Latest Odisha News

 “ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ଲେଖିବା ଏବଂ ରିପୋର୍ଟିଂ କରିବା” କର୍ମଶାଳା

ଭୁବନେଶ୍ୱର : ଗଣମାଧ୍ୟମରେ ଲିଙ୍ଗଗତ ସମାନତା ତଥା ସମ୍ବେଦନଶୀଳତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୟୁନିସେଫ୍‌, ଓଡ଼ିଶା ତରଫରୁ ସ୍ଥାନୀୟ ହୋଟେଲ କ୍ରାଉନ ଆନୁକୂଲ୍ୟରେ ସାମ୍ବାଦିକମାନଙ୍କ ପାଇଁ “ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ଲେଖିବା ଏବଂ ରିପୋର୍ଟିଂ କରିବା” ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଥିଲା ।

ସାମ୍ବାଦିକମାନେ କିପରି ସେମାନଙ୍କର କାହାଣୀକୁ ଅଧିକ ଲିଙ୍ଗଗତ ସମ୍ବେଦନଶୀଳ କରିପାରିବେ, ସାମାଜିକ ପ୍ରତିବନ୍ଧକକୁ ପ୍ରତିହତ କରି କିପରି ମହିଳାମାନଙ୍କ ସ୍ୱର ସମାନ ଭାବରେ ଶୁଣାଯିବ ତାହା ସମ୍ବନ୍ଧୀୟ ଟିପ୍ସ ଥିବା ଏକ ଚେକ୍‌ଲିଷ୍ଟ୍ ଏହି କର୍ମଶାଳାରେ ସମ୍ବାଦିକମାନଙ୍କୁ ପ୍ରଦାନ କରାଯାଇଥିଲା । ବିଜ୍ଞାପନ, ପ୍ରକାଶନ, ଲେଖା, ଚିତ୍ର ଇତ୍ୟାଦି ମାଧ୍ୟମରେ ମହିଳାଙ୍କର ଅଶ୍ଳୀଳ ଚିତ୍ରକୁ ବାରଣ କରିବାକୁ ଆଇନ ଯେପରିକି ମହିଳାମାନଙ୍କର ଅଶ୍ଳୀଳ ଉପସ୍ଥାପନା (ନିଷେଧ) ଅଧିନିୟମ, ୧୯୮୬ ରହିଛି ତାହା ଉପରେ ଆଲୋକପାତ କରାଯାଇଥିଲା ।

 

କର୍ମଶାଳାର ଆରମ୍ଭରେ ୟୁନିସେଫ୍ ଓଡ଼ିଶାର ଯୋଗାଯୋଗ ତଥା ଆଡ଼ଭୋକାସୀ ବିଶେଷଜ୍ଞ ରାଧିକା ଶ୍ରୀବାସ୍ତବ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ପ୍ରସଙ୍ଗକୁ ଉପସ୍ଥାପିତ କରିଥିଲେ । ୟୁନିସେଫ୍ ଓଡ଼ିଶା କ୍ଷେତ୍ରୀୟ ଅଫିସର ମୁଖ୍ୟ ଡ଼ଃ. ମୋନିକା ନିଲସନ ମଧ୍ୟ ଗଣମାଧ୍ୟମକୁ ସମ୍ବୋଧିତ କରି ଲିଙ୍ଗଗତ ସମାନତା ଉପରେ ୟୁନିସେଫ୍‌ର ପ୍ରତିବଦ୍ଧତା ବିଷୟରେ କହିଥିଲେ । ୟୁନିସେଫ୍ ନୂଆଦିଲ୍ଲୀର ଲିଙ୍ଗଗତ ବିଶେଷଜ୍ଞ ରାଧିକା ଦାସ ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ପ୍ରମୁଖ ବାର୍ତ୍ତା ପ୍ରଦାନ କରିଥିଲେ । ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌ର ବରିଷ୍ଠ ଖବର ସମ୍ପାଦିକା ଶ୍ରୀମତୀ କସ୍ତୁରୀ ରାୟ ସମଗ୍ର କର୍ମଶାଳାକୁ ପରିଚାଳନା କରିଥିଲେ ।

ଅଂଶଗ୍ରହଣକାରୀମାନେ ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ରିପୋର୍ଟିଂ କରିବା ସମୟରେ ନିଜର କର୍ମକ୍ଷେତ୍ର ଏବଂ ବାହ୍ୟ ପରିବେଶରେ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ବାଧାବିଘ୍ନ ସମ୍ପର୍କରେ ଆଲୋଚନା ହୋଇଥିଲା, ବିଶେଷକରି ଗଣମାଧ୍ୟମ ସଂସ୍ଥାଗୁଡ଼ିକରେ ମହିଳାମାନଙ୍କୁ ନିଷ୍ପତ୍ତି ନେବାର ଅଧିକାର ପ୍ରଦାନ କରାଯାଇନଥାଏ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।

