Latest Odisha News

BREAKING NEWS

ମିଡିଆ ମଙ୍ଗ ଧରିବା ପରେ ଦିଲ୍ଲୀରେ ମଙ୍ଗ ଧରିବେ କି ମଙ୍ଗରାଜ ?

ଭୁବନେଶ୍ୱର: ରାଜ୍ୟସଭାକୁ ଯିବେ ମାନସ ମଙ୍ଗରାଜ। ବିଜେଡି ଘୋଷଣା କରିଥିବା ଚାରି ପ୍ରାର୍ଥୀଙ୍କ ମଧ୍ୟରୁ ଅନ୍ୟତମ ପ୍ରାର୍ଥୀ ହେଉଛନ୍ତି ମାନସ ମଙ୍ଗରାଜ । ଏବେ ସେ ରାଜ୍ୟ ସରକାରଙ୍କ ମିଡିଆ ପରାମର୍ଶଦାତା ଭାବେ ଦାୟିତ୍ୱ ତୁଲାଉଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ ଏହି ପୂର୍ବତନ ସାମ୍ବାଦିକ। ଉପକୂଳର ଏହି ନେତା ରାଜ୍ୟସଭା ରେସରେ ସର୍ବାଗ୍ରେ ଥିଲେ। ମାନସଙ୍କୁ ପ୍ରାର୍ଥୀ କରି ନବୀନ ସଂସଦରେ ଓବିିସି କାର୍ଡ ଖେଳିଥିବା ମଧ୍ୟ କୁହାଯାଉଛି।

ରାଜ୍ୟରେ ବିଭିନ୍ନ ଦଳର ନେତାଙ୍କୁ ଆଣି ବିଜେଡିରେ ସାମିଲ କରିବାରେ ମଙ୍ଗରାଜଙ୍କର ଗୋଟିଏ ବଡ ଭୂମିକା ରହିଛି। ଏଥିସହ ବିଜେଡିକୁ ପରିଚାଳନା କରିବାରେ ସାମିଲ ଥିବା କୋଟେରୀଙ୍କ ନିକଟତମ ତଥା ବିଶ୍ୱସ୍ତ ହେଉଛନ୍ତି ମଙ୍ଗରାଜ। ତେଣୁ ଚାରି ପ୍ରାର୍ଥୀଙ୍କ ମଧ୍ୟରୁ ମାନସ ମଙ୍ଗରାଜ ବେଶ ପ୍ରଭାବଶାଳୀ । ଦଳର ଏହି ପାଓ୍ୱାରଫୁଲ କୋଟେରୀ ନେତା ‘ସିମେଣ୍ଟ’ ହେଲେ ମାନସ ‘ବାଲି’ ହୋଇ ଦଳକୁ ମଜବୁତ କରୁଥିବା ଅନ୍ୟତମ ନେତା।

ସାଧାରଣ ନିର୍ବାଚନ ବେଳେ ଚିଲିକାରୁ ମାନସ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବିଧାୟକ ଭାବେ ନିର୍ବାଚନ ନଲଢ଼ି ଦଳରେ ସକ୍ରିୟ ରହି ବିଭିନ୍ନ କାମ କରୁଥିଲେ। ନବୀନ ପଞ୍ଚମ ଥର ସରକାର ଗଢ଼ିବା ପରେ ମାନସଙ୍କୁ ରାଜ୍ୟ ସରକାରଙ୍କ ମିଡିଆ ପରାମର୍ଶଦାତା ଭାବେ ଦାୟିତ୍ୱ ଦିଆଯାଇଥିଲା। ଆଉ ଏହାକୁ ମାନସ ଭଲ ଭାବେ ପରିଚାଳନା କରିପାରିଥିବାରୁ ଏହାର ପୁରସ୍କାର ସ୍ୱରୂପ ମାନସଙ୍କୁ ରାଜ୍ୟସଭା ଟିକେଟ୍ ମିଳିଛି।

ସଂସଦରେ ଯେଉଁସବୁ ସାଂସଦ ରହିଛନ୍ତି ସେମାନଙ୍କ ମଧ୍ୟରେ ଅନେକ ନେତା ବିବାଦୀୟ ହୋଇପଡିଛନ୍ତି। ଏମିତିକି ଦଳର ଗୁଡ ବୁକରେ ନାହାନ୍ତି । ଏପରି ସ୍ଥିତିରେ ଆଗାମୀ ଦିନରେ ସଂସଦରେ ଦଳର ମଙ୍ଗ ଧରିପାରନ୍ତି ମଙ୍ଗରାଜ। ସେହିପରି ରାଜ୍ୟରେ ଯେପରି ମିଡିଆ ମ୍ୟାନେଜମେଣ୍ଟ ଦାୟିତ୍ୱରେ ଥିଲେ ଆଗାମୀ ଦିନରେ ଦିଲ୍ଲୀରେ ଜାତୀୟ ନ୍ୟୁଜ ଚ୍ୟାନେଲକୁ ମ୍ୟାନେଜ କରିବାକୁ ମାନସ ଦାୟିତ୍ୱ ଦେଇଥାଇପାରେ।

ସେହିପରି ନନ୍ଦିଘୋଷ ଟିଭି ଏବଂ ଦୈନିକ ସକାଳର ପରିଚାଳନାରେ ମାନସଙ୍କର ଗୋଟିଏ ବଡ ଭୂମିକା ରହିଛି।  ଏହି ଦୁଇ ମିଡିଆ ହାଉସ ଶାସକ ଦଳ ବିଜେଡି ଦ୍ୱାରା ପରିଚାଳିତ ହୁଏ। ରାଜ୍ୟରେ ବିଭିନ୍ନ ସମୟରେ ଶାସକ ଦଳ ବିରୋଧରେ ମାଳ ମାଳ ଅଭିଯୋଗ ଆସେ କିନ୍ତୁ ଏହି ଅଭିଯୋଗକୁ ମିଡିଆ ଜରିଆରେ ମ୍ୟାନେଜ କରିବାରେ ମାନସ ଗୋଟିଏ ବଡ ଭୂମିକା ନେଇଥାନ୍ତି ବୋଲି କୁହାଯାଏ। ସେହିପରି ରାଜ୍ୟରେ ବିଭିନ୍ନ ସାମ୍ବାଦିକଙ୍କୁ ବିଜେଡିରେ ସାମିଲ କରିବାରୁ ମାନସ ଗୋଟିଏ ବଡ ଭୂମିକା ଗ୍ରହଣ କରିଥାନ୍ତି ବୋଲି ସେତେବେଳେ ଜଣାପଡେ ଯେତେବେଳେ ସଂପୃକ୍ତ ନବାଗତ ବିଜେଡି ନେତା ଦଳରେ ସାମିଲ କରିଥିବାରୁ ମାନସଙ୍କୁ କୃତଜ୍ଞତା ଜ୍ଞାପନ କରିଥାଏ। ଯାହାର ସଦ୍ୟ ଉଦାହରଣ କନକ ନ୍ୟୁଜର ଡେପୁଟି ଏଡିଟର ପଦ ଛାଡି ବିଜେଡିରେ ସାମିଲ ହୋଇଥିବା ସ୍ୱୟଂ ପ୍ରକାଶ ମହାପାତ୍ର ଏବଂ ଦୈନିକ ଖବରକାଗଜ ‘ସମ୍ବାଦ’ ଛାଡି ବିଜେଡିରେ ସାମିଲ ହୋଇଥିବା ଗୌତମ ଦାସ।

Comments are closed.