‘ଅମାବାସ୍ୟାର ଚନ୍ଦ୍ର’ ଉପନ୍ୟାସ ପାଇଁ ବର୍ଷବର୍ଷ ଧରି ଓଡ଼ିଆ ପାଠକଙ୍କ ହୃଦୟରେ ରହିଆସିଛନ୍ତି ଓ ରହିବେ ପ୍ରସିଦ୍ଧ ଲେଖକ ବାରିଷ୍ଟର ଗୋବିନ୍ଦ ଦାସ । 1929 ମସିହାରେ ଜନ୍ମ ନେଇଥିବା ଏଇ ବିରଳ କଥାକାର ପରବର୍ତ୍ତୀ ସମୟରେ ‘ଭଗ୍ନାଂଶ’, ‘ଲାସୁ ‘ ଓ ‘ସୂର୍ଯ୍ୟାସ୍ତ’ ନାମରେ ମଧ୍ୟ ଆଉ ତିନୋଟି ଉପନ୍ୟାସ ଲେଖିଥିଲେ । ତେବେ ‘ଅମାବାସ୍ୟାର ଚନ୍ଦ୍ର’ ହିଁ ତାଙ୍କୁ ଦେଇଥିଲା ପ୍ରକୃତ ଲେଖକୀୟ ପ୍ରସିଦ୍ଧି । 2008 ମସିହାରେ ଏହି ଯୋଗଜନ୍ମା ଲେଖକ ଆମ ଗହଣରୁ ବିଦାୟ ନେଇଥିଲେ ବି ତାଙ୍କର ଏହି ଅମର କୃତି ପାଇଁ ସେ ସବୁବେଳେ ସାହିତ୍ୟ ଜଗତରେ ବଂଚି ରହିବେ ।
ପ୍ରେସିଡେ଼ନ୍ସୀ ଓ ତା’ ପରେ
ଗୋବିନ୍ଦ ଦାସ
ଏବେ ବି ଭୁଲି ପାରୁନାହିଁ ସେ ଆଗ୍ରହ, ଉଲ୍ଲାସ, ଉନ୍ମାଦନା ତାକୁ ଦେଖିବା ଲାଗି । ଯେପରି ମୁଁ ଅନେକଦିନରୁ ଅପେକ୍ଷା କରିଥିଲି ତାର ପ୍ରଥମ ଦର୍ଶନ ଓ ଟିକିଏ ସ୍ପର୍ଶ ଲାଗି । ସେଇ ମୋର ପ୍ରେସିଡେନ୍ସି କଲେଜ । କେତେଥର ଆଗରୁ ଭାବିଥିବି, ସ୍ୱପ୍ନ ଦେଖୁଥିବି, ସେଇଠି ମୁଁ ଘୂରାଘୂରି କରୁଛି, ତାରି ବାରଣ୍ଡାରେ, ତାରି କୋଠରି ଭିତରେ ।
ଯେଉଁଠି ଶରତ ବୋଷ, ରାଜେନ୍ଦ୍ର ପ୍ରସାଦ ଓ ବଂଗଳାର ଅଧିକାଂଶ ଆଇ.ସି.ଏସ. ଅଫିସର, ବଡ଼ ବଡ଼ ପ୍ରଫେସର, ବଡ଼ ବୈଜ୍ଞାନିକ ସବୁ ଦିନେ ଅଧ୍ୟୟନ କରିଥିଲେ । ମୁଁ ମଧ୍ୟ ସେଇ ଶୋଭାଯାତ୍ରାରେ ଭାଗୀଦାର ହେବି ବୋଲି କଳ୍ପନା କରୁଥାଏ । ମୋ ପାଇଁ ସେଇଟା କଲେଜ ନ ଥିଲା, ଥିଲା ସେଇ ସମୟର ସବୁ ସ୍ୱପ୍ନର କେନ୍ଦ୍ରୀଭୂତ ବିନ୍ଦୁ ।
କିନ୍ତୁ ଏଠି ପଶିବି କିପରି? ଆଡ଼ମିସନ ପାଇଁ କିଏ ମତେ ସାହାଯ୍ୟ କରିବ? ମୁଁ ପୁଣି ବାହାର ବିଶ୍ୱବିଦ୍ୟାଳୟର ବିଜ୍ଞାନର ଛାତ୍ର । ସେଥିରେ ଚାହୁଁଛି ବି.ଏ. ପଢ଼ିବା ଲାଗି । ହାତରେ କେବଳ ଖଣ୍ଡେ ଅଛି ମାର୍କସିଟର କାଗଜ । ଭଲ ପ୍ରମାଣ ପତ୍ର । କିନ୍ତୁ ଖାଲି ସେତିକି ତ ଯଥେଷ୍ଟ ନୁହେଁ ।
