Latest Odisha News

BREAKING NEWS

ଚୁପଚାପ୍

ଚୁପଚାପ୍

ଅମିୟ ବେଜ୍

ଆଜିକାଲିର ପିଲାଏ ! ସାଧାରଣ କଅଣ ? ଅସାଧାରଣ ଜ୍ଞାନର ମାଲିକ ସବୁ । ସେମାନଙ୍କୁ ଜଣାଥିବ ନିଶ୍ଚୟ ଯେ’ ମିରର୍ ରେ ପଛପାଖର ଘଟଣା-ଦୁର୍ଘଟଣା , ଆବଶ୍ୟକତା ଠାରୁ ଆଉରି ନିକଟତର ଦୃଶ୍ୟ ହୁଏ ବୋଲି । ତଥାପି ଦୁହେଁଯାକ ବେଫିକର୍ । ସମୟ ବୋଧେ ସରିଯିବ ଆଜିକପାଇଁ । କାଲିର ସୁଯୋଗଟିଏ ଭାଗ୍ୟ ହୋଇନପାରେବି । ଗୋଟେ ଚଳତମାନ ତିନିଚକିଆ ଅଟୋ ଗାଡ଼ିରେ ଦି’ଜଣ କେତେଯାଏଁ ଆତ୍ମସଂଲଗ୍ନ ହୋଇ ପାରିବେ ଆଉ ?

― ଆଉଚ୍ !

ଝିଅଟି ଚିତ୍କାର କଲା ।

― ଟିକେ ସ୍ଲୋ ଚଲାଅନା ପ୍ଲିଜ୍ ।

ପୁଅଟି ଆଦେଶମିଶା ଅନୁରୋଧ କଲା ।

ଏକ୍ସିଲିଟର୍ ରୁ ହାତ କାଢିଦେଲା ଚାଳକ ଅଟୋବାଲା । ହାତମୁଠା ଝାଳ ଲତପତ ହୋଇଯାଉଥିଲା ତା’ର । ଅବଶ୍ୟ ସନ୍ଧ୍ୟା ସମୟ ଥିଲା ଏବଂ ବର୍ଷା ଉଠେଇଥିଲା । ଏ ବ୍ୟସ୍ତ ସହରରେ ଗାଡି ଧିମା ଚଲାଇବାର ଅର୍ଥ ତୁମେ ଅଡୁଆ ଭୋଗିବ , ଅବା ଅନ୍ୟଠୁଁ ଗାଳି ଶୁଣିବ । ଦୁହିଁଙ୍କୁ ଏ ନେଇ ଆଦୌ ଚିନ୍ତା ନଥିଲା ।

ଇଚ୍ଛା ନକରିବି ଆଖି , ମିରର୍ କୁ ପହଞ୍ଚି ଯାଉଥିଲା ତା’ର । ଝିଅଟି ପୁଅଟିକୁ ଏଇକଥା ଇଶାରା କଲା । ବେଫିକର୍ ପିଲାଟି ଇଶାରାରେ ଉତ୍ତର ଫେରାଇଲା –

‘ ଯେ’ ଦେଖିଲେ ଦେଖୁ । ତୁମେ ଅନ୍ୟମନସ୍କ ହୁଅନା ଜମା ‘।

ଏବଂ ବର୍ଷା ଆରମ୍ଭ ହୋଇଗଲା । ଅଦିନିଆ ଥିବାରୁ ଧୂଳିଝଡ଼ ସହ ଘଡ଼ଘଡି ବି । ଚାଳକ ସ୍ୱାଭାବିକ ବ୍ୟସ୍ତ ହେବାର କାରଣ , ଗାଡିଟି ତା’ର ତିନିଚକିଆ ଥିଲା ।

― ଭାଈ ! ଦୁଇପଟର ପରଦା ବନ୍ଦ କରିଦିଅ ନା । ବର୍ଷାଛିଟା ପଡୁଛି ।

କଡ଼କୁ ଗାଡି କରି , ସେ’ ଯତ୍ନରେ କଳା ପରଦା ଖୋଲି ବାନ୍ଧିଦେଲା ଦୁଇକଡେ। ଏଥର ଗାଡି ନୁହଁ , ଘର ପାଲଟିଗଲା ସାମାନ୍ୟ ଅଟୋଟି । ଅବଶ୍ୟ ସେତେବେଳେ ଦୁହେଁ ପଛ ସିଟ୍ ରେ ଖୁବ୍ ସଂଜତ ହୋଇ ବସିଥିଲେ । ସେ’ ପୁଣି ଅଟୋ ଷ୍ଟାର୍ଟ କରି ପଚାରିଲା –

― ଲାଇଟ୍ ଜଳେଇଦେବି ?

― ନା ନା !

ଦୁହେଁଯାକ ଏକାଥରେ କହିପକାଇଲେ । ପିଲାଟି ଆହୁରି କଅଁଳେଇ କହିଲା –

― ଖଣ୍ଡଗିରି ଚାଲ ଭାଇ ।

― ବରମୁଣ୍ଡା ପରା ?

― ହଁ ଯେ’ ! ଏତେ ଜୋରେ ବର୍ଷା । ଭିଜିଯିବୁ ଆମେ । ତୁମେ ଚାଲ । ଆଉ ଶହେଟଙ୍କା ।

ସେ’ ଟିକେ ହସହସ ହେଲା । ଏଇବେଳେ ଟ୍ରକଟାଏ ଖୁବ୍ ଜୋରେ ଓଭରଟେକ୍ କରିଯିବାରୁ ଦଲକାଏ ରାସ୍ତା ପାଣି ଆସି ତା’କୁ ପାଖାପାଖି ଓଦା କରିଦେଲା । କାରଣ ସେ ଡ୍ରାଇଭର ପାଖର ପରଦାଟା’ ଦେଇ ନଥିଲା । ଝିଅଟି ହସ ସମ୍ଭାଳି ପାରିଲାନି।

― ତୁମ ପାଖଟା ବି ଦେଇ ଦିଅ ଭାଇ ।

ପିଲାଟି ଉପଦେଶ ଦେଲା ତା’କୁ । ସେ’ କୌଣସିମତେ ଗୋଟାଏ ହାତରେ ଷ୍ଟିଅରିଂ ସମ୍ଭାଳି ନିଜପାଖର ପରଦାକୁ ଓହ୍ଲାଇଦେଲା । ସେ’ ଚାହୁଁ ନଥିଲା ଝିଅଟି ଆଉରି ହସୁ । ବାହାର କାଚରେ ବର୍ଷା ପିଟୁଥିଲା ଏବଂ ଅଟୋଟି ଏବେ ସମ୍ପୂର୍ଣ୍ଣ ଅନ୍ଧାର ହୋଇସାରିଥିଲା । ତା’କୁ ଆଉ ବ୍ୟାକ୍ ମିରର୍ ଦୃଶ୍ୟ ହୋଇ ପାରିଲାନି ।

କେବଳ ସେ’ ବୁଝୁଥିଲା ଯେ’ , ଝିଅଟିର ମିଛ ବାରଣରେ ପୁଅଟି ଆଉରି ବ୍ୟସ୍ତ ହୋଇଯାଉଥିଲା ଏବଂ ସେଦୁହେଁ ଯଥାସମ୍ଭବ ନୀରବତା ରଖିବାର ଚେଷ୍ଟାରେ ଥିଲେ । ଇଚ୍ଛାକରି ଗାଡିଟାକୁ ଖଣ୍ଡଗିରି ଛକରୁ ଡାହାଣକୁ ବୁଲେଇଦେଲା ଚାଳକ ଏଥର । କାରଣ ତା’କୁ ପାସେଞ୍ଜର ଦୁହିଙ୍କର ସଠିକ୍ ଗନ୍ତବ୍ୟସ୍ଥଳ ଜଣାନଥିଲା ।

– ଏଇଠି,ଏଇଠି ରଖ । ସାଇଡ଼ କରିଦିଅ ।

– ଏଇଠି ?

