Latest Odisha News

BREAKING NEWS

ଗଞ୍ଜାମରେ ମିଶରୀୟ ଶାଗୁଣାଙ୍କ ସୁରକ୍ଷା ଦାବି

ମିଶରୀୟ ଶାଗୁଣାର ସୁରକ୍ଷା ପାଇଁ ଦାବି

ବ୍ରହ୍ମପୁର: ଗଞ୍ଜାମ ଜିଲାର ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ପାଲୁର୍‌ ହିଲ୍‌ ଅଞ୍ଚଳରେ ବିରଳ ମିଶରୀୟ ଶାଗୁଣା ଦେଖିବାକୁ ମିଳିଛନ୍ତି ।  ପ୍ରାୟ ୨୦ଟି ଶାଗୁଣା ଦେଖାଦେଇଥିବା ବେଳେ ସେଥିରେ ୮ଟି ଛୁଆ ଏବଂ ୧୨ଟି ବୟସ୍କ ଶାଗୁଣା ରହିଛି। ଏହାର ସୁରକ୍ଷା ପାଇଁ ଦାବି କରିଛି ଆଞ୍ଚଳିକ ବିକାଶ ପରିଷଦ।

ଜିଲାରେ ପକ୍ଷୀ ଏବଂ ବନ୍ୟପ୍ରାଣୀ ସୁରକ୍ଷା ସହ ପରିବେଶ ଦିଗରେ କାର୍ଯ୍ୟ କରୁଥିବା ଏହି ସଂଗଠନ ତରଫରୁ ଏସଂପର୍କରେ ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କ ଉଦ୍ଧେଶ୍ୟରେ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ(ଆର୍‌ସିସିଏଫ୍‌) ପ୍ରଶାନ୍ତ ମିଶ୍ରଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଶନିବାର ବିଶ୍ୱ ଶାଗୁଣା ଦିବସ ପାଳନ ଅବସରରେ ଶାଗୁଣାମାନଙ୍କ ସୁରକ୍ଷା ପାଇଁ ସଂଗଠନ ତରଫରୁ ଏହି ପଦକ୍ଷେପ ନିଆଯାଇଛି।

ପରିଷଦର ସଭାପତି ସାଗର କୁମାର ପାତ୍ରଙ୍କ କହିବାନୁଯାୟୀ, ପୂର୍ବରୁ ଦେଶରେ ୯ ପ୍ରକାର ପ୍ରଜାତିର ଶାଗୁଣା ଦେଖିବାକୁ ମିଳୁଥିଲା । ବର୍ତ୍ତମାନ ଅଧିକାଂଶ ବିଲୁପ୍ତପ୍ରାୟ। ପ୍ରକୃତି ପ୍ରେମୀଙ୍କ ପାଇଁ ଖୁସିର ବିଷୟ ହେଲା, ପାଲୁର ହିଲ ଅଂଚଳରେ ଇଜିପ୍ଟିଆନ ଶାଗୁଣା ଅଛନ୍ତି। ଏହି ପ୍ରଜାତିର ଶାଗୁଣା ୨୦୧୩ ମସିହାରେ ପ୍ରଥମେ ଚିକିଟି ଅଞ୍ଚଳରେ ଦେଖାଦେଇଥିଲା । ପରେ ୨୦୧୬ ମସିହାରେ ତୋତୋଡ଼ାପଲ୍ଲୀ ପାଖ ଅଞ୍ଚଳରେ ୧୦ଟି ଚିହ୍ନଟ ହୋଇଥିଲା ।

ଖାଦ୍ୟ ଅନ୍ୱେଷଣରେ ମଣିଷ ବାସସ୍ଥାନ ଆଡ଼କୁ ଆସିବା ବେଳେ ଶିକାରୀ, ବିଷାକ୍ତ ଖାଦ୍ୟ ଓ ବିଦ୍ୟୁତ ଆଘାତରେ ଅନେକ ଶାଗୁଣା ମୃତ୍ୟୁ ମୁଖରେ ପଡୁଛନ୍ତି। ସେମାନଙ୍କ ସୁରକ୍ଷା ଜରୁରୀ । ଇଣ୍ଟେରନେଶନାଲ ବାର୍ଡ଼ ଲାଇଫ ଡାଟା ଜୋନ ଦ୍ୱାରା ବିଶ୍ୱ ପରିସଂଖ୍ୟାନରୁ ଜଣାଯାଇଛି ଯେ, ସାରା ବିଶ୍ୱରେ ଇଜିପ୍ଟିଆନ ଶାଗୁଣା ମାତ୍ର  ୯ହଜାର ଜୀବିତ ଅଛନ୍ତି ।

