Latest Odisha News

BREAKING NEWS

ଦରବୃଦ୍ଧି ଓ ବେକାରୀ ପ୍ରସଙ୍ଗରେ କଂଗ୍ରେସ କରିବ ବଡ଼ ଆନ୍ଦୋଳନ

ଭୁବନେଶ୍ୱର: ଦରଦାମ ବୃଦ୍ଧି ଏବଂ ବେରୋଜଗାରୀକୁ ପ୍ରସଙ୍ଗ କରି କେନ୍ଦ୍ରକୁ ଘେରିବ କଂଗ୍ରେସ। ଏଥିପାଇଁ ସେପ୍ଚେମ୍ବର ୪ ତାରିଖରେ ଦିଲ୍ଲୀ ରାମଲୀଳା ମୈଦାନରେ ଏକ ବଡ଼ ଆନ୍ଦୋଳନ କରିବ ବୋଲି ଦଳର ସାଂସଦ ନୀରଜ ଡାଙ୍ଗୀ ସୂଚନା ଦେଇଛନ୍ତି। ଓଡ଼ିଶାର ଶାସକ ଦଳକୁ ମଧ୍ୟ ଟାର୍ଗେଟ କରିବାକୁ ଯାଇ ସେ କହିଛନ୍ତି, ଓଡିଶାରେ ୧ ଲକ୍ଷ ୬୨ ହାଜର ପଦ ଖାଲି ପଡ଼ିଛି। ହେଲେ ଏହାର ସମାଧାନ ହୋଇପାରୁନି। ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ସେପଟେ ବିଜେପି ମଧ୍ୟ ଏହାର ପ୍ରତିକ୍ରିୟା ରଖି କହିଛି କଂଗ୍ରେସ ଅସ୍ଥିତ୍ୱ ବଞ୍ଚାଇବାକୁ ଯାଇ କଂଗ୍ରେସ ଏପରି କରୁଛି।

କଂଗ୍ରେସର ରାଜ୍ୟସଭା ସାଂସଦ ନୀରଜ ଡାଙ୍ଗୀ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ସମୟରେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀକ କରିଥିଲେ। ସେପ୍ଟେମ୍ବର ୪ତାରିଖରୁ ନୂଆଦିଲ୍ଲୀ ସ୍ଥିତ ରାମଲୀଳା ମୈଦାନରେ କଂଗ୍ରେସ ଆନ୍ଦୋଳନ କରିବ। ଦେଶ ପାଇଁ ବଡ଼ ଚ୍ୟାଲେଞ୍ଜ ବେକାରୀ ସମସ୍ୟା । ଦୀର୍ଘ ୪୫ ବର୍ଷ ପରେ ଏପରି ସମସ୍ୟା ଦେଇ ଗତି କରୁଛି ଦେଶ। ସେହିପରି ପେଟ୍ରୋଲ ଦାମ ୪୦ ପ୍ରତିଶତ ବଢ଼ିଥିବା  ବେଳେ ଡିଜେଲ ଦର ମଧ୍ୟ ୭୫ ପ୍ରତିଶତ ବଢ଼ିଛି ବୋଲି ସେ କହିଛନ୍ତି।

୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଏବଂ ପରେ ଦରଦାମ ନିୟନ୍ତ୍ରଣ କରିବେ ବୋଲି କହିଥିଲେ। ସେହିପରି ରୋଜଗାରକୁ ନେଇ ଅନେକ ଗୋଲାପୀ ସ୍ୱପ୍ନ ଦେଖାଇଥିଲେ। ହେଲେ କୌଣସି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିପାରି ନାହାନ୍ତି ମୋଦୀ ସରକାର। ତେଣୁ ଏବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଛି ଏବଂ ବିଗିଡି ଯାଇଛି। ଯାହାର ପରିଣାମ ବିଭିନ୍ନ ଖାଦ୍ୟ ସାମଗ୍ରୀରେ ଜିଏସଟି ଲାଗୁ ହୋଇଛି ବୋଲି ସେ କହିଛନ୍ତି।

ଦରଦାମ ବୃଦ୍ଧି କଥା କହି ମୋଦୀ ସରକାରକୁ ସମାଲୋଚନା କରିବାକୁ ଯାଇ ସେ କହିଛନ୍ତି, ଉଜ୍ୱଳା ଯୋଜନା ସମ୍ପୂର୍ଣ୍ଣ ଭାବେ ଫେଲ ହୋଇଛି। ଲୋକଙ୍କ ପାଖରେ ସିଲିଣ୍ଡର ଭର୍ତ୍ତି କରିବା ପାଇଁ ପଇସା ନାହିଁ। ୨୦୧୪ରେ ଅଶୋଧିତ ତେଲ ଦର କମ୍ ଥିଲା ଓ ପେଟ୍ରୋଲ ଡିଜେଲ ଦର ୫୫ ଓ ୭୦ ଟଙ୍କା ଥିଲା । ଏବେ ଅଶୋଧିତ ତେଲ ଦର କମ୍ ରହିଛି କିନ୍ତୁ ପେଟ୍ରୋଲ ଡିଜେଲ ଦର ଅଧିକ ରହିଛି। କଂଗ୍ରେସ କ୍ଷମତାକୁ ଆସିଲେ ଦରଦାମ ନିୟନ୍ତ୍ରଣ କରିବ ବୋଲି ସେ ଦାବି କରିଛନ୍ତି।

ଜବାବରେ ବିଜେପି ନେତା ସୁରଥ ବିଶ୍ୱାଳ କହିଛନ୍ତି, କଂଗ୍ରେସ ନିଜର ସ୍ଥିତି ଏବଂ ଉପସ୍ଥିତି ଜାହିର କରିବା ପାଇଁ ଏ ସବୁ କରୁଛି। କେନ୍ଦ୍ର ସରକାର ଏ ଦିଗରେ ଯତ୍ନବାନ ରହିଛନ୍ତି। କଂଗ୍ରେସରେ ଏବେ ନେତୃତ୍ୱ ସଙ୍କଟ ପଡିଛି। ଦଳ ଛାଡୁଛନ୍ତି ଅନେକ ଭେଟେରାନ ନେତା। ତେଣୁ ଏସବୁ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଯାଇ କଂଗ୍ରେସ ଏପରି କହୁଛି ଏବଂ ଆନ୍ଦୋଳନ କରିବାକୁ ଯାଉଛି ବୋଲି ସେ କହିଛନ୍ତି। କରୋନା ମୁକାବିଲା ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ବେଳେ ଦରଦାମ ବୃଦ୍ଧିକୁ ମୋଦୀ ସରକାର ନିୟନ୍ତ୍ରଣରେ ରଖିବା ସ୍ୱାଗତ ଯୋଗ୍ୟ ବୋଲି ସୁରଥ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ପରେ ହିନ୍ଦୀ ହାର୍ଟଲ୍ୟାଣ୍ଡର ନିର୍ବାଚନ ରହିଛି। ଏହାପରେ ସାଧାରଣ ନିର୍ବାଚନ। ତେଣୁ କଂଗ୍ରେସ ଏବେ ସକ୍ରିୟ ହୋଇଛି। ଆସନ୍ତାମାସରୁ ଭାରତଯୋଡୋ କାର୍ଯ୍ୟକ୍ରମ ଆରମ୍ଭ କରି ଦଳର ସଂଗଠନ ମଜବୁତ କରିବା ସହ ଲୋକଙ୍କ ନିକଟତର ହେବାକୁ ଉଦ୍ୟମ ଆରମ୍ଭ କରିଛି।

Comments are closed.