– ହଁ ! ଏଇଠି ।

ବଜାରଠୁଁ ଟିକେ ଦୂର ନିଛାଟିଆ ଥିଲା ଯାଗାଟି । ଅଥଚ ପିଲାଟା ଏଇଠି ରଖିବାକୁ ଅନୁରୋଧ କରୁଥିଲା । ସେ ଚିନ୍ତାରେ ପଡିଗଲା । ଏଇବେଳେ ଦୁଈଶ’ ଟଙ୍କିଟେ’ ହାତକୁ ବଢାଇଦେଇ ପିଲାଟି କହିଲା –

– କିଛି ଖାଇବାକୁ ଆଣ ଭାଈ । ଭାରି ଭୋକ । ହଁ ! ତୁମେ ଆଗ ଖାଇନେବ ।

– ବଜାର ତ ପଛରେ । ବାହାରେ ବର୍ଷା ।

ଚଟାପଟ୍ ନିଜ ଭ୍ୟାନିଟିରୁ ଛତାଟିଏ କାଢିପକାଇଲା ଝିଅ ।

– ଏଇ ଛତା ନେଇଯାଅ ଭାଈ । ଭରସା ରଖ ତୁମ ଗାଡିନେଇ ଆମେ ଭାଗିଯିବୁନି ଯମା ।

ପିଲାଟି କହିଲା ହସିଦେଇ ।

ଏମିତି କ’ଣ ହୁଏ କେଉଠି କେବେ ? ଅଟୋବାଲାକୁ କିଏ କାମ ବତାଇପାରେ ? ତଥାପି ସେ’ ଗୋଟେପ୍ରକାର ମାନିନେଇ , ପାର୍କିଂ ଇଣ୍ଡିକେଟର୍ ଜଳାଇଦେଲା । ଆଉ ଛତା ମେଲିଦେଲା ବାହାରକୁ । ହିସାବକଲା , ଏମାନେ ଏମିତି କଲେ ଶହେଟଙ୍କାର ଭଡା ପାଁଶକୁ ବଢିବ । ଏ ବର୍ଷାରେ ଆଉ ସବାରୀ ମିଳିବା ବି ତ କଷ୍ଟ । ପିଲାଟି ପଛରୁ ଓହ୍ଲାଇ କହିଲା –

– ଭାଈ ! ନମ୍ବରଟା କ’ଣ ? ଶୁଣ ! ଟିକେ କଷ୍ଟ କରିବ ଆଉ ପ୍ଲିଜ୍ । ମୁଁ ଫୋନ୍ କଲାପରେ ଯାଇ ଫେରିବ ।

ସେ’ ହସିବ ବା ଗମ୍ଭୀର ହୋଇ କହିବ ‘ନା ନା ଏସବୁ ନୁହେଁ ‘ ଚିନ୍ତାରେ ବୁଡି , ହସିଦେଲା ଟିକେ । ଓ ପିଲାଟିକୁ ନିଜ ମୋବାଇଲ୍ ନମ୍ବର ଡାକିଦେଲା ।

ଏ ସହରରେ ଆଠନ’ବର୍ଷ ହେଲାଣି ତା’କୁ । ରାସ୍ତାକନ୍ଦି ପରି ସବାରୀଙ୍କର ମନ ଅଳନ୍ଧୁକୁ ଠଉରାଇବାରେ ସେ’ ଅଭ୍ୟସ୍ତ । ସବୁବେଳେ ସରଳ ମିଳନ୍ତିନି । କିଛି ନ’ଛୋଡ଼ବନ୍ଧା ସବାରୀ ମିଳନ୍ତି । ସେ’ ହ୍ୟାଣ୍ଡେଲ୍ କରେ ସେ’ ସବୁକୁ । ଲକ୍ଷ୍ୟ ଗୋଟାଏ ତା’ର , ରୋଜଗାର ।

ବେରୋଜଗାରର ମୂଲ୍ୟ ନା’ ଥାଏ ବାହାରେ , ନା’ ଘରେ । ଅଟୋଟେ’ ଚଳାଇ କିଣି ହୁଏନି ବଡଵଡ ରୋଗବଇରାଗ ମାନଙ୍କର ଔଷଧ ପଥି । ପଢାଇ ହୁଏନି ରଂଗବେରଂଗ ସ୍କୁଲ୍ ମାନଙ୍କରେ ପିଲାଝିଲାଙ୍କୁ ।

ହଁ , ଜୀଇହୁଏ ଖାଇପିଇ ବାସ୍ ।

ଅନୁଭବୀ , ସଂସାରୀ ଅଟୋଚାଳକ ସେ’ ! ସମ୍ଭୋଗର ସର୍ବାଧିକ ସମୟକାଳ ତା’କୁ ବେଶ୍ ଜଣା । ଭାରତୀୟ ପୁରୁଷଟେ’ ହାରିବାକୁ ଅପସନ୍ଦ କରେ , କିନ୍ତୁ ବାଧ୍ୟ ହାରିଯାଏ । ହିସାବକରି , ଗରମ ପକୋଡିବରାରୁ ପୁଡିଆଟେ’ ଧରି ଫେରିବାକୁ ଅପେକ୍ଷା କଲାବେଳେ ହିଁ ଅଜଣା ନମ୍ବର ରୁ ପିଲାଟିର ଫୋନ୍ ଆସିଯାଇଥିଲା । ନିଜ ଗାଡି ପାଖକୁ ଫେରୁଥିଲା ଅଟୋବାଲା । ଝିଅପିଲାଙ୍କ ଛତା ଥିବାରୁ , କୁଳାଉନଥିଲା ଦେହ । ଏଈ ଡିଜାଇନର୍ ଛତା ଗୁଡାକ ଏଇପରି । ଭାଙ୍ଗିମୋଡି କାକୁସ୍ଥ ହୋଇ ଭ୍ୟାନିଟିରେ ପଶିଯିବେ ସତ , ଅସଲ ବର୍ଷାରେ କିନ୍ତୁ ଭିଜାଇବେ ଖୁ’ ଦେହମୁଣ୍ଡ । ବର୍ଷା ପବନ ଅନ୍ଧାର , ସବୁ ବଢି ଚାଲିଥିଲେ । ସହରର ଏଇପାଖରେ ଆଜି ବିଜୁଳି ମଧ୍ୟ ଗୁଲ୍ ।

ନିଶ୍ଚଳ ହୋଇସାରିଥିଲା ଗାଡି । ପିଲାଟି ତା’ ହାତରୁ ପକୋଡି ପ୍ୟାକେଟ୍ ନେଇ କହିଲା –

– ଥାଙ୍କ୍ୟୁ ।

ଝିଅଟି ଥଣ୍ଡା ବୋତଲରୁ ପାଣି ପିଇଗଲା ଢକଢକ କରି ।

ଚାଳକ ଅଟୋବାଲା ପଚାରିଲା –

– କୁଆଡେ ଏଥର ?

– ମୋ’ତେ ବସ୍ ଷ୍ଟାଣ୍ଡରେ , ୟା’କୁ ସହୀଦନଗରରେ ।

ଗାଡି ଥରକେ ଷ୍ଟାର୍ଟ ହେଲାନି । ଦଶବର୍ଷର ଗାଡି ଇୟେ । ମନମାନି ତ କରିବ ଈ’ !