ବଟ ଭାଇ କଲିକତାର ପୋକ । ସେ ଅନେକ ଦିନ ଧରି କଲିକତାରେ ରହିଛନ୍ତି । ସେ ଆମର ଗୁରୁଜନ, ପଥ ନିଦେ୍ର୍ଧଶକ । ସେତେବେଳକୁ କଲେଜ ଛୁଟି ହୋଇଥାଏ । ପ୍ରିନ୍ସିପାଲ ମୋହଲନାବିଶ ଭାରତବର୍ଷର ଜଣାଶୁଣା ଷ୍ଟାର୍ଟିଷ୍ଟିସିଆନ । ତାଙ୍କୁ ଜବାହରଲାଲ ନେହେରୁ ପ୍ଲାନିଂ କମିଶନରରେ ନେଇଥାନ୍ତି । ମଝିରେ ମଝିରେ କଲେଜ ଆସନ୍ତି । ପିଲାମାନଙ୍କୁ ଭେଟନ୍ତି । ସେ କଲେଜର ଦୈନନ୍ଦିନ କାମରେ କିଛି ଦାୟିତ୍ୱ ନିଅନ୍ତି ନାହିଁ । ରବୀନ୍ଦ୍ରନାଥଙ୍କର ସେ ପ୍ରିୟଲୋକ ।
ଆଡ଼ମିସନ ଦାୟିତ୍ୱରେ ଥାନ୍ତି ଇକୋନମିକ୍ସର ପ୍ରଫେସର ଡିପାର୍ଟମେଣ୍ଟର ମୁଖ୍ୟ । ମୁଁ ବି ଚାହୁଁଥିଲି ଇକୋନମିକ୍ସ ଅନର୍ସ ଓ ହିଷ୍ଟ୍ରି ପାସ ନେଇ ପଢ଼ିବା ପାଇଁ । ମୋ ପାଇଁ ସେ ଥିଲେ ଏକମାତ୍ର ସାହା ଭରସା । ସେ କଲେଜ ଆସୁ ନ ଥିଲେ । ସେଥିପାଇଁ ତାଙ୍କ ଘର ଠିକଣା ନେଇ ତାଙ୍କ ସହିତ ଦେଖା କରିବା ପାଇଁ ଗଲି ।
ବଟଭାଇ ସବୁ ବୁଝାଇ ଦେଇଥାଏ । ତା’ କହିବା ଅନୁଯାୟୀ ସକାଳୁ ସକାଳୁ ଗୋଟାଏ ଟ୍ରାମ ଚଢ଼ିଲି । ସେଇଟା ଏ ପ୍ରଫେସରଙ୍କ ଘର ବାଟ ଦେଇ ଯାଏ । ଟ୍ରାମ ଲୋକଙ୍କୁ କହିଲି କେଉଁ ଷ୍ଟପେଜରେ ମତେ ଓହ୍ଲେଇଦେବେ । ଚାହୁଁ ଚାହୁଁ ଖାଲି ଟ୍ରାମଟା ଲୋକରେ ଭରିଗଲା । ମୁଁ ଗୋଟାଏ କଡ଼ ସିଟରେ ବସିଥାଏ ।
ମଝିରେ କେଉଁ ଗୋଟାଏ ଷ୍ଟପେଜରୁ ଜଣେ ବୟସ୍କ ଭଦ୍ରଲୋକ ଧୋତି ପଂଜାବୀ ପିନ୍ଧିଛନ୍ତି, ଗୋରା ଚେହେରା, ବସେଇ କରି ବାଳ କୁଣ୍ଡାଇଛନ୍ତି, ଟ୍ରାମରେ ଚଢ଼ିଲେ । ସେତେବେଳକୁ ଟ୍ରାମରେ ବସିବା ଜାଗା ନାହିଁ । ସେ ଭଦ୍ରଲୋକ ଆସି ମୋ କଡ଼ରେ ଛିଡ଼ା ହେଲେ । ମୁଁ ତାଙ୍କୁ ଚାହିଁ ତାଙ୍କ ପାଇଁ ମୋ ବସିବା ଜାଗାଟିକୁ ଛାଡ଼ି ଉଠିଗଲି ଓ ତାଙ୍କୁ ବସିବାଲାଗି ଇଂଗିତରେ ଜଣାଇଲି । ସେ ଟିକେ ମାମୁଲି ହସ ହସି ମୋତେ ଚାହିଁଲେ ଓ ସେ ସିଟରେ ବସିଲେ । କେଉଁ ଗୋଟାଏ ଷ୍ଟପେଜରେ ସେ ଓହ୍ଲାଇଗଲେ ମୁଁ ଲକ୍ଷ୍ୟ କରି ନାହିଁ ।
ମୋ’ଷ୍ଟପେଜ ଆସିଲା । ପାଟିକରି କଣ୍ଡକ୍ଟର ଡାକୁଥାଏ ସେ ଛକଟିର ନାଁ । ମୁଁ ସେଠି ଓହ୍ଲାଇ କିଛି ବାଟ ଖୋଜାଖୋଜି କରି, ପଚରା ଉଚୁରା କରିବା ପରେ ସେ ପ୍ରଫେସରଙ୍କ ଘର ନିକଟରେ ପହଞ୍ଚôଲି ।
