Latest Odisha News

BREAKING NEWS

ସରପଞ୍ଚରୁ ସାଂସଦ ହେବେ ସୁଲତା, ପୂର୍ବରୁ ଅନେକ ଥର ହୋଇଥିଲେ ନିରାଶ

ଭୁବନେଶ୍ୱର: ପ୍ରତିଦିନ ଗଣମାଧ୍ୟମରେ କୌଣସି ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ରଖୁଥିବା କିମ୍ବା ଟିଭି ବିତର୍କରେ ସାମିଲ ହେଉଥିବା ବିଜେଡିର ଅନ୍ୟତମ ମୁଖପାତ୍ର ହେଉଛନ୍ତି ସୁଲତା ଦେଓ । ଏକଦା ଯାଜପୁର ଜିଲ୍ଲାରେ ସରପଞ୍ଚ ହୋଇଥିବା ଏହି ମହିଳା ନେତ୍ରୀଙ୍କୁ ବିଜେଡି ଏବେ ରାଜ୍ୟସଭା ଟିକେଟ୍ ଦେଇଛି। ମିଶନ ଶକ୍ତି, ମହିଳା ସଶକ୍ତିକରଣ ଉପରେ ଜୋର ଦେଉଥିବା ବିଜେଡି ଚାରି ରାଜ୍ୟସଭା ଆସନରୁ ଜଣେ ମହିଳା ପ୍ରାର୍ଥୀ ଏଥିସହ ଓବିସି ଶ୍ରେଣୀର ନେତ୍ରୀଙ୍କୁ ରାଜ୍ୟସଭା ପଠାଇ ଖେଳିଛି ନୂଆ ରଣନୀତି।

ତେବେ ସୁଲତା ବିଜେଡିର ରାଜ୍ୟସଭା ପ୍ରାର୍ଥୀ ବୋଲି ଘୋଷଣା ହେବା ପରେ ସେ କହିଛନ୍ତି, ଦଳ ଯେଉଁ ଭରସା ରଖିଛି ସେଥିପାଇଁ କୃତଜ୍ଞ । ଦଳର ସଙ୍ଗଠନ ସମ୍ପାଦକ ତଥା ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି। କିନ୍ତୁ ଦଳରେ ଅନେକ ମହିଳା ନେତ୍ରୀ ଥିବା ସତ୍ୱେ କାହିଁକି ସୁଲତା ଅନ୍ୟ କାହିଁକି କେହି ନୁହେଁ ବୋଲି ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁଯାୟୀ ସୁଲତାଙ୍କୁ ଟିକେଟ୍ ଦେଇ ବିଜେଡି ମହିଳା ଭୋଟ୍ ବ୍ୟାଙ୍କକୁ ଆହୁରି ମଜବୁତ କରିବାକୁ ଚାହିଁଛି । ସାଧାରଣ ନିର୍ବାଚନ ବେଳେ ଜଣେ ସାଧାରଣ ମହିଳା ପ୍ରମିଳା ବିଶୋୟୀଙ୍କୁ ସାଂସଦ ଟିକେଟ୍ ଦେଇ ବିଜେଡି ଗୋଟିଏ ବଡ ବାର୍ତ୍ତା ଦେଇଥିଲା। ଆଉ ଏବେ ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଜଣେ ତୃଣମୂଳ ସ୍ତରର ନେତାଙ୍କୁ ଦଳ କିପରି ଗୁରୁତ୍ୱ ତାର ପ୍ରମାଣ ଦେଖାଇବାକୁ ଚାହିଁଛିି।

ମହାନଗର ନିଗମ ନିର୍ବାଚନ ବେଳେ ଭୁବନେଶ୍ୱରର ମେୟର ହେବେ ବୋଲି ଚର୍ଚ୍ଚା ଧରିଥିଲା। କିନ୍ତୁ ସେ ଯାଜପୁର ବରୀର ବାସିନ୍ଦା ହୋଇଥିବାରୁ ଏହି ଅଫର ସୁଲୋଚନା ଦାସଙ୍କୁ ଯାଇଥିଲା। ସେହିପରି ବିଧାନସଭା ନିର୍ବାଚନ ବେଳେ ବରୀ ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ରାଜନୈତିକ ସମୀକରଣକୁ ଦେଖି ସୁଲତାଙ୍କୁ ବିଜେଡି ଧୌର୍ଯ୍ୟ ଧରିବାକୁ ପରୋକ୍ଷରେ ବାର୍ତ୍ତା ଦେଇଥିଲା। ଆଉ ଏବେ ତାଙ୍କୁ ରାଜ୍ୟସଭା ପଠାଇ ଉଭୟ ଓବିସି ଏବଂ ମହିଳା କାର୍ଡ ବିଜେଡି ଖେଳିଛି ବୋଲି କୁହାଯାଉଛି।

Comments are closed.