ଏବେ ତା’କୁ ଘଟଣାଟା ସ୍ପଷ୍ଟ ହେଉଥିଲା । ପ୍ରେମିକ ପିଲାଟା ଦୂରଦେଶର । ଆଉ ଝିଅ ପ୍ରେମିକାଟି ବି ଅନ୍ୟ ଯାଗାରୁ ଆସି ଏ ସହରରେ ଉଚ୍ଚଶିକ୍ଷାରତ ।

ପ୍ରକୃତପକ୍ଷେ ପ୍ରେମରେ ଦୂର ନିକଟ ବୋଲି ନଥାଏ କିଛି ।

ଦୂରତାକୁ ସଙ୍କୁଚିତ କରିନେବା ହିଁ ତ ଭଲପାଇବା ।

ଆଉ ତା’ ଗାଡି ଷ୍ଟାର୍ଟ ହେଇଗଲା । ତେବେ ଏଇ ବିଦାୟୀ ବେଳାରେ ଦୁହେଁଯାକ ଅସମ୍ଭବ ନୀରବ ହୋଇଯାଇଥିଲେ । ପିଲାଟି ନୀରବ ଭାଙ୍ଗିଲା ।

– ବ୍ୟସ୍ତ ହୁଅନି । ଭାଈ ଛାଡିଦେବେ ନେଇ ଗେଟ୍ ପାଖେ । ଭଞ୍ଜନଗର ବସ୍ ଛାଡିଦେବ ମୋ’ର ।

ବସଷ୍ଟାଣ୍ଡ ପାଖେ ଓହ୍ଲାଇ ପିଲାଟି ବଢାଇଲା ତିନିଶ’ ଟଙ୍କା ହାତକୁ । ପୂର୍ବ ବଳକା ଖୁଚୁରା ଫେରାଇଲାରୁ ମନାକରି କହିଲା –

– ଥାଉଥାଉ । ରଖ । କେୟାରଫୁଲି ଛାଡିଦେବ ନେଇ । ଝିଅପିଲା । ଏଣେ ବର୍ଷାରାତି । ଏତିକି ଉପକାର କର ଭାଈ ।

ସେ’ ବ୍ୟସ୍ତ ନ’ହେବାର ଇଙ୍ଗିତ କରି ଗାଡି ମୋଡିଲା ଆଗକୁ । ଜାଣିନେଲା ଝିଅଟି ଖୁବ୍ ଭୟ ପାଉଥିବ ଏକୁଟିଆ , ନଚେତ୍ ଖୁବ୍ ସାହାସୀ ହେଇଥବ । ପ୍ରେମିକ ଆଢୁଆଳରେ ଥିବା ଝିଅଟିକୁ ସେ’ ଭଲକି ଦେଖିପାରିନଥିଲା ଆଗରୁ । କିନ୍ତୁ ଦୁହିଙ୍କର ଏପରି ଅସମାପ୍ତ ନିବିଡତା ଲକ୍ଷ୍ୟକରି ଖୁବ୍ ଆଚମ୍ବିତ ହୋଇପଡିଥିଲା । ଭଲପାଇବାକୁ ଏଯାଏଁ ଯତ୍ନ କରାଯାଇପାରେ ସତେ !

ଶେଷ ମୁହୂର୍ତ୍ତ ଯାଏଁ ଆତ୍ମସ୍ଥ ହୋଇରହିବା , ପରସ୍ପରକୁ ନେଇ ବ୍ୟାକୁଳିତ ହେବା , ସବୁ ପ୍ରକାରର ପ୍ରେମରେ ସମ୍ଭବ ନୁହେଁ ।

ସତେଯେମିତି ଏଦୁହେଁ କାଣିଚାଏ ମୁହୂର୍ତ୍ତକୁ ବି ହାତଛଡା କରିବାର ସପକ୍ଷରେ ନଥିଲେ । ଅଥଚ ବାଧ୍ୟ ଫେରିବାକୁ ଥିଲା ପ୍ରେମିକ ପିଲାଟିକୁ ଏବେଏବେ ।

କିନ୍ତୁ ଢେର୍ ଦୂର ଗଡିଗଲା ପରେ , ଗାଡି ବନ୍ଦ ହୋଇଗଲା ମଝିରାସ୍ତାଟାରେ । ଵୋଧେ ପାଣି ପଶିଗଲା ସାଇଲେନ୍ସର୍ ଭିତରେ କି’କ’ଣ ।

ଏଇ ବାଟ ଚାଲୁଚାଲୁ ବନ୍ଦ ହୋଇଯିବାର ଅର୍ଥ , ନିହାତି ଏକ ଅନର୍ଥ । ଚାଳକ ଅଟୋବାଲା, ନିଜେ ଭୟ ପାଇଲା ଏଥର । ଅସହାୟ ହୋଇ କହିଲା –

– ଖରାପ ହେଇଗଲା ବୋଧେ ।

– ପୁଣି ?

– ଦେଖୁଛି । ଆପଣ ବ୍ୟସ୍ତ ହୁଅନ୍ତୁନି । ବସିଥା’ନ୍ତୁ ।

★★★

ସୁଯୋଗ୍ୟ ମନେକରି ସାତଜନ୍ମର ସମ୍ପର୍କକୁ ଯେତେ ବାନ୍ଧିରଖିଲେବି ଦିନଟାଏ ଆସେ , ଦୁହିଁଙ୍କ ଭିତରୁ କିଏ ଜଣେ ଆଗତୁରା ଅଯୋଗ୍ୟ ହୋଇପଡେ । ବାକି ଜଣକ, ନିଜ ପିଠିରେ ବୋଝକରି ଆରକର ଏଇ ଅଯୋଗ୍ୟତାକୁ ବୋହିଚାଲେ ଚୁପ୍-ଚାପ୍ ।

ଚୁପ୍-ଚାପ୍ ର ଉତ୍ପୀଡ଼ନ ଭାରି ଭୟଙ୍କର । ସହି ହୁଏନି ଜମା । ମଝିରାତିରେ କାବେରୀର ପେଟ ଉପରେ ହାତ ଥୋଇଦେଲେ ଛିଞ୍ଚାଡିଦିଏ ହାତ ସେ’ , ଖୁବ୍ ବେରହମି ରେ ।

― ଯାଃ ! ଏଠୁ !

ସରାଗ-ସୁଖ ଅପମାନିତ ହୋଇପଡେ । ପୌରୁଷାର୍ଥ ହାରିଯାଏ । ତଥାପି ସେ’ ନିଜକୁ ବୁଝାଏ । ଜାଣେଯେ’ , କାବେରୀର ଏଇ ଶୀଥିଳତାର କାରଣ , ସେ’ ଭଲ କରିପାରୁ ନଥିବା ହଜାରେ ରୋଗ ମାନଙ୍କର ବୈରାଗ୍ୟ ।

କିନ୍ତୁ ରାତି ଅନ୍ଧାରରେ ମନ କିଛି ଭିନ୍ନ । ଉଛନ୍ନ ଆଉଟୁ-ପାଉଟୁ ହୋଇ ବିଶୃଙ୍ଖଳିତ ହୋଇପଡେ ମଣିଷ । ପ୍ରାପ୍ୟ ନ’ମିଳିଲେ ବିଦ୍ରୋହୀ ହୋଇଯାଏ ଦେହ ।

ନିଜ ଭିତରର ସେଇ ବିକଳତାକୁ ଉଝାଳି ଦେବାକୁ ସେ ଯେ’ ବିକଳ୍ପ ଚେଷ୍ଟା କରିନି, ସେକଥା ନୁହେଁ । କିନ୍ତୁ ପୁରୁଣାବସ୍ତିର ଦାରୀ ଗୁଡା ଗୋଟେଗୋଟେ ଯନ୍ତ୍ର ମାତ୍ର । ତା’ ପୁରୁଣା-ଧତଡା ବହୁବ୍ୟବହୃତ ଅଟୋଗାଡି ପରି । ତେଲ ମୁନ୍ଦେ ଢାଳି , ଚାବି ମୋଡ଼ିଲେ କଥା ମାନି ଫଡଫଡ ହେବ କିଛିକ୍ଷଣ । ନା’ ଥିବ ସରାଗ , ନା’ ସଉକ । ଶୀଘ୍ର ସବାରୀକୁ ଉତ୍ତାରି ନୂଆ ସଵାରୀ ଚଢାଇଲେ ବଢିବ ବେଉସା । ସଵାରୀ କିଏ-କେମିତି ବୁଝିବା-ଜାଣିବାରେ ନଥିବ ସ୍ପୃହା ଟିକକ ।

ଦି’ଚାରିଥର ପରେ ସେ’ ଯାଏନି ଦାରୀପଡା ଆଉ । ମନେପକାଏ କାବେରୀର ପହିଲି ବେଳର କଥା ସବୁ । ଭାରି ଜିଦଖୋର ଯୌବନ ଥିଲା କାବେରୀର ସେବେଳେ । ଥାକ ମାରିମାରି ସମ୍ଭାଳିବାକୁ ପଡୁଥିଲା ତା’କୁ । ସେସବୁ ଅସରନ୍ତି ସୁଖ ସମ୍ଭୋଗକୁ ।

ଆଉ ଏବେ ?