ଶାଗୁଣାର ମୁଖ୍ୟ ଖାଦ୍ୟ ହେଉଛି ମୃତ ଗୃହ ପାଳିତ ପଶୁର ଶବ। କିନ୍ତୁ ବର୍ତ୍ତମାନ ଗୃହ ପାଳିତ ପଶୁଙ୍କୁ ପ୍ରଚୁର ମାତ୍ରାରେ ଡ଼ାଇକ୍ଲୋଫେନାକ ଟୀକା ଦିଆଯାଉଛି । ଯାହା ଫଳରେ ପଶୁର ମୃତ୍ୟୁ ହେବା ପରେ ଶବକୁ ଶାଗୁଣା ଖାଇଲେ, ଡାଇକ୍ଲୋଫେନାକର ପ୍ରଭାବରେ କିଛି ଦିନରେ ସେମାନଙ୍କ ବୃକକ ସଂଚାଳନ ଉପରେ ପ୍ରଭାବ ପଡୁଛି। ଅକାଳରେ ମୃତ୍ୟୁ ହେଉଛି ।

ଏଣୁ ବିଲୁପ୍ତ ପ୍ରାୟ ଶାଗୁଣାର ସୁରକ୍ଷା ଓ ପ୍ରଜନନ ନିମନ୍ତେ ବ୍ରହ୍ମପୁର ବନଖଣ୍ଡରେ ‘ସ୍ବତନ୍ତ୍ର ଆକ୍ସନ ପ୍ଲାନ’ ଗୃହୀତ କରିବା, ଶାଗୁଣା ସୁରକ୍ଷା ଓ ପ୍ରଜନନ କେନ୍ଦ୍ର ସ୍ଥାପନ , ଉକ୍ତ ଅଞ୍ଚଳରେ ଗୋ-ପାଳିତ ପଶୁ ମାନଙ୍କୁ
ଡ଼ାଇକ୍ଲୋଫେନାକ ଟିକା ଦେବାକୁ ନିଷିଦ୍ଧ କରିବା ସହ ଏନେଇ ଚାଷୀଙ୍କୁ ସଚେତନ କରିବା ଏବଂ ଶାଗୁଣାର ସୁରକ୍ଷା ଓ ଗତିବିଧି ନିରୀକ୍ଷଣ ନିମନ୍ତେ କିଛି କର୍ମଚାରୀ ଓ ସ୍ବେଛାସେବୀଙ୍କୁ ନିଯୁକ୍ତ କରିବାକୁ ସଂଗଠନ ତରଫରୁ ଦାବି କରାଯାଇଥିବା ସଭାପତି ସାଗର କୁମାର ପାତ୍ର ପ୍ରକାଶ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ବିଜେନ୍ଦ୍ର ମାଝୀ, ପି. ଅରବିନ୍ଦ ଦେଶୀ ବେହେରା, ଧର୍ମରାଜ ପାତ୍ର,ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ପ୍ରଶନ୍ନ ସ୍ୱାଇଁ, ବନମାଳୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପଟେ ଏନେଇ ବ୍ରହ୍ମପୁର ଆର୍‌ସିସିଏଫ୍‌ ପ୍ରଶାନ୍ତ ମିଶ୍ର କହିଛନ୍ତି ଯେ, ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଏକ ଦାବିପତ୍ର ଦିଆଯାଇଛି । ଇଜିପ୍ଟିଆନ୍‌ ଶାଗୁଣା ନିର୍ଦ୍ଧିଷ୍ଟ କେଉଁଠାରେ ରହୁଛନ୍ତି, ସେନେଇ ସେମାନେ ସ୍ପଷ୍ଟ ସୂଚନା ଦେଇନାହାନ୍ତି । କିନ୍ତୁ ଯେଉଁ ଜାଗାକୁ ପଶୁ ଶବ ଖାଇବାକୁ ଆସୁଛନ୍ତି, ତାହା ଜଣାପଡ଼ିଛି । ଏଣୁ ଏହାର ଅଧିକ ଯାଞ୍ଚ କରାଯିବ। ବିଭାଗ ତରଫରୁ ତାହାର ସଂରକ୍ଷଣ ପାଇଁ ଯେଉଁ ପଦକ୍ଷେପ ଆବଶ୍ୟକ, ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.