ ପରେ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରାଯିବ।
ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟାର ଅଂଶବିଶେଷ ସ୍ୱରୂପ କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଏକ କୋର ଗ୍ରୁପ୍ ସଚିବମାନେ ଏହାର ସୁପାରିସକୁ ବିକଳ୍ପ ବ୍ୟବସ୍ଥାକୁ ଅନୁମୋଦନ ପାଇଁ ପଠାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
କେନ୍ଦ୍ର ସରକାର ଘରୋଇକରଣ କରି ଦେଶରେ ମାତ୍ର ୪-୫ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରଖିବାକୁ ଚିନ୍ତା କରିଛନ୍ତି । ଦୁଇ ବର୍ଷ ପୂର୍ବେ ଦେଶରେ ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିଥିଲା । ୨୦୧୯ରେ କେନ୍ଦ୍ର ସରକାର ମୋଟ ୨୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୧୨ଟି ବ୍ୟାଙ୍କରେ ପରିଣତ କରିଥିଲେ ।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ ବ୍ୟାଙ୍କର ମିଶ୍ରଣ କରି ଏକ ବୃହତ ବ୍ୟାଙ୍କ ଗଠନ କରାଯାଇଥିଲା । ସେହିପରି କାନାରା ବ୍ୟାଙ୍କ ଓ ସିଣ୍ଡିକେଟ ବ୍ୟାଙ୍କର ମିଶ୍ରଣ କରାଯାଇଥିଲା । ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ହୋଇଥିଲା ଏବଂ ଆହ୍ଲାବାଦ ବ୍ୟାଙ୍କରେ ଇଣ୍ଡିଆନ ବ୍ୟାଙ୍କର ବିଲୟ ହୋଇଥିଲା । ଏହା ପୂର୍ବରୁ ଷ୍ଟେଟ ବ୍ୟାଙ୍କ ଓ ଏହାର ବିଭିନ୍ନ ସହଯୋଗୀ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ହୋଇସାରିଛି ।
Comments are closed.