ଏଇ ପୁରୁଣା ଅଟୋ ପରି ଧୋକାବାଜ୍ ଜୀବନ । ସେ ସହି ପାରେନି ଦୁହିଁଙ୍କର ଏଇ ହତାଦାରପଣକୁ । କାବେରୀର ମୁହଁମୋଡାକୁ , ଆଉ ବାଟ ଚାଲୁଚାଲୁ ମଝି ରାସ୍ତାରେ ଅଟକି ଯାଉଥିବା ଏଇ ବୁଢା ଅଟୋ ଗାଡିକୁ ।

ସେ ଓହ୍ଲାଇ ପଡି ଖୁବ୍ ଜୋରେ ଗୋଇଠାଟେ ପକାଇଲା ଗାଡିଟିକୁ । ଗାଡି କିନ୍ତୁ ନିର୍ଲ୍ଲଜ-ନିର୍ବିକାର । ଯାହା କଷ୍ଟ ପାଇଲା ତା’ ନିଜ ପାଦ କେବଳ ।

ଶଃ ! ଏଇ ମଝି ରାତିରେ , ମଝି ରାସ୍ତାରେ ବନ୍ଦ ହୋଇ କି’ ଦାଉ ସାଧୁଛୁ ବେ ତୁ ?

ତା’କୁ ଜଣାଥିଲା ସେ’ ଯେତେବି ଅପଚେଷ୍ଟା କଲେ , ୟେ’ ଠିକ୍ ହେବନି ଏବେ । ବର୍ଷା କମିକମି ଆସୁଥିଲା । ଘଡିରେ ଦଶ ପାଖାପାଖିର ବେଳ । ଭିତରେ ବସିଛି ଠିକ୍ ରେ ଏଯାବତ୍ ଦେଖିନଥିବା ଅଳ୍ପବୟସୀ ପାଠୋଈ ଝିଅଟେ’ । ଯାଇଥିଲା ବିଶ୍ବାସୀ ପ୍ରେମିକ କୁ ବିଦାୟୀ ଦେବାକୁ ।

ସେଇ ତା’କୁ , ସହିସଲାମତ୍ ଠିକଣାରେ ପହଞ୍ଚାଇବାର କଥାଦେଇ, କଥା ରଖିପାରୁନି ସେ’ ଏବେ । ନିଜ ପ୍ରାପ୍ୟ ପାଇ-ନେଇ , ରାତି ବସ୍ ରେ ତା’ ପ୍ରେମିକ ଫେରିଯିବଣି ବହୁଦୂର । ଅନ୍ତତଃ ସହର ଛାଡ଼ିଦେବଣି ବୋଧେ।

ଏଇ ଦୁଃବେଳାରେ ବି , ରୋମାଞ୍ଚିତ ହୋଇପଡିଲା ସେ’ କେମିତି ଗୋଟେ କେଉଁଏକ କଥାଖିଅକୁ ନେଇ ।

ତା’ର କେଇ ମିନିଟ୍ ଅନୁପସ୍ଥିତିରେ ଦୁହେଁ ନିଜକୁ କେତେଟା’ ଭୋଗି ପାରିଥିବେ ବିଚ୍ ସଡ଼କରେ ଯେ’ ?

ଓଃ ! ଗଭୀର ଇଚ୍ଛାଶକ୍ତି ଆଉ କାମନାର ଜାଳରେ ମଣିଷ କୌଣସି ଅସମ୍ଭବକୁ ହାତମୁଠାରେ ରଖିନିଏ ।

ସେ’ କାଳ୍ପନିକ ଦୃଶ୍ୟଟିଏ ତିଆରି କଲା ଏବେ । ପଛସିଟ୍ ରେ , ପର୍ଯ୍ୟାପ୍ତ ସ୍ଥାନାଭାବ ସତ୍ତ୍ୱେ, ଧୀରେ ଧୀରେ ସବାର ହେଉଛି ଝିଅଟି ଉପରେ ପ୍ରେମିକଟି । ଦୁହେଁ ଏକ ହୋଇ , ଜଣେ ଅନ୍ୟଠେଇଁ ମିଶି-ମିଳେଇ ଗଲାପରେ ,ଏଇ ସାମାନ୍ୟ ସ୍ଥାନ ଆଉ ଏ ଅସ୍ୱାଭାବିକ ପରିବେଶ ଆଉରି ବିସ୍ତୃତ- ସ୍ବାଭାବିକ ହୋଇପଡୁଛି।

ଦୁଇପଈସା ଅଧିକ ଦେଇ ପ୍ରେମପକ୍ଷୀ ଦୁହେଁ ଏ ବର୍ଷା ମୂଖର ରାତ୍ରୀରେ ଭୋଗିନେଉଛନ୍ତି ନିଜନିଜର ପ୍ରେମଭାଗତକ ।

ଅସ୍ବୀକୃତୀପ୍ରାପ୍ତ ସମ୍ପର୍କରେ ଏ ଅସ୍ଥାୟୀ ବ୍ୟବସ୍ଥା ସବୁ କେତେଯେ’ ଜରୁରୀ ସତେ ।

ସବୁଯାକ ପୂଣ୍ୟଫଳ ତ ମିଳିଛି ନା ତା’କୁ , ତା’ ବୃଦ୍ଧ ବ୍ୟାଧିଗ୍ରସ୍ତ ତିନିଚକିଆ ଅଟୋକୁ ।

ବିଜୁଳି ଟାଏ ଖୁବ୍ ଜୋରେ ମାରିବାରୁ , ପ୍ରକୃତିସ୍ଥ ହେଲା ଅଟୋବାଲା ।

― ଅଙ୍କଲ ! ଗାଡି ଠିକ୍ ହେବତ ?

ଦେଖୁଛି କହି ଆଣ୍ଠେଇ ପଡିଲା ସେ’ ଚକାତଳେ । ଏଇ ସମୟରେ ତା’ ଫୋନ୍ ବି ବାଜିଉଠିଲା ।

― ହ୍ୟାଲୋ ! କୁହ କିଏ ?

― ଆରେ ଭାଇ ! ମୁଁ , ସେଯେଉଁ ଖଣ୍ଡଗିରି ଯାଇଥିଲେ ଏବେ । ସେ’ ଝିଅର ଫୋନ୍ ସୁଇଚ୍ ଅଫ୍ । ଭଲରେ ଛାଡିଲ ତ ?