ମଧ୍ୟାଳିଆ କୋଠାଟିଏ । ବେଶି ବଡ଼ ନୁହେଁ ବା ବେଶି ସାନ ବି ନୁହେଁ । ସମୟ ଦିନ ନ’ଟା ଖଣ୍ଡେ ହେବ । ସନ୍ତର୍ପଣରେ ତାଙ୍କ ଘର ବେଲ ମାରିଲି । ଜଣେ କିଏ ବାହାରି ଆସିଲେ । ତାଙ୍କୁ କହିଲି କି ସେ ପ୍ରଫେସରଙ୍କ କଲେଜରେ ନାମ ଲେଖାଇବା ପାଇଁ ଆସିଛି । ସେ ଭଦ୍ରଲୋକ ମତେ କହିଲେ କି ପ୍ରଫେସର ଘରେ କେଉଁ ପିଲାଙ୍କୁ ଦେଖା କରନ୍ତି ନାହିଁ । ସେ ଯେତେବେଳେ କଲେଜ ଯାଇଥିବେ ତାଙ୍କ ସହିତ ସେଇଠି ଦେଖା କର । ପଚାରିଲି କଲେଜ କେବେ ଯିବେ? ସେ କହିଲେ ମୁଁ ଜାଣିନି, କିଛି ଠିକଣା ନାହିଁ, ଛୁଟି ତ ଚାଲିଛି । ଭଦ୍ରଲୋକଙ୍କ ବଙ୍ଗାଳି କହିବା ଢ଼ଙ୍ଗରୁ ମୁଁ ବୁଝିଲି ସେ ଭଦ୍ରଲୋକ ବଙ୍ଗାଳି ନୁହଁନ୍ତି । ଧୋତି ଫତେଇ ପିନ୍ଧିଥାଏ । ବଙ୍ଗାଳି ଘରେ କାମ କରୁଥିବା ଓଡ଼ିଆମାନଙ୍କର ଏଇଟା ସାଧାରଣ ଡ୍ରେସ । କେବେ ସେ କଲେଜ ଯିବେ, କେବେ ତାଙ୍କ ସହିତ ଦେଖା ହେବ- ଏଇ ଅନିଶ୍ଚିତତା କଥା ଭାବି ମୁଁ ବ୍ୟସ୍ତ ହୋଇ ପଡ଼ିଲି । ସାହସ କରି ଓଡ଼ିଆରେ ତାଙ୍କୁ ପଚାରିଲି ‘ତୁମ ଘର କେଉଁଠି?’ ସେ ଉତ୍ତରରେ କହିଲା, ଆପଣ କ’ଣ ଓଡ଼ିଆ? ମୁଁ ହଁ ଭରିଲି । କହିଲି, କଟକରୁ ଆସିଛି । ତାଙ୍କ ସହିତ ଦେଖା କରିବା ମୋର ଅତି ଜରୁରୀ । କିଛିଟା ଦ୍ୱିଧା, କିଛିଟା ଦୁଃସାହସ ଭିତରେ ସେ ଗେଟ ଖୋଲିଦେଇ ମତେ ବାରଣ୍ଡା ଚଉକିରେ ବସିବା ଲାଗି କହିଲା । ବାବୁ ଅଫିସଘରକୁ ଆସନ୍ତୁ, ମୁଁ ଖବର ଦେବି । ସେ ବାରଣ୍ଡାଟା ଚଉଡ଼ା ଓ ଶେଷ ହୋଇଛି ତାଙ୍କ ଅଫିସ ରୁମ ସାମନାରେ । ବାରଣ୍ଡା ପଛରେ ତାଙ୍କର ଡ୍ରଇଂ ରୁମ । ଧଳା ପରଦା ସବୁ ଝୁଲୁଛି- ତାଙ୍କ ଡ୍ରଇଂ ରୁମ ସାମନାରେ, ଅଫିସ ରୁମ ଆଗରେ ଓ ବାରଣ୍ଡାକୁ ଖୋଲିଥିବା ଦୁଇ ଝରକାରେ । ବାରଣ୍ଡା ସାମନାକୁ ଗୋଟାଏ ଲନ । ବିଶେଷ ବଡ଼ ନୁହେଁ । ମୁଁ ବାରଣ୍ଡା ଚଉକିରେ ବସିଲି । ପରେ ସେ ଲୋକଟି ମତେ କହିଲା, ଯଦି ସେ ଚାହିଁବେ ଦେଖା ହେବ । ନଚେତ କେବେ କଲେଜ ଯିବେ ମୁଁ ବୁଝି କହିବି । ପିଲାଦିନୁ ବଂଶର ପରମ୍ପରା ସତ୍ତେ୍ୱ ମୁଁ ଠାକୁରରେ ବିଶ୍ୱାସ କରି ନ ଥିଲି । ପୁଣି ଏ ଅନିଶ୍ଚିତତାଟା ମନକୁ ଆହୁରି ଅସ୍ତବ୍ୟସ୍ତ କରିଦେଲା । କେଉଁ ଠାକୁରଙ୍କୁ ଡାକିବି ସ୍ଥିର କରି ପାରିଲି ନାହିଁ । ପରିଣାମ କ’ଣ ହେବ ଜାଣିନାହିଁ କିନ୍ତୁ ଅନ୍ତତଃ ଦେଖାଟା ତ ହୁଅନ୍ତା । ପ୍ରତ୍ୟେକ ମୁହୂର୍ତ୍ତଟା ଘଣ୍ଟା ଘଣ୍ଟା ପରି ଲାଗୁଥାଏ । ପବନରେ ଡ୍ରଇଂରୁମ ପରଦାଟା ମଝିରେ ମଝିରେ ଉଡ଼ିଯାଉଥାଏ । ଡ୍ରଇଂରୁମ ଭିତରଟା କିଛି କିଛି ଦିଶିଲା । ଡ୍ରଇଂ ରୁମର ସାମନା ସାମନି ଦୁଇ କାନ୍ଥରେ ରାମକୃଷ୍ଣ ଓ ଶାରଦା ଦେବୀଙ୍କର ବଡ଼ ବଡ଼ ତୈଳଚିତ୍ର ଦୁଇଟି ଝୁଲାଯାଇଥିଲା ପରି ଦେଖାଗଲା । କେଉଁ ଠାକୁରଙ୍କୁ ଡାକିବି ସେ ଦ୍ୱନ୍ଦ୍ୱର ସମାଧାନ ହେଲା । ବର୍ତ୍ତମାନ ପାଇଁ ରାମକୃଷ୍ଣ ପ୍ରକୃଷ୍ଟ । ତାଙ୍କୁଇ ପ୍ରାର୍ଥନା କଲି ।
କିଛି ସମୟ ପରେ ଫତେଇ ପିନ୍ଧା ଲୋକଟି ଆସି କହିଲା, ବାବୁ ରାଜି ହୋଇଛନ୍ତି । ସେ ଅଫିସ ଘରେ ବସିଛନ୍ତି । ଡାକୁଛନ୍ତି । ମୁଁ ପରଦା ଟେକି ତାଙ୍କ ଅଫିସଘର ଭିତରକୁ ପଶିଲି । ଆଶ୍ଚର୍ଯ୍ୟ ହେଲି । ସେ ମଧ୍ୟ ମତେ ଅନାଇ ଟିକେ ଆଶ୍ଚର୍ଯ୍ୟ ହେଉଥିବେ । ସେ ସାମନା ଚେୟାରରେ ବସିବା ଲାଗି କହିଲେ । ଖାନଦାନୀ ବଙ୍ଗାଳିଘର ପରି ସବୁ ଅତି ପରିଷ୍କାର ପରିଚ୍ଛନ୍ନ । ସେ ମୋ ମୁହଁକୁ ଅନାଇଥାନ୍ତି । ପଚାରିଲେ କାହିଁକି ଆସିଛ? ମୁଁ ଜଲଦି ଜଲଦି ଠିକେ ଠିକେ କହିଗଲି; ମୋର ପରିଚୟ, ଆସିବାର ଉଦେ୍ଧଶ୍ୟ, ଅତୀତ- ଏକାବେଳେକେ ସବୁ ଖଣ୍ଡିଆ ଖଣ୍ଡିଆ ବଙ୍ଗଳାରେ । ଖୁବ ନରଭସ ଲାଗୁଥାଏ । ସବୁ ଶୁଣୁଥାନ୍ତି । ପଚାରିଲେ ମାର୍କସିଟ ଆଣିଛ? ପକେଟରୁ ବାହାର କରି ଟେବୁଲ ଉପରେ ସାମାନ୍ୟ ଟିକେ ନଇଁପଡ଼ି ତାଙ୍କ ହାତକୁ ବଢ଼ାଇଦେଲି । ସେ ମାର୍କସିଟ କାଗଜଟିକୁ ନିରେଖି କରି ଦେଖୁଥାନ୍ତି । ମୋର ସମଗ୍ର ଭବିଷ୍ୟତ ସେଇ କାଗଜ ଓ ସେ କେତୋଟି ମୁହୂର୍ତ୍ତ ଉପରେ ନିର୍ଭର କରୁଥାଏ । ମତେ ସାହାଯ୍ୟ କରିବା ଲାଗି କେହି ନଥାନ୍ତି । କେବଳ ସେ କାଗଜଟି । କାତର ହୋଇ ତାଙ୍କ ମୁହଁକୁ ଦେଖୁଥାଏ ଓ ସେ କ’ଣ କହିବେ ମୁଁ ଅପେକ୍ଷା କରୁଥିଲି ।
