Latest Odisha News

BREAKING NEWS

ପେଟେଣ୍ଟ ମେଡିସିନ ପରେ କ୍ଷମା ମାଗିଲେ କି ବାବୁସାନ ?

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଗଳ୍ପ ପେଟେଣ୍ଟ ମେଡିସିନ(1913)ରେ  ଶହେ ବର୍ଷ ତଳେ କିପରି ସ୍ତ୍ରୀମାନେ ପରିବାର ସଜାଡିବାକୁ ଝାଡୁ ବ୍ୟବହାର  କରୁଥିଲେ ତାହା ବର୍ଣ୍ଣନା ହୋଇଛି । ବ୍ୟାସକବି ଫକୀର ମୋହନ ସେନାପତି ତାଙ୍କ ଗଳ୍ପ ଆରମ୍ଭରେ ଲେଖିଥିଲେ- ସାଆନ୍ତାଣୀଙ୍କର ଟାଣୁଆ ହୁକୁମ ଜାରି, ରାତି ତ ରାତି, ଦିନବେଳେ ବି ବାବୁ ଯେମିତି ଏ ଘରୁ ଗୋଡ କାଢି କାହିଁ କୁଆଡେ ବି ଯାଇପାରିବେ ନାହିଁ ।

କିନ୍ତୁ ବାବୁ କଣ ମାନିବା ଲୋକ  ।  ବଦଭ୍ୟାସ କାରଣରୁ ପୁଣି ସେ ଘରୁ ଗୋଡ କାଢ଼ିଗଲେ । ଆଉ ରାତି ଅଧିରେ ଘରକୁ ଫେରିବା ପରେ ଯାହା ହେଲା ତାହା ମଧ୍ୟ ଲେଖିଛନ୍ତି ଫକୀର ମୋହନ ସେନାପତି ତାଙ୍କ ଗଳ୍ପ ପେଟେଣ୍ଟ ମେଡିସିନରେ ।

-‘‘ସାଆନ୍ତାଣୀ ତ କ୍ରୋଧରେ ଅଜ୍ଞାନ । ତେଣୁ ସେ କହିଲେ, “ହଁ ରେ ମୋ ମୁଣ୍ଡ ଛୁଇଁ, ମୋ ମରିବାକୁ ତ ତୁ ଚାହିଁଛୁ?” ଘରେ ଗୋଟିଏ ଛାଂଚୁଣୀ ପଡିଥିଲା; ସେଇଟା ଧରି ସୂଲଚନା ଦେ ପ୍ରହାର – ପ୍ରହାର – ମୁଣ୍ଡରେ, ପିଠିରେ, ହାତରେ ଯେଉଁଠି ବାଜୁ । ଶେଷରେ ସେ ବାବୁ ଆଉ ସମ୍ଭାଳି ପାରିଲେ ନାହିଁ, ଦେ ଦୌଡ! ନିଶା ଝୁଙ୍କରେ ଗୋଡ ଦିଟା ତାଙ୍କର ଖାଲି ଟଳମଳ ହେଉଛି । ଦୁଲଦାଲ ହୋଇ ତେଣୁ ସେ ପଡିଗଲେ । ତା’ ଉପରେ ବି ପାଣି ଅସରା ପରି ଛାଂଚୁଣୀ ପଡୁଛି’’  ଏ ହେଉଛି ବ୍ୟାସକବି ଫକୀରମୋହନଙ୍କ  କ୍ଷୁଦ୍ରଗଳ୍ପ ପେଟେଣ୍ଟ ମେଡିସନର କିଛି ଅଂଶ ।