―ହଁ , ନା ନା । ଗାଡି ଷ୍ଟାର୍ଟ ବନ୍ଦ ହୋଇଯାଇଛି। ଜୟଦେବ ବିହାର ପଛକୁ । ଦେଖୁଛି । ସେ ଅଛନ୍ତି । ବସିଛନ୍ତି ।

― ଆଁ ଆଁ । ଦେଲ ଫୋନ୍ ଟିକେ ତା’କୁ ।

ନିଜ ମୋବାଇଲ ନେଇ ଦେଇଦେଲା ଝିଅଟିକୁ । ଝିଅଟି କହୁଥିଲା ଚାର୍ଜ ସାରିଯାଇଛି , ଭାରି ଡର ଲାଗୁଛି , ଇତ୍ୟାଦି ଇତ୍ୟାଦି ।

ଆଉଟେ’ ଗୋଇଠା ପକେଇଲା ପୁଣି ଅଟୋକୁ ।

ଆଜିକାଲିର ପିଲା । ସାଧାରଣ ନୁହେଁ ଅସାଧାରଣ ଜ୍ଞାନ ଖୁବ୍ । ବୁଦ୍ଧିକରି ସେବେ ନମ୍ବର ନେଇ ଯାଇଥିବାରୁ ପିଲାଟି , ଏବେଳାରେ ଖବର ରଖିପାରୁଛି ।
ଭଲ ! ଏଇମିତି ଚାଲାଖପଣିଆ ଟିକେ ଏ ଯୁଗରେ ଜରୁରୀ । ସମୟ ଅସମୟର କଥା ।

ନାଃ । କିଛିଟେ’ ବ୍ୟବସ୍ଥା କରିଦେଲେ ସେ’ ବି ନିଶ୍ଚିତ ହେବ । ଭଲରେ ଛାଡି ଦେବାଟା’ ତା’ର ଦାୟିତ୍ୱ । ହାତ ମାରିଲା ସାଏଁ ସାଏଁ ଧାଇଁ ଯାଉଥିବା ଅଟୋ ମାନଙ୍କୁ । ସମସ୍ତେ ସମାନ ଜାତି । ଚିହ୍ନା ହେଉ କି ଅଚିହ୍ନା , ଏକା ବିରାଦରୀ । ଅଭାବ ଅସୁବିଧା କଥା ବୁଝିବେ ନିଶ୍ଚୟ । କିନ୍ତୁ ଏ ବର୍ଷାଖୋର୍ ରାତି ପାଇଁ , ବୋଧେ ସମସ୍ତେ ଏବେ ଘରମୁହାଁ ।

ଏଇବେଳେ ଗାଡିରୁ ଭୁସ୍ କି ବାହାରିଗଲା ଝିଅ ପଦାକୁ । ତା’ ମୋବାଇଲଟା’ ବଢ଼େଇ ଦେଇ କହିଲା –

― କ’ଣ ? ହେବ ନା ନାହିଁ କହୁନ ? ମୁଁ ଯିବି କେମିତି ଏତେବାଟ ଏ ରାତିରେ ?

ଠିକ୍ ରେ ଦେଖିଲା ଝିଅଟିକୁ ଆଖି ପୁରେଇ । ସହର ଯାକରେ , ପ୍ରତିଦିନ ରଙ୍ଗ-ବେରଙ୍ଗ ଝିଅ ମେଞ୍ଚାଏ ଉଜ୍ଜ୍ୱଳ ଆଲୁଅରେ ସେ’ ଦେଖିବାର ଭାଗ୍ୟ ପାଏ । ଅନେକ ଉଦ୍ଧତ , ଅନେକ ନିରୀହ , ଅନେକ ବାସ୍ତବ , ଅନେକ ଅପ୍ରାକୃତିକ ସୁନ୍ଦରୀ ମାନଙ୍କୁ । ଅନେକଙ୍କୁ ନିଜ ପିଠିରେ ବୋହିନେଲା ପରି ସେ’ ପହୁଞ୍ଚାଇଛି ଠିକଣା ଥାନରେ । ଏବେ କିନ୍ତୁ ଯେ’ ସାମ୍ନାରେ, ସେ’ ଭିନ୍ନ । ସଦ୍ୟ ରତିକ୍ଲାନ୍ତା , ଭୟାତୁରା , ଅସହାୟ , ଅସ୍ତବ୍ୟସ୍ତ ଅପୂର୍ବ ସୁନ୍ଦରୀଟିଏ ।

ଡେମ୍ଫଛଡା ଫୁଲଟିଏ ହାତ ଆଞ୍ଜୁଳାକୁ ଖୁବ୍ ପହଞ୍ଚ । ଅକ୍ତିଆରରେ ନେଇ ଫୁଲଟିକୁ ଧୀରେ ଧୀରେ ଆଉଁସି-ଶୁଙ୍ଘିବା ହେଉ କି ଜୋର୍ କରି ପାଖୁଡା ମାନଙ୍କୁ ଖୋଲି ମେଲି ଦେବାରେ ନଥାଏ ବୃନ୍ତଚ୍ୟୁତ ଫୁଲର କିଛି ବାରଣ କି ଜୋର । ପୁରୁଷ , ନାରୀପରି ଯତ୍ନ-ଆଦରରେ ଗଭାରେ ଖୋସିପାରେନି କି ମାଳା ତିଆରି, ଗଳାହାର କରିପାରେନି । ବରଂ ପାଖୁଡ଼ାଙ୍କୁ ତା’ଠାରୁ ଫେଡିଦେଇ ପାଉଥାଏ ଆନନ୍ଦ ର ସୁଖ ।

ସେଈ ଡେମ୍ଫଛଡା ଫୁଲପରି ଝିଅଟିଏ । ଭାରି ବ୍ୟତିବ୍ୟସ୍ତ , ଭାରି ବିପର୍ଯ୍ୟସ୍ତ। ତା’ପରି ଦୀନହୀନ ସାମ୍ନାରେ , ହାତପାଆନ୍ତାରେ ।

ଅନ୍ୟଜଣକର ଅସହାୟତା ଦେଖିଲେ , ଆଉ ଜଣଙ୍କର ଅପ୍ରାକୃତିକ ପ୍ରବୃତ୍ତିଟେ ତୁରନ୍ତ ଜନ୍ମନିଏ ।

ଜଗତଯାକର ମଣିଷ ସଚ୍ଚୋଟ । ପରିସ୍ଥିତି ଆଉ ସମୟକୁ ନେଇ ପରୀକ୍ଷା ନିରୀକ୍ଷା କଲାବେଳେ କିଏ ହାରିଯାଏ ତ କିଏ ଜିତିଯାଏ କେବଳ ।

କାବେରୀର ହତାଦରତା ମନେପଡୁଥିଲା ତା’କୁ ଏଇ ଏବେଏବେ । ରୁଗ୍ଣ , ଶୀର୍ଣ୍ଣ ସ୍ତ୍ରୀଟିଏ ନିଜ ପୁରୁଷର ଯତ୍ନ-ଆଦର କରିପାରେ କିନ୍ତୁ ମନ-ଆବେଗକୁ ବଶ କରି ନପାରେ କଦାଚିତ୍ ।

ମନେପଡୁଥିଲା ପୁଣି ଦାରୀପଡାର ରତ୍ନାବାଈ । ତା’ ଉଛୁଳା-ଓହଳା , ମାଂସ-ଦେହରୁ ବାହାରୁଥିବା ବିକଟିଆ , ପାଉଁସିଆ ଉତ୍କଟ ଗନ୍ଧସବୁ । ପରବର୍ତ୍ତୀ ଗରାଖ ପାଇଁ ସଅଳ ସାରିବାର ବ୍ୟସ୍ତତା ଇତ୍ୟାଦି ।

ଏବେ କିନ୍ତୁ ଅତି ନିକଟରେ , ଏଇ ଏବେଏବେ ଅଧୁରା – ଅସମାପ୍ତ , ପରିପୃଷ୍ଟ , ଅସନ୍ତୁଷ୍ଟ – ଅବଶିଷ୍ଟ , ଆବେଗ-ଉଦବେଳନକୁ ଦେହରେ ଧରି ଅସହାୟପୂର୍ଣ୍ଣ ଯୌବନାବତୀ ଅସମ୍ଭବ ସୁନ୍ଦରୀଟିଏ।

ସେ’ ଯେଉଁ ଜନ୍ମ ନେଇ ଆସିଛି ଏଥିରେ ଏପରି ଭାଗ୍ୟ-ସ୍ୱପ୍ନର ସ୍ଥାନ ନାହିଁ । କିନ୍ତୁ ଈଶ୍ଵର ଯଦି ଚାରିଦିନର ଭୋକିଲାକୁ , ପରବଶ ହୋଇ ଆଉ କାହାର ଉଛିଷ୍ଟତକ ବାଢି ଦିଅନ୍ତି , ତା’କୁ ଭକ୍ଷଣ – ଧର୍ଷଣ କରିନେଲେ କେଉଁ ପାପଭୋଗ ହୋଇଯିବ ଯେ’ ?

