ଭୋପାଳ: ମଧ୍ୟପ୍ରଦେଶ ଧାର ଜିଲ୍ଲା ଖଲଘାଟରେ ବଡ଼ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ପୋଲର ରେଲିଂ ଭାଙ୍ଗି ନର୍ମଦା ନଦୀକୁ ଖସିବା ଫଳରେ ବସରେ ଥିବା ସମସ୍ତ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ତଥାପି ନଦୀରେ ଚାଲିଛି ସର୍ଚ୍ଚ ଅପରେସନ୍ । ବସଟି ଇନ୍ଦୋରରୁ ମହାରାଷ୍ଟ୍ର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ବସରେ ୧୩ ଜଣ ଯାତ୍ରୀଥିବା କୁହାଯାଉଥିବା ବେଳେ କେତେ ଯାତ୍ରୀ ଥିଲେ ଜଣାପଡ଼ି ନାହିଁ ।
ବସଟି ପ୍ରଥମେ ପୋଲରୁ ଖସି ତଳେ ପଡ଼ି ଛିଟକି ଯାଇ ପାଣିରେ ପଡ଼ିଥିଲା । ଖବର ପାଇ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବସରୁ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବସରେ ଥିବା ଅନ୍ୟ ଜଣେ କିମ୍ବା ୨ ଜଣ ନଦୀର ପ୍ରଖର ସ୍ରୋତରେ ବହି ଯାଇଥିବା ଆଶଙ୍କା କରାଯାଉଛି ।
ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୋକବ୍ୟକ୍ତ କରିଛନ୍ତି । ଶିବରାଜ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ କଥା ହୋଇଛନ୍ତି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର । ସେହିଭଳି ମହାରାଷ୍ଟ୍ର ସରକାର ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏ ସହାୟତା ଦେବେ ।
Comments are closed.