Latest Odisha News

ଶେଷ ହେଲା ସେରେନାଙ୍କ ୨୭ ବର୍ଷର ଟେନିସ କ୍ୟାରିୟର

ନ୍ୟୁୟର୍କ: ଆମେରିକାର ମହାନ ମହିଳା ଟେନିସ ଖେଳାଳି ସେରେନା ୱିଲିୟମ୍ସଙ୍କ ୨୭ ବର୍ଷ କ୍ୟାରିୟରର ପରିସମାପ୍ତି ଘଟିଛି । ଚଳିତ ୟୁଏସ ଓପନ ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଂଟ ହେବ ବୋଲି ସେ ପୂର୍ବରୁ ଘୋଷଣା କରିଥିଲେ । ମହିଳା ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ସେରେନା ଅଷ୍ଟ୍ରେଲିଆର ଓୟଲା ଟୋମିୟାନାଭିଚଙ୍କ ନିକଟରୁ ୭-୫, ୬-୭ ଓ ୬-୧ ସେଟରେ ପରାଜିତ ହୋଇଥିଲେ । ମ୍ୟାଚ ପରେ ସେ ଭାବପ୍ରବଣ ହୋଇ କହିଥିଲେ ଯଦି ଭେନେସ ନ ଥାନ୍ତା ତାହାହେଲେ ମୁଁ ସେରେନା ହୋଇ ନ ଥାନ୍ତି । ଏହି ଅବସରରେ ତାଙ୍କୁ ଯେତେବେଳେ ପଚରାଗଲା ଆପଣ ଅବସର ଘୋଷଣା ସମ୍ପର୍କରେ ପୁର୍ନବିଚାର କରିବେ କି ? ଏହାର ଉତରରେ ସେ କହିଥିଲେ ମୋତେ ଲାଗୁନ । ମାଆ ହେବା ପରେ ଆଗକୁ ଏହା ସମ୍ଭବ । ସେରେନା ୪ ବର୍ଷ ବୟସରୁ ର‌୍ୟାକେଟ ଧରିଥିଲେ । ତାଙ୍କ ବାପା ରିଚାର୍ଡ ୱିଲିୟମ୍ସଙ୍କ କଠିନ ପ୍ରଶିକ୍ଷଣ ସେରେନା ଏବଂ ଭେନସଙ୍କୁ ସଫଳ କରାଇଥିଲା ।

୧୯୯୯ରେ ସେ ତାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ । ଏହା ପରେ ସେ ଆଉ ପଛକୁ ନ ଚାହିଁ ୩୯ ଗ୍ରାଣ୍ଡସ୍ଲାମ ଜିତିଥିଲେ । ଏଥିରେ ୨୩ ସିଙ୍ଗଲ୍ସ, ୧୪ ଡବଲ୍ସ ଓ ୨ଟି ମିକ୍ସଡ ଡବଲ୍ସ ଟାଇଟଲ ସାମିଲ । ସେ ଅଲିମ୍ପିକ୍ସରେ ମଧ୍ୟ ଦେଶ ପାଇଁ ୪ ପଦକ ଜିତିଥିଲେ । ୨୦୧୨ରେ ଗୋଲ୍ଡେନ ସ୍ଲାମ ହାସଲ କରିବାରେ ପ୍ରଥମ ଖେଳାଳି ପାଲଟିଥିଲେ । ଏହା ପରେ ଭଉଣୀ ଭେନସଙ୍କ ସହ ଡବଲ୍ସରେ ମଧ୍ୟ ଏହି କମାଲ କରିଥିଲେ । ସେରେନାଙ୍କ କେତେକ ବିବାଦ ଚର୍ଚ୍ଚାର କାରଣ ସାଜିଥିଲା । ଏହା ମଧ୍ୟରେ ଅମ୍ପାୟରଙ୍କୁ ଚୋର କହିବା ଓ ମ୍ୟାଚ ଫିକ୍ସିଂ ପରି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ସାମିଲ । ତେବେ ଏ ସବୁ ସତ୍ୱେ ସେରେନା ଟେନିସରେ ଯେଉଁ କୀର୍ତିମାନ ସ୍ଥାପନ କରିଛନ୍ତି ତାହା ଭାଙ୍ଗିବା ଅନ୍ୟମାନଙ୍କ ପାଇଁ ଏତେଟା ସହଜ ହେବନି ।

Comments are closed.