ମୁମ୍ବାଇ: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଶିବସେନା ସମର୍ଥନ କରିବ ବୋଲି ଘୋଷଣା କରିଛି। ଆଜି ମୁର୍ମୁ ମୁମ୍ବାଇ ଆସୁଛନ୍ତି । କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନାର ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ଏହି ବୈଠକରେ ସାମିଲ ହେବାକୁ ନିମନ୍ତ୍ରଣ ମିଳିନାହିଁ। ଦ୍ରୌପଦୀ ମୁମ୍ବାଇରେ ପହଞ୍ଚିବା ପରେ ସେ ରାଜ୍ୟର ସମସ୍ତ ବିଧାୟକ ଓ ସାଂସଦଙ୍କୁ ଭେଟିବେ। ଠାକରେ ମୁର୍ମୁଙ୍କୁ ସମର୍ଥନ କରିବା ନେଇ ଘୋଷଣା କରିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁୟାୟୀ, ଗୁରୁବାର ମୁର୍ମୁଙ୍କ ସହ ହେବାକୁ ଥିବା ବୈଠକରେ ଠାକରେଙ୍କ ନେତୃତ୍ୱାଧୀନ ଶିବସେନାକୁ ନିମନ୍ତ୍ରଣ କରାଯାଇ ନାହିଁ। ଠାକରେ କ୍ୟାମ୍ପରେ ସାମିଲ ଥିବା ଶିବସେନା ସାଂସଦ ବିନାୟକ ରାଉତ କହିଛନ୍ତି, ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପାଇଁ ଆମକୁ କୌଣସି ନିମନ୍ତ୍ରଣ ମିଳିନାହିଁ। ତେଣୁ ଗୁରୁବାରର ବୈଠକରେ ଶିବସେନା ସାମିଲ ହେବାର ପ୍ରଶ୍ନ ଉଠୁନାହିଁ। ସେ ଜଣେ ଆଦିବାସୀ ମହିଳା ହୋଇଥିବାରୁ ରାଷ୍ଟ୍ରପତି ଉଦ୍ଧବ ଠାକରେ ତାଙ୍କୁ ସମର୍ଥନ କରିଛନ୍ତି।’
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୧୯ ସାଂସଦଙ୍କ ମଧ୍ୟରୁ ୧୨ ସାଂସଦଙ୍କ ନିବେଦନ ପରେ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଥିଲେ ଠାକରେ। ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ଟକ୍କର ଦେଉଛନ୍ତି ମୁର୍ମୁ। ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ।
ଆଜି ଅପରାହ୍ନରେ ମୁର୍ମୁ ମୁମ୍ବାଇରେ ପହଞ୍ଚିବେ ବୋଲି ଜଣାପଡ଼ିଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଓ ଅବସରପ୍ରାପ୍ତ ଜେନେରାଲ ଭି. କେ. ସିଂହ ଉପସ୍ଥିତ ରହିବେ। ବିମାନ ବନ୍ଦର ନିକଟରେ ଥିବା ଏକ ହୋଟେଲରେ ସମର୍ଥନ କରୁଥିବା ସାଂସଦ ଓ ବିଧାୟକମାନଙ୍କୁ ଭେଟିବେ ଓଡ଼ିଶାର ଝିଅ। ବିଜେପି ନେତାମାନେ କହିଛନ୍ତି ଯେ ପ୍ରାୟ ୨୫୦ ଜଣ ସାଂସଦ ଓ ବିଧାୟକ ମୁର୍ମୁଙ୍କୁ ଭେଟିବାର ସମ୍ଭାବନା ରହିଛି।
ବିଜେପି ନିଜର ସମସ୍ତ ୧୦୬ ବିଧାୟକଙ୍କୁ ଗୁରୁବାର ସକାଳ ସୁଦ୍ଧା ମୁମ୍ବାଇରେ ପହଞ୍ଚିବାକୁ କହିଛି। ଏହାବ୍ୟତୀତ ଶିବସେନାର ୪୦ ଜଣ ବିଧାୟକଙ୍କ ସମେତ ସିନ୍ଦେ ଶିବିରର ୫୦ ଜଣ ବିଧାୟକଙ୍କୁ ମଧ୍ୟ ବୈଠକରେ ଯୋଗ ଦେବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବିରର ମୁଖପାତ୍ର ତଥା ବିଧାୟକ ଦୀପକ କେସରକର ବୁଧବାର ଦିଲ୍ଲୀରେ ଏନଡିଏ ବୈଠକରେ ଯୋଗ ଦେଇଥିଲେ।
Comments are closed.