ସେ ହେଉଛନ୍ତି ଟ୍ରାମରେ ଦେଖା ହୋଇଥିବା ଧୋତିପିନ୍ଧା ସେଇ ସମ୍ଭ୍ରାନ୍ତ ଭଦ୍ରବ୍ୟକ୍ତି । ଭାବୁଥାଏ ଏତିକି ପରିଚୟ କ’ଣ ଏ କଲେଜରେ ନାମ ଲେଖାଇବା ପାଇଁ ଯଥେଷ୍ଟ? ସେ ମୁଣ୍ଡ ଉଠାଇ ମୋ’ ଆଡ଼କୁ ଚାହିଁଥାନ୍ତି । ମନେ ହେଲା ମତେ ଯେପରି ବିଶ୍ଳେଷଣ କରୁଛନ୍ତି । ତା’ ପରେ ବଙ୍ଗଳାରେ ପଚାରିଲେ- ତମେ ସାଇନ୍ସ ପଢ଼ିଛ, ଇକୋନମିକ୍ସ ଅନର୍ସରେ କ’ଣ ପାରିବ? ମୁଁ କହିଲି- ଚେଷ୍ଟା କରିବି । ତା’ପରେ ସେ କହିଲେ ଅଫିସ ଯାଅ । ତହିଁ ପରଦିନ । ତାଙ୍କୁ ପଚାରିପାରିଲି ନାହିଁ, ଆଡ଼ମିସନ ହେବ କି ନାହିଁ । କେବଳ ଛିଡ଼ା ହୋଇ ରହିଲି । ସେ କହିଲେ ଅଫିସ ଯାଅ, ସବୁ ଠିକ ହୋଇଯିବ ।
ସତକୁ ସତ ସବୁ ଠିକ ହୋଇଗଲା । ଯାହା ମାଗି ନ ଥିଲି ତାଠୁ ବେଶି ମିଳିଲା । ସେଇଟା ହେଉଛି ପ୍ରେସିଡେନ୍ସି କଲେଜର ନିଜସ୍ୱ ଇଡେ଼ନ ହଷ୍ଟେଲରେ ରହିବା ପାଇଁ ଜାଗା । ଏଥିପାଇଁ କାହାକୁ କୃତଜ୍ଞତା ଜଣାଇବି ସ୍ଥିର କରି ପାରିଲି ନାହିଁ- ବଟଭାଇ, ଟ୍ରାମଗାଡ଼ି, ଓଡ଼ିଆ କର୍ମଚାରୀ ବା ରାମକୃଷ୍ଣ! ଶେଷରେ ରାମକୃଷ୍ଣଙ୍କୁ ପ୍ରଣାମ ଜଣାଇଲି । ତା’ପରେ ଆରମ୍ଭ ହେଲା କଲିକତା ପର୍ବ । ରହିବା ପାଇଁ ଜାଗା ମିଳିଲା । ପଢ଼ିବା ପାଇଁ ସ୍ଥାନ ମିଳିଲା । ସେତେବେଳ ଜୀବନର ସବୁ ସ୍ୱପ୍ନ ସାକାର ହୋଇ ଉଠିଲା । ମତେ ସ୍ୱର୍ଗରେ ପହଞ୍ଚିଲା ପରି ଲାଗିଲା ।
କଲିକତାରେ ଏଇ କାମସବୁ ଶେଷ କରିବା ପାଇଁ ଚାରି ପାଞ୍ଚଦିନ ଲାଗିଲା । ସେ ସବୁ ସାରି କଲେଜରେ ଆଡ଼ମିସନ ଅଡର଼୍, ହଷ୍ଟେଲରେ ରହିବାଲାଗି ଅନୁମତି ପତ୍ର, ଏ ଦୁଇଖଣ୍ଡ କାଗଜ ଧରି କଟକ ଫେରି ଆସିଲି । କଲେଜ ଆଡ଼ମିସନ ପାଇଁ ମାସେ ସମୟ ଥାଏ । କେବଳ ରହିଲା କିଛି ଟଙ୍କା କଥା । କଲେଜରେ ଆଡ଼ମିସନ ପାଇଁ, ହଷ୍ଟେଲରେ ରହିବା ପାଇଁ, ଏ ଦୁଇଟି କାଗଜ ରଖି ବାକି ସବୁ ସାର୍ଟିଫିକେଟ କଲେଜରେ ଦେଇ ଆସିଥାଏ । କଟକରେ ପହଞ୍ଚିଲି ହାୱାଡ଼ା ପୁରୀ ଏକ୍ସପ୍ରେସ ଟ୍ରେନ ଯୋଗେ । ବାପା ବୋଉ ଗାଁରେ ଥାନ୍ତି । ମୁଁ ପହଞ୍ଚିଲା ବେଳକୁ ସେମାନେ କଟକ ଫେରି ନଥିଲେ । ପୂର୍ବରୁ ଆଡ଼ମିସନ ପାଇଁ କଟକରେ ମେଡ଼ିକାଲ କଲେଜରେ ଦରଖାସ୍ତ କରି ଯାଇଥିଲି । ବାପାଙ୍କର ଭାରି ଇଚ୍ଛାଥିଲା, ତାଙ୍କ ନିଜ ରୋଗ ଯୋଗୁଁ କି କ’ଣ ମୁଁ ଡାକ୍ତରୀ ପଢେ଼ । ସେଥିପାଇଁ ସ୍କଲରସିପ ମିଳିଥାନ୍ତା । କଟକରେ ରହିଥାନ୍ତି ।
କଲିକତାରୁ ଫେରି ଆସି ସେଇ ଦୁଇଖଣ୍ଡ କାଗଜକୁ, ଆଡ଼ମିସନ ଚିଠି ଓ ହଷ୍ଟେଲରେ ରହିବା ଅନୁମତି ପତ୍ର ମୋର ବଂଧୁ ବାଂଧବ ଇତ୍ୟାଦି ସମସ୍ତଙ୍କୁ ଦେଖାଉଥାଏ । ଯେପରିକି ମୁଁ କୌଣସି ଗଡ଼ ଜିତି ଆସିଛି ଓ ଏ ଦୁଇଟି ତାର ପ୍ରମାଣ ପତ୍ର । ଦୁଇ ତିନି ଦିନପରେ ବାପା ଗାଁ’ରୁ ଆସି କଟକରେ ପହଞ୍ଚିଲେ । ଗାଁ’ରୁ ଆମ୍ବ, ପଣସ, ଜାମୁରୋଳ ଆଣିଥାନ୍ତି । ପହଞ୍ଚୁ ନ ପହଞ୍ଚୁଣୁ ଦୁଆର ମୁହଁରୁ ମୋ’ ନାଁ ଧରି ବଡ଼ ପାଟିରେ ଡାକ ଦେଲେ । ମୁଁ ଦଉଡ଼ି ଯାଇ ତଳ କବାଟ ଖୋଲିଲି । ପାଦତଳେ ପ୍ରଣାମ ଜଣାଇଲି । ଗାଁରୁ ଆଣିଥିବା ଜିନିଷ ଦେଖାଇ କହିଲେ ଉପରକୁ ଚାଲ । ସେତେବେଳକୁ ସେ ଥକ୍କା ହୋଇ ଫେରିଥାନ୍ତି । ଯେତେ ଇଚ୍ଛା ଥିଲେ ବି ମୁଁ ସଂଗେ ସଂଗେ, ଇତିମଧ୍ୟରେ ତାଙ୍କର ଅନୁପସ୍ଥିତିରେ କଲିକତାର ମୋର ଏ ଗୌରବର ଗାଥା ତାଙ୍କୁ ଶୁଣାଇପାରିଲି ନାହିଁ । ଗାଧୁଆ ପାଧୁଆ ସାରି ଖିଆ ପିଆ ପରେ ସେମାନେ ଶୋଇଲେ । ଉଠିଲା ବେଳକୁ ପ୍ରାୟ ସଂଧ୍ୟା । ବୋଉ ବାପା ଦି’ଜଣଯାକ ଏକାଠି ବସିଥାନ୍ତି । ରୋଷେଇଆଟି ଗାଁରୁ ଆସିଥିବା ଫଳମୂଳ ସବୁ ସଜାଇ ରଖୁଥାଏ । ଖୁବ ଭଲ ମନରେ ଥିଲେ । ମୁଁ ତାଙ୍କୁ କିଛି ନ କହି ସେ ଦୁଇଖଣ୍ଡ କାଗଜ ତାଙ୍କ ହାତକୁ ବଢ଼ାଇଦେଲି । କାଗଜକୁ ଭଲଭାବରେ ଦେଖି କିଛି ସମୟ ପରେ ପଚାରିଲେ ତୁ କ’ଣ ସେଠିକୁ ଯାଇଥିଲୁ? ମୁଁ ହଁ ଭରିଲି । କଲିକତା ଯିବା କଥା ଶୁଣି ପଚାରିଲେ କେମିତି ଗଲୁ? ମୁଁ କହିଲି ବଟଭାଇ ସାଂଗରେ । ଆଉ ଆପଣ ଦେଇଥିବା ଅଧରବାବୁଙ୍କର ଦୁଇମାସର ଘରଭଡ଼ା ମୋ ପାଖରେ ଥିଲା । ସେ କିଛି କହିଲେ ନାହିଁ । ତା’ପରେ ତାଙ୍କୁ ଅନ୍ୟ ଦୁଇ ତିନିଜଣଙ୍କ ନାଁ କହିଲି, ଯେଉଁମାନେ କି ପ୍ରେସିଡେନ୍ସିରେ ପଢ଼ିବା ପାଇଁ ଯାଉଛନ୍ତି । ସେମାନଙ୍କ ବାପାଙ୍କ ନାଁ ମଧ୍ୟ କହିଲି ।
