ନୂଆଦିଲ୍ଲୀ: ଜୁନ୍ ୨୦୨୨ରେ ସମୁଦାୟ ସଂଗୃହୀତ ଜିଏସ୍ଟି ରାଜସ୍ୱ ୧,୪୪,୬୧୬ କୋଟି ଟଙ୍କା ରହିଛି । ଯେଉଁଥିରେ ସିଜିଏସ୍ଟିର ପରିମାଣ ୨୫,୩୦୬ କୋଟି ଟଙ୍କା , ଏସ୍ଜିଏସ୍ଟିର ପରିମାଣ ୩୨,୪୦୬ କୋଟି ଟଙ୍କା, ଆଇଜିଏସ୍ଟିର ପରିମାଣ ୭୫,୮୮୭ କୋଟି ଟଙ୍କା (ମାଲ୍ ଆମଦାନୀ ଊପରେ ସଂଗୃହୀତ ୪୦,୧୦୨ କୋଟି ଟଙ୍କା ସମେତ) ଏବଂ ସେସ୍ (ମାଲ୍ ଆମଦାନୀ ଉପରେ ସଂଗୃହୀତ ୧୧୯୭ କୋଟି ଟଙ୍କା ସହିତ) ୧୧,୦୧୮ ଟଙ୍କା ରହିଛି । ଜୁନ୍ ୨୦୨୨ରେ ସମୁଦାୟ ଜିଏସ୍ଟି ସଂଗ୍ରହ ଏପ୍ରିଲ୍ ୨୦୨୨ର ୧,୬୭,୫୪୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ପରେ ଦ୍ୱିତୀୟ ସର୍ବାଧିକ ଜିଏସ୍ଟି ସଂଗ୍ରହ । ଏଥିରେ ଓଡ଼ିଶା ମଧ୍ୟ 3000 କୋଟିରୁ 3965 କୋଟି ଟଙ୍କାକୁ ଟପିଛି ।
ସରକାର ଆଇଜିଏସ୍ଟିରୁ ୨୯,୫୮୮ କୋଟି ଟଙ୍କା ସିଜିଏସ୍ଟି ବାବଦକୁ ଏବଂ ୨୪,୨୩୫ କୋଟି ଟଙ୍କା ଏସ୍ଜିଏସ୍ଟି ବାବଦକୁ ବନ୍ଦୋବସ୍ତ କରିଛନ୍ତି । ଏହା ସହିତ, କେନ୍ଦ୍ର ସରକାର ମଧ୍ୟ ଅସ୍ଥାୟୀ ଭିତିରେ ୫୦:୫୦ ଅନୁପାତରେ ଆଇଜିଏସ୍ଟିର ୨୭,୦୦୦ କୋଟି ଟଙ୍କାକୁ କେନ୍ଦ୍ର ଏବଂ ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳ ମାନଙ୍କ ମଧ୍ୟରେ ବଂଟନର ବନ୍ଦୋବସ୍ତ କରିଛନ୍ତି । ନିୟମିତ ଏବଂ ଅସ୍ଥାୟୀ ବନ୍ଦୋବସ୍ତ ପରେ ଜୁନ୍ ୨୦୨୨ରେ କେନ୍ଦ୍ର ଏବଂ ରାଜ୍ୟ ଗୁଡିକର ସମୁଦାୟ ରାଜସ୍ୱ ସିଜିଏସ୍ଟି ନିମନ୍ତେ ୬୮,୩୯୪ କୋଟି ଟଙ୍କା ଏବଂ ଏସ୍ଜିଏସ୍ଟି ନିମନ୍ତେ ୭୦,୧୪୧ କୋଟି ଟଙ୍କା ରହିଛି ।
ଜୁନ୍ ୨୦୨୨ରେ ସଂଗୃହୀତ ରାଜସ୍ୱ ଗତ ବର୍ଷର ଏହି ମାସରେ ଆଦାୟ ହୋଇଥିବା ଜିଏସ୍ଟିର ପରିମାଣ ୯୨,୮୦୦ କୋଟି ଟଙ୍କା ତୁଳନାରେ ୫୬% ଅଧିକ ଅଟେ । ଏହି ମାସରେ, ଆମଦାନୀରୁ ସଂଗୃହୀତ ରାଜସ୍ୱ ୫୫% ଅଧିକ ରହିଥିଲା ଏବଂ ଘରୋଇ ଦେଣନେଣ (ସେବା ଆମଦାନୀ ସହିତ) ରାଜସ୍ୱ ଗତ ବର୍ଷର ଏହି ମାସରେ ଏହି ସ୍ରୋତ ଗୁଡିକରୁ ସଂଗୃହୀତ ରାଜସ୍ୱ ତୁଳନାରେ ୫୬% ଅଧିକ ଅଟେ ।
ଜିଏସ୍ଟି ଲାଗୁ ହେବା ପରେ ଏହା ପଂଚମ ଥର ପାଇଁ ହୋଇଛି, ଯେତେବେଳେ ମାସିକ ଜିଏସ୍ଟି ସଂଗ୍ରହ ୧.୪୦ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି ଏବଂ ମାର୍ଚ୍ଚ ୨୦୨୨ ପର ଠାରୁ ଏହା ଚତୁର୍ଥ ମାସ ଅଟେ । ଜୁନ୍ ୨୦୨୨ରେ ଜିଏସ୍ଟି ସଂଗ୍ରହ ଦ୍ୱିତୀୟ ସର୍ବାଧିକ ହେବା ସହିତ, ଏହା ଅତୀତରେ ଦେଖିବାକୁ ମିଳୁଥିବା ସବୁଠାରୁ କମ୍ ସଂଗୃହୀତ ମାସ ହେବାର ଧାରାକୁ ଭାଙ୍ଗି ଦେଇଛି । ମେ’ ୨୦୨୨ରେ ସମୁଦାୟ ଇ – ୱେ ବିଲ୍ ଗୁଡିକର ସଂଖ୍ୟା ୭.୩ କୋଟି ଥିଲା, ଯାହା ଏପ୍ରିଲ୍ ୨୦୨୨ରେ ଉତ୍ପନ୍ନ ହୋଇଥିବା ୭.୪ କୋଟି ଇ – ୱେ ବିଲ୍ ତୁଳନାରେ ୨% କମ୍ ଅଟେ ।
Comments are closed.