Latest Odisha News

ମୂଳଲେଖାର ଭାବ ସହ ସାମଞ୍ଜସ୍ୟ ହିଁ ସଫଳ ଅନୁବାଦର ସୂତ୍ର : ଶାରଦା ରଥ

ସାହିତ୍ୟର କ୍ଷେତ୍ର ସବୁବେଳେ ଅପରିସୀମ । ଏହା କୌଣସି ଗୋଟିଏ ଅଞ୍ଚଳର ଭାଷା ମଧ୍ୟରେ ସୀମିତ ନୁହେଁ ବରଂ ପୃଥିବୀର ସବୁ ଅଞ୍ଚଳର ଭାଷା, ସଂସ୍କୃତି, ସାମାଜିକ ଚଳଣି ସହ ପରୋକ୍ଷ ଭାବରେ ଜଡ଼ିତ । ହେଲେ ସବୁ ଭାଷାର ସାହିତ୍ୟକୁ ପଢ଼ିବା ସମ୍ଭବ ନୁହେଁ। ଅନ୍ୟ ଭାଷାର ସାହିତ୍ୟ ଜାଣିବାକୁ ହେଲେ, ନିଜ ମାତୃଭାଷାରେ ତାର ଅନୁବାଦ ଆବଶ୍ୟକ। ଅନୁବାଦ ଏକ ସୁକ୍ଷ୍ମ ସୃଜନାତ୍ମକ କଳା । ମୂଳ ସାହିତ୍ୟ ସହ ସମନ୍ୱୟ ରଖି ଆଉ ଗୋଟିଏ ଭାଷାରେ ତାକୁ ରୂପ ଦେବା ଖୁବ କଷ୍ଟସାଧ୍ୟ। ସେହି ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଖୁବ ସୁନ୍ଦର ଭାବରେ ନିର୍ବାହ କରିଆସୁଛନ୍ତି ଅନୁବାଦିକା ଶାରଦା ରଥ । ଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସେ ସର୍ବଦା ଚେଷ୍ଟିତ।

ମେଘବାହନ, ୧୨ଟି ବିଦେଶୀ ଗଳ୍ପ , ବନ୍ଧକରେ ରଘୁ, ପରିତପ୍ତ ଲଙ୍କେଶ୍ୱରୀ , ନିର୍ମଳା, ପ୍ରତିଜ୍ଞା, ଅଲେଖା କାଗଜ, ହେଡ୍ ଇଞ୍ଜୁରି, ବ୍ରେନ୍ କ୍ୟାନ୍‌ସର୍ ପ୍ରଭୃତି ଅନୂଦିତ ପୁସ୍ତକର ସେ କାଳଜୟୀ ସ୍ରଷ୍ଟା। ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହ ଅନେକ ସାହିତ୍ୟିକ ଅନୁଷ୍ଠାନ ପକ୍ଷରୁ ସେ ସାମ୍ମନିତା ଏବଂ ସମ୍ବର୍ଦ୍ଧିତା ।

ଅନୁବାଦିକା ଶାରଦା ରଥଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’

ସାହିତ୍ୟ ଜୀବନର ଆରମ୍ଭ କିପରି ହୋଇଥିଲା ?