ତା’ପରି ନିକୃଷ୍ଟ ମାନଙ୍କୁ ସ୍ୱର୍ଗ ପରି ବହୁଦାମୀ ଜାଗାରେ , ଆସ୍ଥାନଟେ ନା’ କେବେ ଥିଲା ନା’ ରହିବ ।

ଏଥର ସେ’ ପୁରା ଆଖି ମେଲିଦେଲା ଝିଅଟି ଉପରେ । ଟୁପ୍ ଟାପ୍ ବର୍ଷାକୁ , ଯା’-ଆସ କରୁଥିବା ଗାଡିମାନଙ୍କର ଆଲୁଅରେ ଝିଅ ନୁହେଁ ଦେବୀଟିଏ ପରି ବୋଧ ହେଲା ତା’କୁ ।

ଏଇ ଦେବୀବୋଧ ଯୋଗୁଁ ନୂଆ ବିବେକଟିଏ ବି ଜନ୍ମ ନେଉଥିଲା ମନ ଭିତରେ ।

ଦେହ-ମନ , ମନ-ଦେହ ଏବେ ଘମାଘୋଟ ଯୁଦ୍ଧରେ ମାତିଗଲେ କିଛିକ୍ଷଣ ।

ତା’ ଚୁପ୍-ଚାପ୍ ଆଖି ଭିତରୁ , ଝିଅଟି କଣ ପଢିଲା , କଣ ବୁଝିଲା କେଜାଣି , ପ୍ରେମିକ ପିଲାଟିର ଟେଲିଫୋନ୍ ରେ କ’ଣ ଆଦେଶ-ନିର୍ଦ୍ଦେଶ ଥିଲା କେଜାଣି ତା’ପ୍ରତି , ହଠାତ୍ ରାସ୍ତା ମଝିକୁ ଯାଇ ଦ୍ରୁତ ଗତି ଗାଡିମାନଙ୍କୁ ଅଟକାଇବାକୁ ଲାଗିଲା ।

ସବୁ ଚାହିଁ-ଦେଖି ଚାଲି ଯାଉଥିଲେ ଖାଲି । ଅସତ୍ ରାତି ମାନଙ୍କରେ ସତ୍ ନାରୀଟିଏ ବି ସମାଜ ଚକ୍ଷୁରେ ସନ୍ଦେହ ଘେରକୁ ଆସିଯାଏ । ସଜଫୁଲଟିଏ ଉଜୁଡା-ମଉଳା ମେହେସୁସ୍ ହୁଏ ।

ନିଜ ନିଜର ତୁଚ୍ଛା ସତୀତ୍ୱ ପାଇଁ କେହି ଅବେଳରେ ପରକୁ ସାମାନ୍ୟ ସାହାଯ୍ୟ ଦେବାକୁ , ଆଗଭର ହୁଅନ୍ତିନି । ତଥାପି ଦେବଦୂତ ପରି କେହି କେବେ ଅଚାନକ ଆସେ , ସମ୍ଭାଳିନିଏ ପରିସ୍ଥିତି ।

ଏବଂ ଖୁବ୍ ଜୋରେ ବ୍ରେକ୍ ମାରି ଗାଡିଟିଏ ଖଣ୍ଡେ ଦୂରରେ ଅଟକିଗଲା । ଗୋଟେପ୍ରକାର ଝିଅଟି ଧାଇଁଗଲା ଅଟକିଯାଇଥିବା ଗାଡିପାଖକୁ ।

ସତେଯେମିତି ଅଟୋବାଲା ଟି ଗୋଟେ ନୃଶଂସ ଭୋକିଲା ବାଘ । ଏଇମାତ୍ର ଖାଇଯିବାର ଉପକ୍ରମରେ ଥିଲା ଯେପରି ଆଉ ।

ଚାଳକ ଅଟୋବାଲା କହିବାକୁ ଚାହୁଁଥିଲା –

‘ ମ୍ୟାଡାମ୍ ! ଅଧାରାତିରେ ଅଚିହ୍ନାକୁ ସାହାଯ୍ୟ ମାଗନ୍ତୁନି । ଅନ୍ତତଃ ମୋ’ତେ ଢେର୍ କିଛି ସମୟତଳୁ ଆପଣ ଜାଣନ୍ତି । ମୁଁ ସାମାନ୍ୟ ଗରିବ ଅଟୋବାଲାଟିଏ ମାତ୍ର । ମୋ’ ଦେହରେ ଜଣା ଅଜଣା ଭୋକ ଅନେକ । ତଥାପି ସେସବୁ ସ୍ୱାଭାବିକ ଆଉ ନିୟନ୍ତ୍ରଣାଧୀନ । ଆମେ ସମ୍ଭାଳିନେଉ ସବୁ । ଧନୀମାନଙ୍କୁ ସବୁବେଳେ ଲୋଡ଼ା ଆଉରି ଆଉରି । ବଳିପଡୁ ପଛେ , ଆଦରରେ ଗ୍ରହଣ କରି , ନିଷ୍ଠୁରତାରେ ଏଡାଇଦେବାରେ ଥାଏ ସେମାନଙ୍କର ଖୁସି-ଆନନ୍ଦ ।’

ଏତେସବୁ କହି ହେଉନଥିବା କଥା ସବୁକୁ ଭାବୁଭାବୁ , ଝିଅଟି ବୁଝି-ବୁଝାଇ ଦାମୀ କାର୍ ଟିରେ ବସି ଚାଲିଗଲା ।

ମନ-ବିବେକର କଳି-କନ୍ଦଳ ଭିତରେ , ସେ’ ବିବେକକୁ ଜିତାଇ ଦେଇଥିଲା କେତେବେଳୁ । କିନ୍ତୁ ତା’ କର୍ତ୍ତବ୍ୟ-ଦାୟିତ୍ୱକୁ ଯେପରି ଆଉକିଏ ଛଡାଇ ନେଇଗଲା । ଭାରି ଇଛାହେଲା ଫୋନକରି କହିଦେବାକୁ , ପ୍ରେମିକ ପିଲାଟିକୁ ‘ବାବୁ ! ମୋ’ତେ ଅବିଶ୍ବାସ କରିବାଟା , ଭଲହେଲାନି ଯମା ‘ !

କିନ୍ତୁ ସେ’ ରହିଗଲା ଖୁବ୍ ଗମ୍ଭୀରଭାବେ କାହିଁକି କେଜାଣି ଚୁପ୍-ଚାପ୍ !

