ଭୁବନେଶ୍ୱର: ଶୁକ୍ରବାରଠାରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ) ପକ୍ଷରୁ ସୂର୍ଯ୍ୟମନ୍ଦିରରୁ ବାଲି କାଢିବା ନେଇ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ଏହାକୁ ନେଇ ଅନେକ ସଂଶୟ ସୃଷ୍ଟି ହୋଇଛି। ବାଲି କଢ଼ା ହେଲେ ମନ୍ଦିର ସୁରକ୍ଷିତ ରହିବ ତ? ଏତେ ବର୍ଷର ମନ୍ଦିର ସେଥିରୁ ବାଲି କଢା ହେଲେ ମନ୍ଦିର ସୁରକ୍ଷିତ ରହିବ ତ? ଯଦିଓ ଏହା ଏଏସଆଇ ଦ୍ୱାରା କରାଯାଉଛି ହେଲେ ରାଜ୍ୟ ସରକାର ଏ ଦିଗରେ ଅବଗତ ଅଛନ୍ତି ତ? ବାଲି କଢ଼ା ହୋଇ ସାରିଲେ ଚୂଡାନ୍ତ ପରିଣାମ କ’ଣ ହେବ ଏଭଳି ଅନେକ ପ୍ରଶ୍ନ ଉଠିଛି।
ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କହିଛନ୍ତି, କୋଣାର୍କ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ କେନ୍ଦ୍ର ସରକାରଙ୍କର । ରାଜ୍ୟ ସଂସ୍କୃତି ବିଭାଗର କୌଣସି ସଂପୃକ୍ତି ନାହିଁ। ଏଏସ୍ଆଇ ନିଜ କାମ କରୁଛି।
ଏଏସ୍ଆଇ ଅଧିକାରୀ ଧିଲୋନ ମିଶ୍ର କହିଛନ୍ତି, ବାଲି କାଢ଼ିବାକୁ ହେଲେ ପ୍ରଥମେ ୱାକିଂ ପ୍ଲାଟଫର୍ମ ତିଆରି କରାଯିବ। ଏଥିପାଇଁ ଲେ-ଆଉଟ ପ୍ରସ୍ତୁତ ହୋଇଛି। ଏହି ୱାକିଂ ପ୍ଲାଟଫର୍ମ ମନ୍ଦିରର ଦକ୍ଷିଣ ଓ ପଶ୍ଚିମ ପଟେ ହେବ । ଏହାର ଉଚ୍ଚତା ୪୫ ଫୁଟ୍ ରହିବ। ସେହିପରି ମନ୍ଦିର ଗର୍ଭଗୃହରେ ଥିବା ବାଲିକୁ ବାହାର କରିବାକୁ ୪ଫୁଟ୍ ଚଉଡ଼ା ଓ ୫ଫୁଟ୍ ଲମ୍ବର ଗାତ ଖୋଳାଯିବ। ଏହାପରେ ପଥର, ବାଲି ଆଦି କଢ଼ାଯିବ। ଏହି କାମ ଶେଷ ହେବାକୁ ପ୍ରାୟ ୩ ବର୍ଷ ଲାଗିବ ବୋଲି ସେ କହିଛନ୍ତି।
ଏହାପୂର୍ବରୁ ୨୦୨୦ ଜୁନ୍ ୧୧ରେ ଏକ ବୈଷୟିକ କମିିଟି ଗଠନ ହୋଇଥିଲା। ଗର୍ଭଗୃହରୁ ବାଲି କଢ଼ାଯିବା ନେଇ ଏହି କମିଟି ଗଠନ ହୋଇଥିଲା। ହେଲେ ମିଳିଥିବା ସୂଚନା ଅନୁସାରେ ଏବେର ଏଏସ୍ଆଇ ସମାନ କାମ କରୁଥିଲେ ମଧ୍ୟ ବୈଷୟିକ ଟିମ୍ର ପରାମର୍ଶ ନେଇନାହିଁ।
ବୈଷୟିକ କମିଟି ସଦସ୍ୟ ଏ.କେ. ପଟେଲ କହିଛନ୍ତି, ବାଲିକଢ଼ା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଗଣମାଧ୍ୟମରୁ ସେ ଏହା ଜାଣିବାକୁ ପାଇଛନ୍ତି। ତେବେ ବୈଷୟିକ୍ କମିଟିକୁ ଏ ନେଇ କୌଣସି ସୂଚନା ମିଳିନି।
ଏକ ଘରୋଇ ଟିଭି ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ ବିପୁୟିଟିର ପୂର୍ବତନ କୁଳପତି ଓମ୍କାର ନାଥ ମହାନ୍ତି କହିଛନ୍ତି, କୌଣସି ବିଶ୍ୱ ଐତିହ୍ୟରୁ ବାଲି କଢ଼ାଯିବାର ଏହା ପ୍ରଥମ ଉଦାହରଣ। ଏଣୁ ଏନେଇ କୌଣସି ଅଭିଜ୍ଞତା ନଥାଇ କାମ କରିବା ଅନେକ ଦ୍ୱନ୍ଦ୍ୱ ବଢ଼ାଇଛି।
ଦୀର୍ଘ ୧୧୯ ବର୍ଷ ପୂର୍ବେ ଇଂରେଜ ମାନେ ମନ୍ଦିରର ସୁରକ୍ଷା ପାଇଁ ବାଲି ଭର୍ତ୍ତି କରିଥିଲେ। ତେଣୁ ଏବେ ଦୀର୍ଘ ସମୟ ଧରି ବାଲି ରହିବା ପରେ ମନ୍ଦିରର ଭିତର ସ୍ଥିତି କଣ ଥିବ ସେନେଇ ଆଶଙ୍କା ଦେଖାଦେଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ମନ୍ଦିରଟି ବହୁ ପୁରୁଣା। ଅନେକ ସ୍ଥାନରେ ମରାମତି ଆବଶ୍ୟକ ବୋଲି ଜଣାପଡିଛି। ଏପରି ସ୍ଥିତିରେ ବାଲି ଓ ପଥର ବାହାର କରିବା ବେଳେ ଯେଉଁ ମେସିନ ବା ବଡ଼ ବଡ ଯନ୍ତ୍ରାଂଶ ବ୍ୟବହାର ହେବ ତାହା ମନ୍ଦିର ପାଇଁ ବିପଦ ବଢ଼ାଇବନି ତ ଯାହାକୁ ନେଇ ସଭିଏଁ ଦ୍ୱଦ୍ବରେ ପଡ଼ିଛନ୍ତି।
Comments are closed.