ମୁଁ ବହୁତ ପ୍ରକୃତି ପ୍ରେମୀ। ଆମ ଗାଁ ସାକ୍ଷୀଗୋପାଳର ଚାରିପାଖରେ ବହୁତ ନଡ଼ିଆ, ଆମ୍ବ, ପଣସ, ଜାମୁରୋଳ, କଦମ୍ବ ଗଛରେ ଭରା। ସୂର୍ଯ୍ୟ କିରଣ ତଳେ ପଡ଼େ ନାହିଁ। ଗଛ ପତ୍ର ଗହଳରେ ବସି କୋଇଲି କୁମ୍ଭାଟୁଆ ଦିନ ସାରା ମଧୁର ସ୍ୱରରେ ରାବୁ ଥାଆନ୍ତି। ମୋତେ ସେ ସବୁ ଲେଖିବାକୁ ପ୍ରେରଣା ଯୋଗାଇ ଥିଲା ଆଉ ମଧ୍ୟ ମୋ ବାପା ବହୁତ୍ ପୁସ୍ତକ ପ୍ରେମୀ। ସେ ବହୁତ ପତ୍ରପତ୍ରିକା ମଗାନ୍ତି। ଭଲ ଭଲ ବହି କିଣି ମୋ ଜନ୍ମଦିନରେ ଦିଅନ୍ତି। ପାଠ ବହି ସହିତ ସେଗୁଡିକୁ ପଢିବାକୁ ଉତ୍ସାହିତ କରୁଥିଲେ। ୧୦/୧୧ ବର୍ଷ ବୟସରୁ ମୋର ସାହିତ୍ୟ ପ୍ରତି ଆଗ୍ରହ ବଢ଼ିଲା। ସେତେବେଳେ ମୁଁ ପ୍ରଜାତନ୍ତ୍ରର ମୀନା ବଜାରକୁ ଗଳ୍ପ କବିତା ଲେଖି ପଠାଉଥିଲି। ମୋର ସାହିତ୍ୟ ଜୀବନ ପିଲାଦିନରୁ ଏହିପରି ଆରମ୍ଭ ହୋଇଥିଲା।

 ସାହିତ୍ୟର ଅନେକ ବିଭାଗ ମଧ୍ୟରୁ ଅନୁବାଦ ସାହିତ୍ୟ ପ୍ରତି କେମିତି ଆକୃଷ୍ଟ ହେଲେ ?

ଥରେ ମୁଁ ମୋ ବଡପୁଅ ପାଖକୁ ଅଷ୍ଟ୍ରେଲିଆର ଏଡିଲେଡକୁ। ଯାଇଥିଲି। ସେ ଅଫିସ ଗଲା ପରେ ମୁଁ ତାର ଲାଇବ୍ରେରୀ କାର୍ଡ ଧରି ଲାଇବ୍ରେରୀକୁ ଚାଲିଯାଏ। ସେଠାରେ ଦେଖିଲି ସବୁ ବହି ଇଂଲିଶ। ମୁଁ ଖୋଜି ଖୋଜି ଗୋଟିଏ ହିନ୍ଦୀ ସେକ୍ସନ ପାଇଗଲି।ଅଳ୍ପ ହିନ୍ଦୀ ବହି ଥିଲା। ସେଥିରୁ ବାଛି ପ୍ରେମଚାନ୍ଦଙ୍କର ‘ପ୍ରତିଜ୍ଞା’ ଓ ‘ନିର୍ମଳା’ ବହି ଦୁଇଟି ଆଣି ପଢିଲି। ମୋତେ ଏତେ ଭଲ ଲାଗିଲା ଯେ ମୁଁ ଭାବିଲି ଆହା ଅନୁବାଦ କଲେ କେତେ ଭଲ ହୁଅନ୍ତା। ମୋର ଓଡ଼ିଶାର ଲୋକ ଯେଉଁମାନେ ହିନ୍ଦୀ ପଢ଼ି ପାରନ୍ତିନି ଏହାକୁ ଓଡ଼ିଆରେ ପଢ଼ି କେତେ ଖୁସି ହୁଅନ୍ତେ। ଏହାପରେ ମୁଁ ଅନୁବାଦ କରିବାକୁ ଆରମ୍ଭ କରିଥିଲି।

କେଉଁ ଲେଖକଙ୍କ ସୃଷ୍ଟିକୁ ଅନୁବାଦ କରି ଆପଣ ବେଶି ଆନନ୍ଦିତ ହୋଇଛନ୍ତି ଏବଂ କାହିଁକି ?