ଗଣମାଧ୍ୟମକୁ ସମ୍ବୋଧିତ କରିବା ଅବସରରେ ୟୁନିସେଫ୍ ଓଡ଼ିଶା କ୍ଷେତ୍ରୀୟ ଅଫିସର ମୁଖ୍ୟ ଡ଼ଃ. ମୋନିକା ନିଲସନ କହିଥିଲେ, “ସମସ୍ତ ଶିଶୁଙ୍କ ଅଧିକାରକୁ ବଜାୟ ରଖିବା ପାଇଁ ୟୁନିସେଫ୍‌ର ଜନାଦେଶକୁ ହୃଦୟଙ୍ଗମ କରିବା ନିମନ୍ତେ ଲିଙ୍ଗଗତ ସମାନତା ଜରୁରୀ ଅଟେ । ଲିଙ୍ଗଗତ ପକ୍ଷପାତିତା ଉଭୟ ପୁଅ ଏବଂ ଝିଅଙ୍କର କ୍ଷତି ସାଧନ କରିଥାଏ ।


ଲିଙ୍ଗଗତ ବିଷୟ ଉପରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ୟୁନିସେଫ୍ ଓଡ଼ିଶାର ଯୋଗାଯୋଗ ତଥା ଆଡ଼ଭୋକାସୀ ବିଶେଷଜ୍ଞ ରାଧିକା ଶ୍ରୀବାସ୍ତବ କହିଥିଲେ, “ବ୍ୟକ୍ତିର ମାନସିକତା ଏବଂ ଧାରଣାକୁ ପରିବର୍ତ୍ତନ କରିବାରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଲିଙ୍ଗଗତ ସମ୍ବେଦନଶୀଳତାକୁ ପ୍ରୋତ୍ସାହିତ କରୁଥିବା ଗଣମାଧ୍ୟମ ଏହାର ବହୁଳ ପ୍ରସାର କରିପାରିବା ସହିତ ଆମ ସମାଜରେ ପ୍ରଚଳିତ ପିତୃପୁରୁଷ ପ୍ରଥାକୁ ଆହ୍ୱାନ କରିପାରିବ ।”

ଲିଙ୍ଗଗତ ସମାନତାର ବିଭିନ୍ନ ପର୍ଯ୍ୟାୟକୁ ୟୁନିସେଫ୍ ନୂଆଦିଲ୍ଲୀର ଲିଙ୍ଗଗତ ବିଶେଷଜ୍ଞ ରାଧିକା ଦାସ ବର୍ଣ୍ଣନା କରିଥିଲେ । ସେ କହିଥିଲେ, “ଖବର ପ୍ରକାଶନର ନିଷ୍ପତ୍ତି ନେଉଥିବା ସମ୍ପାଦକୀୟ ବିଭାଗଠାରୁ ଆରମ୍ଭ କରି ଖବର ଏକାଠି ହୋଇ ରହୁଥିବା ସ୍ଥାନ, ହେଡ଼ଲାଇନ ଓ ଭକ୍ଟକ୍ସରଆଲ ସହିତ କାହାଣୀର ଅନ୍ତିମ ପ୍ରକାଶନ ପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଉଥିବା ସ୍ଥାନ ପର୍ଯ୍ୟନ୍ତ ସମ୍ବାଦ ପ୍ରସ୍ତୁତିର ସମସ୍ତ ସ୍ତରରେ ଲିଙ୍ଗଗତ ସମାନତାକୁ ବିଚାର କରାଯିବାର ଆବଶ୍ୟକତା ରହିଛି ।

କର୍ମଶାଳାରେ ଉପସ୍ଥିତ ସାମ୍ବାଦିକ/ ସାମ୍ବାଦିକାମାନଙ୍କ ମଧ୍ୟରେ ଏକ ଗୋଷ୍ଠୀ କାର୍ଯ୍ୟକଳାପର ଆୟୋଜନ କରାଯାଇଥିଲା । କାର୍ଯ୍ୟରତ ସାମ୍ବାଦିକ/ ସାମ୍ବାଦିକାମାନେ ଲିଙ୍ଗଗତ ପକ୍ଷପାତିତାର ରିପୋର୍ଟିଂ ଏବଂ ଲେଖବା ସମୟରେ ସାମ୍ନା କରୁଥିବା ଆହ୍ୱାନ ଏବଂ ଏହା ଉପରେ ସେମାନଙ୍କର ଚିନ୍ତାଧାରାକୁ ପରିପ୍ରକାଶ କରିଥିଲେ । ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ସହିତ ସମ୍ମାନୀତ କରାଯାଇଥିଲା ।

Comments are closed.