Latest Odisha News

ରାସ୍ତା ସାଜିଛି ମରଣଯନ୍ତା, ସତ୍ୟାଗ୍ରହ କଲେ ଗ୍ରାମବାସୀ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡା ମୁଖ୍ୟ ରାସ୍ତା ସାଜିଛି ମରଣଯନ୍ତା । ରାସ୍ତା ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କ ପାଖରେ ବହୁ ଥର ଅଭିଯୋଗ କରିବା ପରେ ମଧ୍ୟ ରାସ୍ତା ମରାମତି ହେଉନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।  ଶେଷରେ ମଙ୍ଗଳବାର ଲୋଚାପଡ଼ା ସରପଞ୍ଚ ଏଲ୍‌.ମୋହନ ଦାସଙ୍କ ନେତୃତ୍ବରେ ଅଞ୍ଚଳବାସୀ ଦିନ ତମାମ୍‌ ସତ୍ୟାଗ୍ରହରେ ବସିଥିଲେ ।

ସୂଚନାଯୋଗ୍ୟ ଲୋଚାପଡା ଗ୍ରାମ ଠାରୁ ବ୍ରହ୍ମପୁର ସହରକୁ ସଂଯୋଗ କରୁଥିବା ରାସ୍ତାଟି ଦୟନୀୟ ଅବସ୍ଥାରେ ରହିଛି । ଏହି ରାସ୍ତା ଉପରେ ପାଞ୍ଚ ହଜାରରୁ ଅଧିକ ଲୋକ ନିତି ଦିନ ନିର୍ଭରଶୀଳ ଥିବାବେଳେ ରାସ୍ତାରେ ଖାଲ ଖମା ଯୋଗୁଁ ପ୍ରତିଦିନ ଘଟୁଛି ଦୁର୍ଘଟଣା  । କିଛି ଦିନ ତଳେ ଏହି ରାସ୍ତାରେ ପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ତେଣୁ ଆଉ କାହାକୁ ଅକାଳରେ ଜୀବନ ହାରିବାକୁ ନଦେବା ପାଇଁ ଗ୍ରାମବାସୀ ସତ୍ୟାଗ୍ରହକୁ ମାଧ୍ୟମ କରିଛନ୍ତି ।

ତେବେ ଏନେଇ ବିଭାଗୀୟ ଅଧିକାରୀ ଓ ବରିଷ୍ଟ ଅଧିକାରୀମାନଙ୍କୁ ଜଣାଇଥିଲେ ସମସ୍ୟାର ସମାଧାନ ବାହାରି ପାରୁନାହିଁ । ସମସ୍ତେ ଶୁଣୁଛନ୍ତି କିନ୍ତୁ ରାସ୍ତା ମରାମତି ପାଇଁ ଧ୍ୟାନ ଦେଉନାହାଁନ୍ତି ।  ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ଏବଂ ସରପଞ୍ଚ ସତ୍ୟାଗ୍ରହରେ ବସିଥିଲେ ।  ତଥାପି ଯଦି କୌଣସି ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ରାସ୍ତାରୋକ ପାଇଁ ବାଧ୍ୟ ହେବୁ ବୋଲି ସରପଞ୍ଚ ମୋହନ ଦାସ ପ୍ରକାଶ କରିଛନ୍ତି। ଲୋଚାପଡା ସମିତି ସଭ୍ୟ ଚଣ୍ଡି ଚରଣ ସାହୁଙ୍କ ସମେତ ବହୁ ଅଞ୍ଚଳବାସୀ ଏଥିରେ ସାମିଲ ହୋଇଥିଲେ । ତେବେ ପ୍ରଶାସନର ନିଦ କେବେ ଭାଙ୍ଗୁଛି ଏବଂ ଏହି ରାସ୍ତା ମରାମତି ହେଉଛି ତାହାକୁ ଗ୍ରାମବାସୀ ଅପେକ୍ଷା କରିଛନ୍ତି ।

Comments are closed.