★★★

କାବେରୀର ପେଟ ବ୍ୟଥାଟା ବଢି ଯାଇଥିଲା । ମୁହଁ ମାଡି ଚଟାଣରେ ଗଡୁଥିଲା ସେ’ । ଗାଡି ଥୋଇ ଦେଖିଲାରୁ , ରାତି ପାଇଁ ଖାଇବା ବି ରନ୍ଧା ନାହିଁ । ଏମିତିକି ଟିକେ ଆଗରୁ ଘଟି ଯାଇଥିବା ଦୁର୍ଘଟଣା ପାଇଁ ଖୁବ୍ ଵିଵଶ ଥିଲା ସେ’ । ହାତ ମୁହଁ ଧୋଇ କାବେରୀ କଡ଼ରେ ଗଡି ପଡୁ ପଡୁ କାବେରୀ କହିଲା –

― କିଛି ଗୋଟେ କର । ନହେଲେ ବଞ୍ଚିବିନି ଆଉ ।

ସେ ଚଟାପଟ୍ କହିଲା –

― କାଲିକୁ ଦେଖାଇବା । ସମ୍ଭାଳିଦେ ଆଜି । ପାଣି ଔଷଧଟା ପିଇଛୁ କି ନାହିଁ ?

କାବେରୀ କିଛି ନକହି ମୁହଁ ବୁଲାଇଦେଲା ଆରପଟକୁ ।

ପରଦିନ ସତକୁସତ , କଥାରଖି ସେ କାବେରୀକୁ ଦି ହାତରେ ଟେକିନେଲା ଅଟୋ ଗାଡିକୁ । ଆଜି କାମ ଧନ୍ଦା ଛାଡି ଡାକ୍ତର ଦେଖାଇବାକୁ ହେବ ଯାହେଲେ । ପଛସିଟ୍ ରେ ଶୁଆଇ ଦେଲାବେଳେ ସିଟ୍ ଫାଙ୍କରେ ପାଇଲା ସେ ବହି ଟିଏ । କାଢି ଦେଖିଲାରୁ ବହି ନୁହଁ ଖାତାଟେ’ । କ’ଣ – କାହାର ଦେଖିବାକୁ ତର ନ ଥିଲା ଆଉ ।

ଡାକ୍ତରଖାନା ବାରଣ୍ଡାରେ ଲମ୍ବା ଧାଡି । ଏଇ ଫାଙ୍କା ବେଳେ କାଢି ଦେଖିଲା ସେ ଟିପା ଖାତାଟାକୁ । ନିହାତି ଗୋଟେ ମୂର୍ଖ ଅପଗଣ୍ଡ ଅଟୋବାଲା ସେ ନୁହେଁ । ଜାଣି ବୁଝିନେଲା ଖାତାଟି ସେଇ କାଲି ରାତିର ପ୍ରେମିକା ଝିଅ ଟିର । ଭୟ- ଆତୁରରେ ଖସି ପଡିଛି ଅଟୋ – ଅନ୍ଧାରରେ । ପୃଷ୍ଠା ଓଲଟାଇଲାରୁ ମେଞ୍ଚା ମେଞ୍ଚା ହାତଲେଖା ଗୀତ କବିତା । ସବୁ ପୃଷ୍ଠାରେ ନାଁ ଟିଏ ଲେଖା ‘ପ୍ରିତୀଲଗ୍ନା’।

ପାଚିଲା କଦଳୀର ମୋହ ଘଷୁରୀର ନଥାଏ । ସେ କାହୁଁ ବୁଝିବ ଏସବୁର ମୂଲ୍ୟ – ଅମୂଲ୍ୟ ? ତଥାପି ଥରେ ଦି’ଥର ଏଇ ଅଟୋ ଜୀବନରେ ଛାଡି ଯାଇଛନ୍ତି ଯାତ୍ରୀ ଆସବାବପତ୍ର । ଏଠି କିନ୍ତୁ ତୁଚ୍ଛା ଗୀତ ଖାତାଟିଏ । ପୋଲିସ ପାଖରେ ଫେରାଦ ହୋଇ ବାହାଦୁରୀ ନେବାର କିଛି ନାହିଁ ।

ହଁ ! ପ୍ରେମିକ ପିଲାଟିକୁ ଜଣାଇଲେ ହୁଅନ୍ତା ଏକଥା । ଖୋଜୁଥାଇ ପାରେ ହୁଏତ ସନ୍ଦେହୀ ଝିଅଟି । ଏଇ ବାହାନାରେ ଅନ୍ତତଃ ବୁଝିନେଇ ହେବ କାଲି ରାତିର କୁଶଳ-ମଙ୍ଗଳ ଖବର ।

“ଆପଣ ଡାଏଲ୍ କରିଥିବା ନମ୍ବରଟି ଅପହଞ୍ଚ ଇଲାକାରେ ଅଛି” ।

★★★

ସେଇଦିନୁ ଯେତେଥର ଯୋଗାଯୋଗ ଚେଷ୍ଟା କରେ , ଏଇ ଉତ୍ତର ତା’ ମୋବାଇଲ ଫେରାଏ ତା’କୁ ।

ବିରକ୍ତ – ବିସ୍ମୟ କରି , ଅପହଞ୍ଚ ଜାଗାରେ ପ୍ରେମିକ ।

ପ୍ରତିଦିନ ବାରବାର ସେଇ ଜୟଦେବ ବିହାରର ଓଭରବ୍ରିଜ୍ ଦେଇ ଯା’ ଆସ ବେଳେ କିଛିକ୍ଷଣ ଅଟକି ଯାଏ ପୃଥିବୀ । ଠିକ୍ ଏଇ ଜାଗାରେ କିଏ ଜଣେ ମଝିରାତିରେ ତା’କୁ ସନ୍ଦେହ-ଅବିଶ୍ୱାସ କରି ଭରସା କରି ନେଇଥିଲା ଅଚିହ୍ନାକୁ । ଇଚ୍ଛା ହୁଏ ଠିକ୍ ସେଇ ଜାଗାରେ ଗୀତ ଖାତାଟିକୁ ଚିରି-ଫିଙ୍ଗି ଦିଅନ୍ତା ଟୁକୁଡ଼ା ଟୁକୁଡା କରି ।

ବାଧା ଦିଏ ପୁଣି ଆସି ବିବେକ । ଛୋଟିଆ ଗୋଟେ ଜଗତ । ହଜିବା ଲୋକ ମିଳିଯାଇ ପାରେ ଦିନେ। ଏକା ସହର । ଖାତାଟି ମିଳିଯିବାର କୃତଜ୍ଞତାରେ ପାଠୋଈ ପ୍ରେମିକା ହୁଏତ ହଟାଇ ଦେଇପାରେ ମନ ଭିତରୁ ସାଧରଣଙ୍କ ପ୍ରତି ମିଛ ଅବିଶ୍ୱାସ ।

ସତ୍-ଚେଷ୍ଟା ର ହାର୍ ନଥାଏ । ଦିନେ ସବାରୀହିନ ଉଦୁଉଦିଆ ଖରାବେଳେ , ଲାଗିଗଲା ପ୍ରେମିକ ପିଲାଟାର ନମ୍ବର ।

– ହାଲୋ , ହାଲୋ ,ମୁଁ ଅଟୋବାଲା । ଖଣ୍ଡଗିରି , ବର୍ଷା , ରାତି , ଜୟଦେବବିହାର ଓଭରବ୍ରିଜ୍ …. ହାଲୋ ମୁଁ ସେଇ ଅଟୋବାଲା କହୁଛି ଭାଈ ।

– ଓଃ ! କୁହ କୁହ ।

– ଟିପାଖାତାଟେ’ ମାଡାମ୍ ଙ୍କର , ଏଇଠି ପଛ ସିଟ୍ କଡେ ..

– ଓଃ ! ଛାଡ଼ଛାଡ଼ ସେସବୁକୁ ।

– ନିହାତି ଅଦରକାରୀ ଖାତାଟେ’ କି ଭାଈ ?

– କ’ଣ ଉଦ୍ଦେଶ୍ୟ ତୁମର ? ସତରେ ଗୋଟେ ସହରରେ ଥାଇ କିଛି ଜାଣିଶୁଣିନ ? ନା ….?