ଗୋଆର ରାଜ୍ୟପାଳ ମୃଦୁଳା ସିହ୍ନାଙ୍କର ‘ପରିତପ୍ତ ଲଙ୍କେଶ୍ଵରୀ’ ବହିଟି ଅନୁବାଦ କରି ମୁଁ ବେଶି ଆନନ୍ଦିତ ହୋଇଥିଲି।କାରଣ ଲଙ୍କାର ରାଜା ରାବଣଙ୍କ ପତ୍ନୀ ମନ୍ଦୋଦରୀ ରାବଣ ପରି କ୍ରୁର୍,ଅହଙ୍କାରୀ,ଚରିତ୍ରହୀନ ସ୍ବାମୀଙ୍କୁ ସତପଥକୁ ଆଣିବାକୁ ବହୁତ ଚେଷ୍ଟା କରି ଥିଲେ ବି ତାଙ୍କୁ କେବେ ଅସମ୍ମାନ କି ଅବମାନନା କରୁ ନଥିଲେ। ସୀତାଙ୍କୁ ରାବଣ ଆଣି ଲଙ୍କlପୂରୀରେ ବନ୍ଦି କରି ରଖିବା ବେଳେ ସେ ସୀତାଙ୍କ ପାଇଁ ଦୁଃଖ ଓ ସମବେଦନାରେ ଭାଙ୍ଗି ପଡୁଥିଲେ। ସୀତାଙ୍କୁ ରାମଙ୍କୁ ଫେରାଇ ଦେବାକୁ ରାବଣଙ୍କୁ ବହୁତ ବୁଝାଇ ଥିଲେ।ରାବଣ ପରି ସ୍ବାମୀଙ୍କୁ ସତମାର୍ଗକୁ ଆଣିପାରି ନଥିବାରୁ ସେ ସାରା ଜୀବନ ଦୁଃଖୀ ଓ ଅନୁତପ୍ତ ରହୁଥିଲେ। ଲଙ୍କାବlସୀ ମାନଙ୍କୁ ତାଙ୍କ ପୁଅ ଝିଅ ପରି ଭାବି ତାଙ୍କ ସୁଖ ଦୁଃଖ ବୁଝୁ ଥିଲେ ରାମଙ୍କ ବ୍ରହ୍ମ ଅସ୍ତ୍ରରେ ରାବଣ ନିହତ ହେବା ପରେ ସେ ସୀତାଙ୍କୁ ରାମଙ୍କ ସହିତ ଅଯୋଧ୍ୟାକୁ ପଠାଇବା ସମୟରେ ନିଜ ଝିଅ ପରି ‘,ଅଖଣ୍ଡ ସୌଭାଗ୍ୟ ବତୀ ଭବ’ ର ଆଶୀର୍ବାଦ ଦେଇଥିଲେ। ଏଥିରୁ ତାଙ୍କର ମହାନତା ଜଣାପଡେ। ବିଶେଷ ଭାବରେ ନାରୀ କୈନ୍ଦ୍ରିକ ବିଷୟଗୁଡ଼ିକ ମୋତେ ଅନୁବାଦ ପାଇଁ ଆକର୍ଷିତ କରିଥାଏ।

ସମ୍ପ୍ରତି ନୂଆ ଲେଖକମାନେ ଅନୁବାଦ ସାହିତ୍ୟ ପ୍ରତି ବିଶେଷ ଆଗ୍ରହ ଦେଖାଉ ନାହାନ୍ତି । ତେବେ ସେ କ୍ଷେତ୍ରଟି କିପରି ବିକଶିତ ହୋଇ ପାରିବ ବୋଲି ଭାବୁଛନ୍ତି ?

