ଭୁବନେଶ୍ୱର: ନେତାଙ୍କର ପ୍ରତିଟି ପାଦର ଚାଲି ଏବଂ କଥାରେ ଥାଏ ଅନେକ ବାର୍ତ୍ତା । ଏପରି ସ୍ଥିତିରେ ମେ ୨୯’ରେ ପୂରଣ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରର ତୃତୀୟ ବର୍ଷ । ଏକଦା ଏହି ତାରିଖରେ ସେ ଲଣ୍ଡନ ଗସ୍ତରେ ଥିବା ବେଳେ ତାଙ୍କ ବିରୋଧରେ ଦଳରେ ତିଆରି ହୋଇଥିଲା ମିଡ୍ ନାଇଟ୍ ଅପରେସନ। ଏବେ ସମାନ ତାରିଖକୁ ଅଶୁଭ ବୋଲି ନଭାବି ଗୋଟିଏ ପରେ ଗୋଟିଏ ବଡ ପଦକ୍ଷେପ ନେଉଛନ୍ତି ବିଜେଡି ସୁପ୍ରିମୋ। ଏହି ଅବସରରେ ସେ ଚାରି ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଅନ୍ୟପଟେ ମେ ୨୯ ହେଉଛି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ୍ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଜନ୍ମଦିନ।
ନବୀନ ଏପରି ଘୋଷଣା କରି ଏବେ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଅପରାହ୍ନରେ ସାଉଥ ବ୍ଲକରେ ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ସୂଚନା ରହିଛି। ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଏହି ଭେଟଘାଟ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। କାରଣ ନିର୍ବାଚନରେ ବିଜୟ ହେବାକୁ ଆବଶ୍ୟକ ଥିବା ୧.୨ ପ୍ରତିଶତ ଭୋଟ୍ ନବୀନଙ୍କ ପାଖରେ ରହିଛି।
ତେବେ ରାଜ୍ୟସଭାରେ ଚାରି ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ସୁପ୍ରିମୋ ଅନେକ ଦିଗରୁ ରାଜନୈତିକ ସମୀକରଣକୁ ମିଶାଣ ଫେଡାଣ କରିଥିବା କୁହାଯାଉଛି। ଆନୁଗତ୍ୟ, ମହିଳା, ଯୁବ କାର୍ଡ, ଓବିସି କାର୍ଡ, କାର୍ଯ୍ୟଦକ୍ଷତା ଏବଂ ଚାରି ଦିଗରେ ରାଜନୀତିକ ସମୀକରଣକୁ ବାଲାନ୍ସ କରିବାକୁ ବିଜେଡି ସୁପ୍ରିମୋ ପ୍ରୟାସ କରିଥିବା ସୂଚନା ରହିଛି। ଯାହାକି ସୁଶାସନ ଏବଂ ସୁଦକ୍ଷତାର ଅନ୍ୟତମ ମାପଦଣ୍ଡ ବୋଲି କୁହାଯାଏ।
ବିଦାୟୀ ନେବାକୁ ଥିବା ସାଂସଦ ମଧ୍ୟରୁ ସସ୍ମିତ ପାତ୍ର ଦକ୍ଷିଣ ଓଡ଼ିଶାର ନେତା, ପ୍ରସନ୍ନ ଆଚାର୍ଯ୍ୟ ପଶ୍ଚିମ ଓଡ଼ିଶାର, ଏନ ଭାସ୍କର ରାଓ ପଶ୍ଚିମ ଓଡ଼ିଶାର, ସୁବାସ ସିଂ ଉପକୂଳ ନେତା ।
ଏବେ ନିର୍ବାଚିତ ହେବାକୁ ଥିବା ପ୍ରାର୍ଥୀ ହେଲେ ସସ୍ମିତ ପାତ୍ର ଦକ୍ଷିଣ ଓଡ଼ିଶାର, ସୁଲତା ଦେଓ ଉପକୂଳ ଓଡ଼ିଶାର, ମାନସ ମଙ୍ଗରାଜ ଉପକୂଳ ଓଡ଼ିଶାର ଏବଂ ନିଶିକାନ୍ତ ବିଶି ପଶ୍ଚିମ ଓଡ଼ିଶାର ।
ସେହିପରି ଚାରି ପ୍ରାର୍ଥୀଙ୍କ ମଧ୍ୟରୁ ନିଶି ଆଦିବାସୀ ଚେହେରା ହୋଇଥିବା ବେଳେ ଅନ୍ୟ ତିନି ଓବିସି ଶ୍ରେଣୀର। ସେହିପରି ଏହି ସମସ୍ତଙ୍କର ଦଳ ପ୍ରତି ରହିଛି ଆନୁଗତ୍ୟ ଏବଂ ତାସହିତ ଯୁବ ଚେହେରା ।
ଉଲ୍ଲେଖଯୋଗ୍ୟ, ରାଜ୍ୟସଭା ଯିବାକୁ ଦଳରେ ଅନେକ ନେତା ଗୋଡ କାଢି ବସିଥିବା ବେଳେ ନବୀନ ଦଳକୁ ସନ୍ତୁଳନ କରିବାକୁ ଯାଇ ଏପରି ରାଜନୈତିକ ସମୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି। କାରଣ ମେ ୨୯’ରେ ଏପରି ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ସୁପ୍ରିମୋଙ୍କର ନିଶ୍ଚିତ ମନେଥିବ ଅସନ୍ତୁଷ୍ଟ ନେତାଙ୍କ ପାଇଁ କିପରି ଏହି ତାରିଖରେ କିଛି ବର୍ଷ ପୂର୍ବେ ସୃଷ୍ଟି ହୋଇଥିଲା ମିଡ୍ ନାଇଟ୍ ଅପରେସନ।
Comments are closed.