Latest Odisha News

BREAKING NEWS

ସାର ଯୋଗାଇବାରେ କେନ୍ଦ୍ର କରୁଛି ଅବହେଳା , କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର:  ରାଜ୍ୟକୁ ଆବଶ୍ୟକତା ଅନୁସାରେ ସାର ଯୋଗାଇବାରେ କେନ୍ଦ୍ର କରୁଛି ଅବହେଳା । ଯାହାଫଳରେ ଖରିଫ ବେଉଷଣ ସମୟରେ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି  । ଏଥିଯୋଗୁ ଫସଲ ଉତ୍ପାଦନ ପରିମାଣ ହ୍ରାସ ପାଇବାର ଆଶଙ୍କା ସୃଷ୍ଟି ହୋଇଛି  ।

ଏଥର ଭଲ ମୌସୁମୀ ବର୍ଷା ହୋଇଥିବାରୁ ଚାଷକାର୍ଯ୍ୟ ପାଇଁ ସାରର ବ୍ୟାପକ ଆବଶ୍ୟକତା ରହିଛି। ଅଗଷ୍ଟ-ସେପ୍ଟେମ୍ବରରେ ସାରର ସର୍ବାଧିକ ଚାହିଦା ଥାଏ। ଏ ସମୟରେ ସାର  ଯୋଗାଣରେ ଅଭାବ ରହିଲେ, ରାଜ୍ୟର କୃଷି ଉତ୍ପାଦନ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିଛନ୍ତି। ଚାଷୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟକୁ ମାସିକ ଆବଶ୍ୟକତା ଭିତ୍ତିରେ ସାର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଭଗୱନ୍ତ ଖୁବା ଆଜି ଏହି ପ୍ରସଙ୍ଗରେ ପାଲଟା ଜବାବ ରଖିଛନ୍ତି। ଓଡ଼ିଶାକୁ ଚାହିଦା ମୁତାବକ ନୁହେଁ, ତାଠାରୁ ଅଧିକ ସାର ଯୋଗାଇ ଦିଆଯାଉଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଖୁବା କହିଛନ୍ତି।

ଓଡ଼ିଶାର କୃଷକଙ୍କୁ ଯେତିକି ସାର ଆବଶ୍ୟକ ତାହା କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି। କେନ୍ଦ୍ର ସରକାରଙ୍କ ସାର ଓ ରସାୟନ ବିଭାଗର ୱେବ୍‌ସାଇଟ୍‌ରେ ରାଜ୍ୟଗୁଡ଼ିକୁ ଦିଆଯାଉଥିବା ସାରର ସବୁ ତଥ୍ୟ ପ୍ରତ୍ୟେକ ଦିନ ‘ଅପ୍‌ଡେଟ୍’ ହୋଇଥାଏ ବୋଲି ସେ କହିଛନ୍ତି।

Comments are closed.