Latest Odisha News

BREAKING NEWS

କଥା ଦେଇ କଥା ରଖିଲେନି ନବୀନ !

ଭୁବନେଶ୍ୱର: ଯୁବ ନେତାଙ୍କୁ ଟିକେଟ୍ ଦେଇ ବିଜେଡି ସୁପ୍ରିମୋ ଦଳର ଭେଟେରେନାଙ୍କୁ ଦେଇଛନ୍ତି ଚକମା । ଖାଲି ହେବାକୁ ଥିବା ଚାରି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଦଳରେ ଅନେକ ଆଶାୟୀ ନେତା ରାଜ୍ୟସଭାକୁ ଯିବେ ବୋଲି ମନ କରିଥିଲେ। କାରଣ ବିଭିନ୍ନ ସମୟରେ ଏହି ନେତାଙ୍କୁ କୁଆଡେ ମୁଖ୍ୟମନ୍ତ୍ରୀ ରାଜ୍ୟସଭାକୁ ପଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ବେଳେ କୁହନ୍ତି। ହେଲେ ନବୀନ ଭେଟେରାନଙ୍କୁ କୋଣଠେସା କରି ଯୁବ ନେତାଙ୍କୁ ଦେଇଛନ୍ତି ଗୁରୁତ୍ୱ ।

ନବୀନ ସୁଲତା ଦେଓ, ମାନସ ମଙ୍ଗରାଜ, ନିରଞ୍ଜନ ବିଶି ଏବଂ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭା ଟିକେଟ୍ ଦେଇଛନ୍ତି । ତେଣୁ ଏବେ ପୁଣି ଥରେ ସମାନ ଆଶାୟୀଙ୍କୁ ଆହୁରି ଦୁଇ ଦିନ ବର୍ଷ ରାଜ୍ୟସଭା ଯିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ଅଧିକାଂଶ ଆଶାୟୀଙ୍କ ବୟସ ଅଧିକ ହୋଇଯାଇଥିବାରୁ ଦଳ ତାଙ୍କୁ ରାଜ୍ୟସଭାକୁ ଆଉ ପଠାଇବାକୁ ଚାହୁଁ ନଥିବା ସୂଚନା ରହିଛି।

ରବିବାର ବିଜେଡି ଚାରି ରାଜ୍ୟସଭା ଆସନ ଘୋଷଣା କରିବା ପରେ ଓଟିଡିସି ଚେୟାରମ୍ୟାନ ଶ୍ରୀମୟୀ ମିଶ୍ର, ମୋ ସ୍କୁଲର ଚେୟାରମ୍ୟାନ୍ ସୁସ୍ମିତା ବାଗଚୀ, ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ (ଏବେର ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ) ଏବଂ ଆଦିବାସୀ ନେତା ତଥା ନିକଟରେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ପ୍ରଦୀପ ମାଝୀ ରେସରୁ ବାଦ୍ ପଡିଛନ୍ତି । ଏହିସବୁ ନେତା କିନ୍ତୁ ସମାଜ ସେବା ଏବଂ ଦଳ ପ୍ରତି ଆନୁଗତ୍ୟ ଓ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ନବୀନ ରାଜ୍ୟସଭା ନିର୍ବାଚନ ପାଇଁ ମୁଣ୍ଡରେ ହାତ ରଖିପାରନ୍ତି ବୋଲି କୁହାଯାଉଥିଲା।

ସବୁଠୁ ବଡ଼ କଥା ହେଲା ବିଶି ନିକଟରେ ବିଜେଡିରେ ସାମିଲ ହୋଇଥିଲେ। ଯେକି ବଲାଙ୍ଗୀରର ଜଣେ ବଡ ଆଦିବାସୀ ନେତା । ପଶ୍ଚିମ ଓଡିଶାରେ ଜଣେ ପ୍ରଭାବଶାଳୀ ନେତାଙ୍କୁ ପ୍ରଥମ ଥର ପାଇଁ ରାଜ୍ୟସଭା ଟିକେଟ୍ ଦେଇ ଦିଲ୍ଲୀ ପଠାଇବାକୁ ନବୀନ ପସନ୍ଦ କରିଥିବା ବେଳେ ଦକ୍ଷିଣ ଓଡିଶାର ଟାଣୁଆ ଆଦିବାସୀ ନେତା ତଥା ଜଣେ ବଡ ସଂଗଠକ ଭାବରେ ଜଣାଶୁଣା ପ୍ରଦୀପ ମାଝୀଙ୍କୁ କିନ୍ତୁ ନବୀନ ରାଜ୍ୟସଭା ଟିକେଟ୍ ଦେଇ ନାହାନ୍ତି । ପ୍ରଦୀପ ମାଝୀ କଂଗ୍ରେସରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କଂଗ୍ରେସର କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ଥିଲେ। ପଞ୍ଚାୟତ ଏବଂ ପୌର ନିର୍ବାଚନ ପୂର୍ବରୁ ସେ ବିଜେଡିରେ ସାମିଲ ହୋଇଥିଲେ।

ତେବେ ପ୍ରଦୀପ ଟିକେଟ ନପାଇବା ପଛର ଆଉ ଏକ କାରଣ ହେଉଛି ରାଜ୍ୟସଭା ସାଂସଦ ମୁନା ଖାଁ ଏବଂ ନବରଙ୍ଗପୁରର ଲୋକସଭା ସାଂସଦ ରମେଶ ମାଝୀ ବୋଲି କୁହାଯାଉଛି। ନବରଙ୍ଗପୁରର ଦୁଇ ଜଣ ନେତା ଦିଲ୍ଲୀରେ ଦଳର ପ୍ରତିନିଧିତ୍ୱ କରୁଥିବା ବେଳେ ପ୍ରଦୀପଙ୍କୁ ଦଳ ନପଠାଇବାକୁ ଉଚିତ ମଣିଥିବା କୁହାଯାଉଛି।

ତେବେ ଏମାନଙ୍କ ବ୍ୟତୀତ ଯେଉଁ କେତେ ଜଣ ନିରାଶ ହୋଇଛନ୍ତି ସେମାନଙ୍କ ମଧ୍ୟରେ ନବୀନଙ୍କ ଡୁନ ସ୍କୁଲର ସାଙ୍ଗ ଏ.ୟୁ ସିଂ ଦେଓ ତାଙ୍କ ପୁଅ କଳିକେଶ ରହିଛନ୍ତି। ସେହିପରି ବରଗଡର ପ୍ରସନ୍ନ ଆଚାର୍ଯ୍ୟ ଯାହାଙ୍କ କାର୍ଯ୍ୟକାଳ ଜୁଲାଇ ଏକରେ ଶେଷ ହେଉଛି । ଅନ୍ୟମାନେ ହେଲେ ପ୍ରସନ୍ନ ପାଟ୍ଟଶାଣୀ, ଗଞ୍ଜାମ ଟାଇଗର ରମେଶ ଚ୍ୟାଉ ପଟ୍ଟନାୟକ ପ୍ରମୁଖ ରହିଛନ୍ତି। 2019 ସାଧାରଣ ନିର୍ବାଚନ ବେଳେ ପାଟ୍ଟଶାଣୀ ଏବଂ ଚ୍ୟାଉ ପଟ୍ଟନାୟକଙ୍କୁ ନବୀନ ରାଜ୍ୟସଭାକୁ ପଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ରହିଛି।

Comments are closed.