ସେ କାଗଜ ଦୁଇଖଣ୍ଡ ଦେଖି ଆଉ ମୋ’ କଥା ଶୁଣି କିଛି ସମୟ ନିସ୍ତବ୍ଧ ରହିଲେ । କ୍ରମେ କ୍ରମେ ତାଙ୍କ ଆଖିରେ ଲୁହ ଭରିଗଲା । ସମ୍ବରଣ ନ କରିପାରି ସେ ଲୁହ ଗାଲ ଉପରକୁ ବୋହି ଆସିଲା । ପାଖରେ ବୋଉ ବସିଥାଏ । ସେ କିଛି ବୁଝିପାରୁ ନ ଥାଏ । ବାପା ସେଇ କାନ୍ଦ କାନ୍ଦ ସ୍ୱରରେ କହିଲେ- ତୁ ଯେଉଁମାନଙ୍କ ନାଁ କହିଗଲୁ ସେମାନେ ହାଇକୋର୍ଟ ଜଜ, ଡାଇରେକଟର ଆଉ ଭାଇସଚାନସେଲରଙ୍କ ପିଲାମାନେ । ତୁ କାହା ସାଂଗେ କାହାକୁ ତୁଳନା କରୁଛୁ? ହୁଏତ ଆଡ଼ମିସନ ନେଇଯିବୁ କିନ୍ତୁ ପ୍ରତ୍ୟେକ ମାସରେ ସେଠିକା ଖର୍ଚ୍ଚ ଅସମ୍ଭବ । ବରଂ ଏଠି ମେଡିକାଲରେ ପଢ଼ । ସ୍କଲରସିପ ପାଇବୁ ।
ସେଇ ଗୋଟାଏ ମୁହୂର୍ତ୍ତରେ ମୋର ସବୁ ଭବିଷ୍ୟତର କଳ୍ପନା, ଆଶା, ସ୍ୱପ୍ନ ସବୁ ଭାଂଗି ଚୁରମାର ହୋଇଗଲା । ଭାବୁଥିଲି ଆମକୁ ସବୁ ଜମିଦାର ବୋଲି କହୁଥିଲେ । ଜାଣି ନଥିଲି ଯେ ସେମାନେ ଅତୀତକୁ ବର୍ଣ୍ଣନା କରୁଛନ୍ତି । ମୁଁ ଜାଣି ନଥିଲି ଯେ ଆମ ଭିତରେ ପାର୍ଥକ୍ୟଟା ଏତେ ଗହୀରିଆ । କିଛିଟା ନିଃସ୍ୱ ହେଲାଭଳି ଓ ଭାରି ଅପମାନିତ ଲାଗିଲା । ମୁଁ ଚୁପ ହୋଇ ବସି ରହିଲି । ମୋର ଚାରିଆଡ଼ୁ ମାଟି ଯେପରି ତଳକୁ ଖସିଯାଉଥାଏ । ମନଭିତରେ କୋହ ଆସୁଥାଏ । ନିଜକୁ ଅନେକ ଛୋଟ ମନେକଲି । ଅନ୍ୟମାନଙ୍କ ସାଂଗରେ ଯେ ନିଜକୁ ସମାନସ୍କନ୍ଧ ବୋଲି ଭାବୁଥିଲି ସେଥିପାଇଁ ଲଜ୍ଜା ଲାଗିଲା । ଭାବିଲି ଏଇଟାକୁ ବୋଧେ ଭାଗ୍ୟ କହନ୍ତି । ତାରି ପାଖରେ ଶରଣ ଛଡ଼ା ଆଉ କିଛି ବିକଳ୍ପ ଭାବନା ଦିଶିଲା । ନାହିଁ । ବୋଉ ଗାଁରୁ ଆସିଥିବା ଆମ୍ବ, ଜାମୁରୋଳ ଯାଚିଲା । ଖାଇ ପାରିଲି ନାହିଁ । ସେଠୁ ଉଠିଆସିଲି ନିଜ ପଢ଼ାଘରକୁ । କାନ୍ଦି ବି ପାରିଲି ନାହିଁ ।