ନୂଆ ଲେଖକମାନେ ଭାବୁଛନ୍ତି ନିଜସ୍ଵ ଲେଖାଠାରୁ ଅନୁବାଦ ନ୍ୟୁନ୍। କିନ୍ତୁ ତାହା ନୁହେଁ। ନିଜସ୍ଵ ଲେଖା ମାତା ଦେବକୀ ହେଲେ ଅନୁବାଦ ସାହିତ୍ୟ ମାତା ଯଶୋଦା ହେବେ। ଯେଉଁମାନେ ଅନୁବାଦ କରନ୍ତି ବହୁତ ଦିଗକୁ ଧ୍ୟାନ ରଖି ଅନୁବାଦ କରିବାକୁ ହୁଏ। ଅନୁବାଦ ଏତେ ସହଜ ନୁହେଁ। ସୁତରାଂ ଯେଉଁମାନେ ଲେଖକଙ୍କଠାରୁ ଅନୁବାଦକଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖନ୍ତି ସେମାନଙ୍କର ଦୃଷ୍ଟି କୋଣ ବଦଳାଇବାକୁ ଅନୁରୋଧ। ସୁଖର କଥା ବର୍ତ୍ତମାନ ଅନୁବାଦର ବ୍ୟାପକ କାର୍ଯ୍ୟକ୍ରମ (ସରକାରୀ ଭାବରେ ହେଉ ବା ବେସରକାରୀ ଭାବରେ ହେଉ) ଆରମ୍ଭ କରାଯାଇ ଥିବାରୁ ଅନୁବାଦର ମହତ୍ତ୍ଵ ଓ ସମ୍ମାନ ବୃଦ୍ଧି ପାଇବାରେ ଲାଗିଛି । କେବଳ କେନ୍ଦ୍ର ସରକାର ନୁହନ୍ତି ବିଭିନ୍ନ ରାଜ୍ୟ ସରକାର, ଆକାଶବାଣୀ, ଦୂରଦର୍ଶନ ଓ ବିଶିଷ୍ଟ ପ୍ରକାଶନ ସଂସ୍ଥାମାନେ ଅନୁବାଦ ସମନ୍ଧିୟ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ବିଭିନ୍ନ ଭାଷାର ସମୃଦ୍ଧି ପାଇଁ ଜ୍ଞାନ ଭଣ୍ଡାରର ଅଭିବୃଦ୍ଧି ପାଇଁ ଅନୁବାଦର ଗୁରୁତ୍ଵ ଉପଲବ୍ଧି କରାଯାଇ ପାରିଥିବାରୁ ଅନୁବାଦର ଭବିଷ୍ୟତ ଯେ ଉଜ୍ବଳ ଏଥିରେ ଟିକେ ହେଲେ ସନ୍ଦେହ ନାହିଁ। ତେଣୁ ନୂଆ ଲେଖକ ମାନେ ଅନୁବାଦ ପାଇଁ ଆଗେଇ ଆସିବା ଉଚିତ।

ସୃଜନ ଓ ଅନୁସୃଜନ ଭିତରେ କି ପାର୍ଥକ୍ୟ ଅଛି ବୋଲି ଆପଣ ଅନୁଭବ କରନ୍ତି ?

ସୃଜନ ଯାହା ସୃଷ୍ଟି ହୋଇଥାଏ। ଅନୁସୃଜନ୍ ଯାହା ମୁଳ ଲେଖାକୁ ଅନୁସରଣ କରେ। ମୁଳ ଲେଖlର ଭାବ ଓ ଭାଷାକୁ ସମ ଭାବରେ ଧରି ରଖିବାକୁ ସାମର୍ଥ୍ୟ ଥିବା ଦରକାର। ନହେଲେ ଅନୁବାଦ ସଫଳ ହେଲା ବୋଲି ଆମେ ଭାବିବlନି । ଯଦି ମୂଳ ଲେଖାକୁ ଆମେ ସହଜ ,ସରଳ ଭାବରେ ପଢ଼ି ପlରୁଛେ ତେବେ ଅନୁବାଦକୁ ସେହିପରି ସହଜ ଓ ସରଳ ଭାବରେ ପଢ଼ିପlରିବା ତେବେ ଅନୁବାଦ ଠିକ୍ ହୋଇଛି ଭାବିବା।

ଭାରତୀୟ ଭାଷା ସାହିତ୍ୟରେ ଓଡ଼ିଆ ଭାଷା ସାହିତ୍ୟର ପ୍ରଭାବ କିପରି ?

ଭାରତୀୟ ସାହିତ୍ୟରେ ଆମ ଓଡ଼ିଆ ଭାଷାର ପ୍ରଭାବ ବହୁତ ବେଶି। ଆମ ଓଡ଼ିଆ ଭାଷାର ଗଳ୍ପ,କବିତା,ଉପନ୍ୟାସ ଏସବୁ ଭାରତୀୟ ସାହିତ୍ୟର ସମକକ୍ଷ।

ସମୟର ପରିବର୍ତ୍ତନ ସହ ନୂତନ ପୀଢିଙ୍କ ତୁଳନାରେ ବରିଷ୍ଠ ଲେଖକମାନେ ଅବହେଳିତ ହୁଅନ୍ତି ବୋଲି ଆପଣ ଭାବନ୍ତି କି ?

