ବ୍ରହ୍ମପୁର: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ଲାଞ୍ଚ କାରବାର ବୃଦ୍ଧି ପାଇବାରେ ଲାଗିଛି ।
ବୁଧବାର ରାତିରେ ପୁଣି ଏକ ଏଭଳି ଲାଂଚ ଘଟଣା ଘଟିଛି । ଜଣେ ଗରିବ ମହିଳାଙ୍କୁ ପ୍ରସବ ପରେ ବଳପୂର୍ବକ ଲାଞ୍ଚ ମାଗିବାକୁ ନେଇ ଏହି ବିଭାଗର ଦୂଇଜଣ କାର୍ଯ୍ୟରତ ନର୍ସ ଧରାପଡ଼ିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସେମାନେ ଟଙ୍କା ଫେରାଇବା ସହ ନିଜ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଲିଖିତ ଭାବେ କ୍ଷମା ପ୍ରାର୍ଥନା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ପୁରୁଷୋତ୍ତମପୁର ଅଞ୍ଚଳର ଜଣେ ଗର୍ଭବତୀ ଦୁଇ ଦିନ ପୂର୍ବେ ଏମକେସିଜିର ପ୍ରସୂତି ବିଭାଗ ଲେବର ରୁମରେ ଭର୍ତ୍ତି ହୋଇଥିଲେ। ବୁଧବାର ରାତିରେ ତାଙ୍କର ଅସ୍ତ୍ରୋପଚାର ହୋଇ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ଶିଶୁ ଜନ୍ମ ହେବା ପରେ ଅସ୍ତ୍ରାପଚାର ଗୃହରେ କାର୍ଯ୍ୟରତ ଦୁଇ ଜଣ ନର୍ସ ଉକ୍ତ ମହିଳାଙ୍କ ଭାଇଙ୍କୁ ଲାଞ୍ଚ ମାଗିଥିଲେ । ସେ ଉଭୟ ନର୍ସଙ୍କୁ ୫ଶହ ଟଙ୍କା ଦେଇଥିଲେ ।
ତେବେ ଏନେଇ ମହିଳାଙ୍କ ଭାଇ ଏହି ମେଡ଼ିକାଲରେ କାର୍ଯ୍ୟରତ ଜଣେ ନର୍ସିଂ ଅଫିସରଙ୍କୁ କହିଥିଲେ। ସଂପୃକ୍ତ ନର୍ସିଂ ଅଫିସର ଜଣକ ହେଉଛନ୍ତି ମହିଳାଙ୍କ ସଂପର୍କୀୟ। ନର୍ସିଂ ଅଫିସର ଜଣଙ୍କ ଲାଞ୍ଚ ନେଇଥିବା ଦୁଇ ନର୍ସଙ୍କୁ ପଚରା ଉଚରା କରିଥିଲେ । ଏ ନେଇ ସେ ନର୍ସିଂ ସୁପରିଟେଣ୍ଡେଣ୍ଟ ପୂର୍ଣ୍ଣିମା ନାୟକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ନର୍ସିଂ ସୁପରିଟେଣ୍ଡେଣ୍ଟ ଉଭୟ ନର୍ସଙ୍କୁ ଡାକି ଘଟଣା ସମ୍ପର୍କରେ ପଚରାଉଚରା କରିବା ପରେ ସେମାନେ ଲାଞ୍ଚ ନେଇଥିବା ସ୍ବୀକାର କରିଥିଲେ ।
ଟଙ୍କା ଫେରାଇବା ପରେ ଭବିଷ୍ୟତରେ ଏଭଳି କରିବେ ନାହିଁ ବୋଲି ଲିଖିତ ଭାବେ ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ। ଘଟଣାର ତଦନ୍ତ ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏମକେସିଜି ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ଗଣମାଧ୍ୟମକୁ କହିଛନ୍ତି ।
ତେବେ ଏହା ପ୍ରଥମ ଘଟଣା ନୁହଁ । କିଛି ଦିନ ପୂର୍ବେ ଜଣେ ଆର୍ଥୀକ ଦୁର୍ବଳ ଶ୍ରେଣୀର ମହିଳା ସନ୍ତାନ ଜନ୍ମ ଦେବା ପରେ ତାଙ୍କ ବାପାଙ୍କୁ ସୁରକ୍ଷା କର୍ମଚାରୀ ଜଣକ ଟଙ୍କା ମାଗୁଥିବାର ଭିଡ଼ିଓ ଭାଇରାଲ୍ ହୋଇଥିଲା। ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଭାଗକୁ ଆସୁଥିବା ଅଧିକାଂଶ ଗର୍ଭବତୀଙ୍କ ସମ୍ପର୍କୀଙ୍କ ଠାରୁ ସୁରକ୍ଷା କର୍ମଚାରୀ, ନର୍ସ ଏବଂ ଅନ୍ୟ ତଳିଆ କର୍ମଚାରୀମାନେ ଲାଞ୍ଚ ଦାବି କରୁଥିବା ନେଇ ଅଭିଯୋଗ ପୂର୍ବରୁ ମଧ୍ୟ ହୋଇଛି । ଅଭିଯୋଗ ପରେ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି ପରେ ମଧ୍ୟ ଲାଞ୍ଚ କାରବାର କମୁନାହିଁ।
Comments are closed.