– ମାନେ ? ମୁଁ ମାସେଖଣ୍ଡେ ହେବ ରୋଗା ସ୍ତ୍ରୀ କୁ ନେଇ ସମସ୍ୟା ରେ ଭାରି । ବିଶ୍ୱାସ କର ଭାଈ …

– ହଁ ! ତୁମ ଶିକ୍ଷିତ ସହରରେ ଦିନକୁ ହଜାରେ ଘଟଣା – ଦୁର୍ଘଟଣା । ଜାଣନ୍ତ କେମିତି ? ଘରେ ପହୁଁଞ୍ଚାଇବା ଆଳରେ ଝୁଣି ଖାଇଗଲେ ସେଦିନ ତା’କୁ । ପାପୀ-କାଙ୍ଗାଳ । ଏଯାବତ୍ ଧରାପଡିନାହାଁନ୍ତି ବି ।

– ହେ ରାମ୍ ! ଏତେବଡ଼ କଥା ! କାନରେ ପଡିଲାନି ?

ବିଦାରି ହେଇଗଲା ଛାତି । ପ୍ରେମିକା ଝିଅଟି ନିଜ ଜାତି-କୁଟୁମ୍ବ ନୁହଁଯେ’ ଗଳାଫଟାଇ କାନ୍ଦନ୍ତା ସେ ଏବେ । ସେ ସାମାନ୍ୟ ଅଟୋବାଲା । ତଥାପି ମନେପଡିଲା ତା’ର । ପାଗଳଙ୍କ ପରି ଅଣ୍ଡାଳି ପକାଇଲା ସେ’ ଗାଡିର ଡ୍ୟାସ୍ ବୋର୍ଡ , ପଇସା ମୁଣା ଆଦି । ମିଳିଗଲା ତାକୁ ସେଇ ପାର୍ଟସ୍ ରସିଦ୍ ପଛପଟେ , ସେଦିନ ବୁଦ୍ଧି କରି ଲେଖିଥିବା ସେ କଳା ଫିଆଟ୍ ର ଗାଡି ନମ୍ବର । ଏଥର ଚିଲ୍ଲାଇଲା ଖୁଵ୍ ଜୋରେ ସେ’ –

– ମିଳିଗଲା ମିଳିଗଲା । ମିଳିଗଲା ଭାଈ ମିଳିଗଲା । ଓ ଡି ଜିରୋ ଟୁ ସିକ୍ସ୍ ନାଇନ୍ ….

– ଚୁପ୍ ଚୁପ୍ ଚୁପ୍ ! ଚୁପ୍ କର । ଫାଡିଚିରିଦିଅ ଜଲଦି ସେ କାଗଜକୁ । ହାତଯୋଡୁଛି । ନ’ମିଳନ୍ତୁ ସେମାନେ । ଝିଅ ଦୁଃଖରେ ଛାତିକଷ୍ଟ ନେଇ ପ୍ରିତୀର ମା’ ଏବେ ଆରପୁରରେ । ଥଣ୍ଡା ପଡିଗଲାଣି ପୋଲିସ । ଫସିଯିବା ଆମେ । ମୁଁ ବି । ତୁମେ ବି ଅକାରଣେ । ଅନୈତିକ ପ୍ରେମ ଥିଲା ସେସବୁ । ଲୁଚାଛପା ସମ୍ପର୍କ , ଲୁଚିରହୁ । ତୁମକୁ ଭୁଲିଯିବାକୁ ହେବ , ଆମେ କେବେ ଥରେ ଭେଟିଛନ୍ତି , ଜାଣିଛନ୍ତି । ବୁଝ ଭଲକି । ଏଥିରେ ସଭିଙ୍କ ମଙ୍ଗଳ ।

– ହାଁଆଁଆଁ ! ଆଉ ଏ ଟିପାଖାତା ??

– ଜାଳିଦିଅ ଏଇ ଏବେଏବେ । ଯେଉଠିଁ ପ୍ରେମ ନାହିଁ , ସେଠି ଏସବୁର ମହତ୍ତ୍ବ ନାହିଁ । ମରି ସାରିଛି ପ୍ରିତୀ । ସରିଯାଇଛି ସମ୍ପର୍କ । ଭୁଲିଯାଅ , ମୁଁ ଭୁଲିସାରିଛି ।

– ହାଲୋ ହାଲୋ … ଭାଈ

କାଟିଦେଇଥିଲା ପ୍ରେମିକ ପିଲାଟି । ଆଉଥରେ ଚେଷ୍ଟା କଲାରୁ ବଂଦ ହୋଇଗଲା ଯୋଗାଯୋଗ ର ଯନ୍ତ୍ର !

ଭକ୍-କିନା ଦି’ମୁନ୍ଦା ପାଣି ଖସିପଡିଲା ଦୁଇଆଖିରୁ , ଅଧାଖୋଲା ଟିପା ଗୀତଖାତାଟା ଉପରେ । ଅସ୍ପଷ୍ଟ ହେଇଯାଉଥିଲା ପ୍ରେମପୃଷ୍ଠା ସବୁ । ଓଃ ! କେଡେ ସୁନ୍ଦର ହସ୍ତାକ୍ଷର ! ଗୋଲ୍ ଗୋଲ୍ , ଝିଅ ପ୍ରେମିକା ଟି ପରି । ସେ ଜାଲୁଆ ଆଖିରେ ପଢିବାକୁ ଚେଷ୍ଟା କଲା ସେଇ ମଝିପୃଷ୍ଠା ।

ଚୁପ୍-ଚାପ୍ ଖସିପଡେ ଆକାଶରୁ ଜହ୍ନ ;
ଚୁପ୍-ଚାପ୍ ଉଡିବୁଲେ ପକ୍ଷୀ ପରି ମନ ।

ଚୁପ୍-ଚାପ୍ ଥମିଯାଏ ଝଡ଼ କୋଳାହଳ ;
ଚୁପ୍-ଚାପ୍ ପିଆଯାଏ ବିଷ ହଳାହଳ ।

ଚୁପ୍-ଚାପ୍ ବୋହିହୁଏ ସଂସାରର ପାପ ;
ଚୁପ୍-ଚାପ୍ ସହିହୁଏ କଞ୍ଚା ଘା’ କଷ୍ଟ ।

ଚୁପ୍-ଚାପ୍ ଲିଭି ଯାଏ ରାସ୍ତାକଡୁ ରକ୍ତ ;
ଚୁପ୍-ଚାପ୍ ବୋହୁଥାଏ ଛାତିତଳୁ ଦୁଃଖ ।

ଚୁପ୍-ଚାପ୍ ଥମିଯାଏ ବଳ-ପ୍ରତିରୋଧ ;
ଚୁପ୍-ଚାପ୍ ଭାଙ୍ଗିଯାଏ ଅଥଳ ବିଶ୍ୱାସ ।

ଚୁପ୍-ଚାପ୍ ବୁଝାପଡେ ଜୀବନ ସଉଦା ;
ଚାଲିବାକୁ ହୁଏ ଚୁପ୍-ଚାପ୍ ଏ ନିର୍ଲ୍ଲଜର ରାସ୍ତା ।

ଚୁପ୍-ଚାପ୍ ଚୁପ୍-ଚାପ୍ ଚୁପ୍-ଚାପ୍ …….

:- ପ୍ରିତୀଲଗ୍ନା

ଆଖି ପୋଛି ଚାବିମୋଡିଲା ଚାଳକ ଅଟୋବାଲା । ଏଥର ଏକାଥରେ ଷ୍ଟାର୍ଟ ହେଇଗଲା ଈଞ୍ଜିନ୍ ! ଆଗକୁ ବଢିଲାସେ’ ଏଥର । ତା’କୁ ଗନ୍ତବ୍ୟସ୍ଥଳ ସଠିକ୍ ଜଣାନଥିଲା ….!
……………….
ଘଟଗାଁ, କେନ୍ଦୁଝର

Leave A Reply

Your email address will not be published.