ତା’ପରଦିନ ମାନଙ୍କରେ ବାୟା ଭଳି ବୁଲିଲି । ଯେଉଁମାନଙ୍କୁ ସବୁ କିଛିଟା ଗର୍ବରେ ସେ କାଗଜ ଦେଖାଇଥିଲି, ସେମାନଙ୍କୁ କହିଦେଇ ଆସିଲି, ନା ଭାଇ ମୁଁ ସେଠିକୁ ପଢ଼ିବା ଲାଗି ଯାଉନାହିଁ । ସେମାନେ ବି ଖୁସିହେଲେ । ସେ ଦୁଇଖଣ୍ଡ କାଗଜକୁ ଟେବୁଲ ଉପରେ ରଖିଥାଏ । ମନ ଭିତରେ କଲିକତାର ସେ ଭଦ୍ରବ୍ୟକ୍ତିଙ୍କର ରୂପ ଓ ସେ ଦିନର କଥା ଚିନ୍ତା କରୁଥାଏ । ସବୁବେଳେ ଆନମନା ରହୁଥାଏ । ବାପା ଏହାକୁ ଲକ୍ଷ୍ୟ କରୁଥାନ୍ତି । ମୋ ସାଂଗରେ ବିଶେଷ କଥାବାର୍ତ୍ତା କରୁ ନଥାନ୍ତି । ଏଇମିତି କିଛିଦିନ ବିତିଗଲା । ତଥାପି ବି ସମୟ ବାକିଥାଏ ଆଡ଼ମିସନ ପାଇଁ କଲିକତା ପ୍ରେସିଡେନ୍ସି ଓ କଟକ ମେଡ଼ିକାଲରେ ।
ଗୋଟାଏ ଅସମ୍ଭବ ଘଟଣା ଘଟିଲା । ଯାହା ସେତେବେଳକାର ଆଶା ଓ କଳ୍ପନାର ବାହାରେ ଥିଲା । ଅନେକ ଦିନ ଆଗରୁ, ପ୍ରାୟ ବାପାଙ୍କର ଚାକିରି ଆରମ୍ଭରୁ ଗୋଟାଏ କୋଅପରେଟିଭ ସୋସାଇଟିରେ ଇନସୁରାନ୍ସ ବାବଦରେ କି କ’ଣ କିଛି କିଛି ଟଙ୍କା ମଝିରେ ମଝିରେ ସେ ରଖୁଥିଲେ । ସେ କୋଅପରେଟିଭ ଇନସୁରାନ୍ସ ସୋସାଇଟି ଭାଙ୍ଗିଯାଇଥାଏ ଅନେକ ଦିନ ଆଗରୁ । ତାର ସବୁ ହିସାବପତ୍ର ଚାଲିଥାଏ, ବିଭିନ୍ନ ଡିପୋଜିଟର୍ମାନଙ୍କର ପ୍ରାପ୍ୟ ସଂକ୍ରାନ୍ତରେ । ସେଇଥିରୁ ବାପାଙ୍କ ବାଣ୍ଟରେ କିଛି ଟଙ୍କା ପଡ଼ିଲା । ପରିମାଣ ମୋର ଠିକ ମନେ ନାହିଁ । ତେବେ ସେତକ ପ୍ରେସିଡେ଼ନ୍ସିରେ ପଢ଼ାଇବା ପାଇଁ ଯଥେଷ୍ଟ ବୋଲି ଭାବୁଥାନ୍ତି ।
ଦିନକର କଥା । ମୋ’ କାନ୍ଧ ଥାପୁଡ଼ାଇ କହିଲେ ଚାହୁଁଥିଲୁ ପରା ପ୍ରେସିଡେ଼ନ୍ସିରେ ପଢ଼ିବୁ? ଏବେ ତୁ ଯା । ମୁଁ ପଚାରିଲି ଖର୍ଚ୍ଚ? କହିଲେ, ବାପା ଗରିବ ହେଲେ ବି ଭାଗ୍ୟ ଗରିବ ନୁହେଁ । ତା’ ପରେ ମୁଁ ପୁଣି କଲିକତା ଗଲି । ଆଡ଼ମିସନ ନେଲି । ହଷ୍ଟେଲରେ ରହିଲି । ଠାକୁରଙ୍କୁ ମୁଣ୍ଡ ଲଗାଇ ଦଣ୍ଡବତ କଲି । କଲିକତାରେ ପ୍ରଥମେ ବଟଭାଇ ଘରେ ଉଠିଲି । ତାଙ୍କୁ ସବୁକଥା ଟିକେ ଟିକେ କହିଲି । ଭାରି ଖୁସି ହେଲେ । ମୁଁ ପୁଣି ସ୍ୱପ୍ନ ଦେଖିବା ଆରମ୍ଭ କଲି ।
………………..
ସୌଜନ୍ୟ : ସାନ ଗୋଟିଏ ଜୀବନ (ଆତ୍ମଜୀବନୀ)
Comments are closed.