ନା କେବେ ନୁହେଁ। ସେମିତି ଭାବୁଥିଲେ ଆପଣ ଆଜି ମୋ ପାଖକୁ ଆସିଛନ୍ତି କାହିଁକି? ବରିଷ୍ଟ ଲେଖକମାନେ ଯେଉଁ ସାରଗର୍ଭକ ଉପାଦେୟ ପୁସ୍ତକ ଲେଖି ଯାଇଛନ୍ତି ନୂତନ ପୀଢ଼ି ସେଥିରୁ କିଛି ଶିଖିବାର ଅଛି ବୋଲି ଭାବୁଚି। ଆଉ ମଧ୍ୟ ନୂତନ ପୀଢ଼ିର ନୂତନ ଲେଖକମାନେ ସମୟ ଉପଯୋଗୀ ବହୁତ ଜ୍ଞାନ ପୂର୍ଣ୍ଣ ନୂଆ ନୂଆ ଲେଖା ଲେଖୁଛନ୍ତି ବରିଷ୍ଠ ଲେଖକମାନେ ବି ସେଥିରୁ କିଛି ଶିଖିବାରଥାଏ ବୋଲି ଭାବୁଛି।

ପାଠକ ଯାହା ପଢ଼ିବା ପାଇଁ ଚାହୁଁଛନ୍ତି, ସେମିତି ଲେଖା ହେଉ ନ ଥିବାରୁ ଆମର ଲୋକପ୍ରିୟ ସାହିତ୍ୟ ନାହିଁ ବୋଲି କହିବା ଠିକ ହେବକି ?

ନା ଠିକ୍ ହେବନାହିଁ। ଆମର ଲୋକ ସାହିତ୍ୟର ଭଣ୍ଡାର ଏତେ ପରିପୂର୍ଣ୍ଣ ଯେ ଆମେ ଏ ପର୍ଯ୍ୟନ୍ତ ସାମଗ୍ରିକ ଭାବରେ ଆମ ନିଜ ଆୟତକୁ ଆଣି ନାହୁଁ ବା ପଢ଼ି ପାରିନାହୁଁ ତେଣୁ ଲୋକ ପ୍ରିୟ ସାହିତ୍ୟ ନାହିଁ କହିବା ଠିକ୍ ହେବନାହିଁ।

ତଥାକଥିତ ଆନୁଷ୍ଠାନିକ ସ୍ଵୀକୃତି ଓ ସମ୍ବର୍ଦ୍ଧନା ଆପଣ କେମିତି ଦେଖନ୍ତି ?

ଆନୁଷ୍ଠାନିକ ସ୍ଵୀକୃତି ଲେଖକର ମନୋବଳ ବଢାଇ ଥାଏ। ଲେଖକଙ୍କୁ ଯେତେବେଳେ ସମ୍ମାନ ବା ପୁରସ୍କାର ଦିଆଯାଏ ସେତେବେଳେ ସେ ବହୁତ ଖୁସି ହୋଇଥାଏ ଯେ ଏତେ ପାଠକ ପାଠିକାଙ୍କ ମନକୁ ସେ କିଣି ପାରିଛି। ତେଣୁ ଆହୁରି ଉତ୍କୃଷ୍ଟ ସାହିତ୍ୟ ଲେଖିବାକୁ ତା’ ମନରେ ଉତ୍ସାହ ଅlସେ।

ନୂଆ ଲେଖକଙ୍କୁ କି ବାର୍ତ୍ତା ଦେବେ ?

ନୂଆ ଲେଖକଙ୍କୁ ଏହି ବାର୍ତ୍ତା ଦେବି ଯେ ଯେଉଁମାନେ ଲେଖାଲେଖି କରୁଛନ୍ତି ମଝିରୁ ନଛlଡନ୍ତୁ। ପୁରସ୍କାର ପ୍ରତି ଅନାସକ୍ତ ରହି ଲେଖନୀ ଚାଲନl କରନ୍ତୁ। ଏହା ଆପଣଙ୍କୁ ନିଃସଙ୍ଗତାରୁ ମୁକ୍ତି ଦେବ। ଆପଣଙ୍କର ମନୁଷ୍ୟତାକୁ ବିକଶିତ କରିବ।

Comments are closed.