ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ନୂତନ ଆୟୁକ୍ତ ଭାବେ ଶନିବାର ଅପରାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଜେ. ସୋନାଲ । ବିଦାୟୀ ଆୟୁକ୍ତ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ବୋନ୍ଦର ଏଠାରୁ ଭଦ୍ରକ ଜିଲାପାଳ ଭାବେ ବଦଳି ହୋଇଛନ୍ତି।
ନୂଆ ଆୟୁକ୍ତଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା। ଏହା ପରେ ସନ୍ଧ୍ୟାରେ ନୂତନ ସମ୍ମିଳନୀ କକ୍ଷ ପରିସରରେ ବିଦାୟୀ ଏବଂ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ଼ି, ଅତିରିକ୍ତ ଆୟୁକ୍ତ ଆଶୁତୋଷ ସାମଲଙ୍କ ସମେତ ମହାନଗର ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ, ବୋନ୍ଦର ଗତ ୨୦୨୦ ମସିହା ସେପ୍ଟେମ୍ବର ୯ ତାରିଖରେ ବୋନ୍ଦର ମହାନଗର ନିଗମର ଆୟୁକ୍ତ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ କାର୍ଯ୍ୟକାଳ ସମୟକୁ ନିଗମର ଅଧିକାରୀ ଓ କର୍ମଚାରୀମାନେ ପ୍ରଶଂସା କରିଥିଲେ । ଅପରପକ୍ଷେ ଆଇଏଏସ ସୋନାଲ ଏହା ପୂର୍ବରୁ ଗୁଣପୁର ଉପଜିଲାପାଳ ଭାବେ ନିଯୁକ୍ତ ହୋଇଥିଲେ ।
୨୦୧୮ ବ୍ୟାଚର ଆଇଏଏସ ସୋନାଲ ଗଜପତି ଜିଲାରେ କରୋନାର ପ୍ରଥମ ଲହର ଭାବେ ଓଏସ୍ଡି ଭାବେ ଦାୟିତ୍ୱରେ ରହିଥିଲେ । ଏଥି ସହିତ ପ୍ରୋବେସନର ସମୟରେ ପୁରୀ ଶ୍ରୀମନ୍ଦିର ଉନ୍ନତିକରଣର ପ୍ରକଳ୍ପର ତଦାରଖ କରିଥିଲେ । ବାଲେଶ୍ୱର ନିବାସୀ ସୋନାଲ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ । ଦଶମ ପରେ ଯୁକ୍ତ ଦୁଇରେ ବିଜ୍ଞାନ ପଢ଼ିବାକୁ ଆଶା ଥିଲେ ମଧ୍ୟ ଚକ୍ଷୁ ସମସ୍ୟା ଯୋଗୁ କଳା ବିଷୟରେ ନାଁ ଲେଖାଇଥିଲେ । ୨୦୦୬ରେ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାରେ ସେ ରାଜ୍ୟରେ ଦଶମ ରାଙ୍କ୍ ଭିତରେ ରହିଥିଲେ ।
ବାଲେଶ୍ୱର ଫକୀର ମୋହନ ଜୁନିୟର କଲେଜର ଯୁକ୍ତ ଦୁଇ କଳା ଛାତ୍ର ଥିବା ବେଳେ ସେ ବୋର୍ଡ ପରୀକ୍ଷାରେ ୮ଶହରୁ ୭୮୦ ମାର୍କ ରଖିଥିଲେ । ଭବିଷ୍ୟତରେ ଜଣେ ଆଇଏଏସ ହେବାକୁ ସ୍ୱପ୍ନ ଥିବା ନେଇ ସେହି ସମୟରେ ଗଣମାଧ୍ୟମକୁ କହିଥିବା ସୋନାଲ ୨୦୧୮ ମସିହାରେ ଆଇଏଏସ୍ ପାଇଥିଲେ ।
Comments are closed.