ଗପର କାହାଣୀର ସାରାଂଶ ହେଉଛି ଚନ୍ଦ୍ରମଣୀବାବୁଙ୍କ ସବୁ ବଦଭ୍ୟାସ ଯୁବକ ସମୟରୁ ଥିଲା ।  ଆଗରୁ ଚନ୍ଦ୍ରମଣୀବାବୁଙ୍କର ମଦପିଆ, ବାହାର ବୁଲା , କୁସଙ୍ଗ, ଉସମାନ ତାରା ସହ ଗପସପ ଭଳି ଯେତେ ମନ୍ଦ ଅଭ୍ୟାସ ଥିଲା ତାହା କିନ୍ତୁ  ଏକାଥରକେ ସ୍ତ୍ରୀଙ୍କ ଛାଞ୍ଚୁଣି ମାଡ଼ ଖାଇବାପରେ ବଦଳିଯାଇଥିଲା ।

ତେବେ ସେଭଳି ଏକ ରୋଚକ ଘଟଣା ଘଟିଥିଲା ରାଜଧାନୀରେ । ଦିନ ଥିଲା 2022 ମସିହା ଜୁଲାଇ 23 ତାରିଖ  । ଲୋକପ୍ରିୟ ନାୟିକା ପ୍ରକୃତି ମିଶ୍ରଙ୍କ ସହ ବାବୁସାନଙ୍କ ପତ୍ନୀ ମଝି ରାସ୍ତାରେ ଟଣା ଓଟରା ଘଟଣା ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା । ଯାହା କି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଏହାକୁ ନେଇ ସେତେବେଳେ ଗାଁଠୁ ଆରମ୍ଭ କରି ସହର ସବୁଠି ଚର୍ଚା ହୋଇଥିଲା ।  ବାବୁସାନ ଏବଂ ତୃପ୍ତିଙ୍କ ପାରିବାରିକ ଝାମେଲାକୁ ନେଇ ଲୋକେ କିଏ କେତେ ପ୍ରକାର କଥା କହିଥିଲେ ।

ଏବେ ପୂର୍ବ ଘଟଣାକୁ ନେଇ  ଅଭିନେତା ବାବୁସାନ୍  ଭିଡ଼ିଓ କରି କ୍ଷମା ମାଗିଛନ୍ତି   । ନିଜେ ଅନୁତପ୍ତ ହେବା ସହ  ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି  ଅଭିନେତା ବାବୁସାନ  ।   ଏମିତି ଭୁଲ ଆଉ କେବେ ହେବନି ବୋଲି ସେ କହିବାକୁ ଚାହିଁଛନ୍ତି । ସମଗ୍ର ଓଡିଶାବାସୀଙ୍କୁ ଭୁଲ ମାଗିଛନ୍ତି ବାବୁସାନ ମହାନ୍ତି ।  ଭିଡ଼ିଓରେ ବାବୁସାନ କହିଛନ୍ତି, ମୋ ସ୍ତ୍ରୀ ଓ ଶ୍ବଶୂର ବହୁତ କଷ୍ଟ ପାଇଲେଣି । ସେମାନଙ୍କ ନାମରେ ମକଦ୍ଦମା ହୋଇଛି । ତେଣୁ ଆଗକୁ ଏଭଳି ଭୁଲ ଆଉ କେବେ କରିବିନି । ସ୍ତ୍ରୀ ଏବଂ ଶ୍ୱଶୁରଙ୍କର କିଛି କ୍ଷତି ହେବନି ବୋଲି କହିଛନ୍ତି ବାବୁସାନ୍  ।

ଅବଶ୍ୟ  ଫକୀରମୋହନଙ୍କ ଗଳ୍ପରେ କିଛି ଅଲଗା ଥିଲା ଆଉ ଏଠି ଘଟଣା କିଛି ଅଲଗା ଅଛି  । ସେଠି ସ୍ତ୍ରୀ ସୁଲୋଚନାଙ୍କ ମାଡ଼ରେ ଅନୁତାପ କରିଥିଲେ  ଚନ୍ଦ୍ରମଣୀ ବାବୁ । ସ୍ତ୍ରୀଙ୍କ ଠାରୁ ମାଡ଼ ଖାଇ ସେ ଆଖିରେ ଅନୁତାପ କରିଥିଲେ । ସ୍ତ୍ରୀଙ୍କର ଭଲପାଇବା, ସ୍ନେହ, ମମତା ଓ କଷ୍ଟକୁ ବୁଝିପାରିଥିଲେ । ତାପରେ ବଦଳିଯାଇଥିଲେ ।

ଫକୀର ମୋହନ ଲେଖିଛନ୍ତି । ଦୁଇମାସ ଗଲା, ଚାରିମାସ ଗଲା, ଛ’ ମାସ ବି ଗଲାଣି । ସାଇପଡିଶା, ଜ୍ଞାତି ବନ୍ଧୁ-ବାନ୍ଧବମାନେ ଦେଖିଲେ, ଚନ୍ଦ୍ରମଣିବାବୁଙ୍କ ଘରେ ରୋଜ ସକାଳେ ଯେ ଦୁଇ ଜଣଙ୍କ ମଧ୍ୟରେ ଭଟ୍ ଭଟ୍ ଲାଗିଥାଏ, ସେସବୁ ଆଉ କିଛି ଶୁଣାଶୁଣି ନାହିଁ । ଦୁଇଜଣ ଏକ ଜାଗାରେ ବସି ହସି ଖୁସି କଥାବାର୍ତ୍ତା କରନ୍ତି, କିତାବ ପଢନ୍ତି ।  ସହର ଲୋକେ ସାଙ୍ଗସୁଙ୍ଗା ବାବୁମାନେ ଏସବୁ ଦେଖିଶୁଣି ବଡ ଆଶ୍ଚର୍ଯ୍ୟ ।

ଠିକ୍ ଏଭଳି ଏବେ ଦେଖିବାକୁ ମିଳିଛି ବାବୁସାନଙ୍କ କ୍ଷେତ୍ରରେ ।  ପତ୍ନୀଙ୍କର ଏଭଳି ପଦକ୍ଷେପ ପରେ ସେ ବଦଳିଯାଇଛନ୍ତି । ପରିବାରରେ ସୁଖ ଫେରି ଆସିଛି । ଏହା ବି ଭଲ କଥା । ବାବୁସାନଙ୍କ ଘର ସଜାଡି ହୋଇଗଲେ ସମସ୍ତେ ଖୁସିହେବେ । ଓଡ଼ିଶାବାସୀଙ୍କ ଖୁସି ହେବେ । କାରଣ ଅପରାଜିତା ଏବଂ ଉତ୍ତମ ମହାନ୍ତିଙ୍କ ପରିବାର ସୁଖ ଶାନ୍ତିରେ ରହୁ ଏହା ବି ସାଧାରଣ ଜନତା ଚାହାଁନ୍ତି । ଏହା ସହ  ଦୁଇ ପରିବାର ମଧ୍ୟରେ ଯେପରି ଝଡ ସୃଷ୍ଟି ହୋଇଥିଲା ତାହା ମଧ୍ୟ ଶାନ୍ତ ହୋଇଯିବ ।

ଏଠାରେ କହିବାକୁ ପଡିବ ନାହିଁ । ସେଦିନର ଘଟଣା ଆଜିର ଦୃଶ୍ୟ ସହ କେତେ ମେଳ ଖାଉଛି ।  କହିବା ବାହୁଲ୍ୟ ଏବେ ସାଧାରଣରେ ଯାହା ଚର୍ଚା ହେଉଛି ତାହା ହେଲା ଅବୁଝା ସ୍ବାମୀମାନଙ୍କ ପାଇଁ ପେଟେଣ୍ଟ ମେଡିସନର ଆବଶ୍ୟକତା ଅଛି କି? କାରଣ, ସବୁ ସମୟରେ, ସବୁ ଜାଗାରେ ସେ ମେଡିସିନ ପରିବାର ସଜାଡିବାରେ କାମ ଦେଉଛି ।

Leave A Reply

Your email address will not be published.