Latest Odisha News

ଶାସ୍ତ୍ରୀୟ ଓଡ଼ିଆ ଭାଷା

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ

ତାମିଲ୍‌, ସଂସ୍କୃତ, କନ୍ନଡ଼, ତେଲୁଗୁ ଓ ମାଲାୟାଲମ୍ ପରେ ଭାରତବର୍ଷର ଷଷ୍ଠ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିଲା ଆମ ଭାଷା, ଓଡ଼ିଆ ଭାଷା । ଆମ ଭାଷାର ଗୌରବ ଗାଥା ଗାନ କରୁଥିବା ଏହି ଦିନ ଆମକୁ ଆମର ଗୌରବମୟ ଅତୀତର କଥା ସ୍ମରଣ କରାଇଦିଏ । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ଧଉଳି ଓ ଜଉଗଡ଼ ଶିଳାଲେଖ, ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ଉଦୟଗିରି ହାତୀଗୁମ୍ଫା ଶିଳାଲେଖରୁ ଆରମ୍ଭ କରି ୧୦୫୧ ଖ୍ରୀଷ୍ଟାବ୍ଦର ପ୍ରଥମ ପୂର୍ଣ୍ଣାଙ୍ଗ ଓଡ଼ିଆ ଶିଳାଲେଖ ଉର୍‌ଜାମ ଆମକୁ ଆମ ଲିପି ଓ ଭାଷାର କ୍ରମବିକାଶ କଥା ସୂଚାଇ ଦେଇଥାଏ । ଆମ ରାଜ୍ୟ ଓଡିଶା, ସମଗ୍ର ଭାରତବର୍ଷରେ ଏକମାତ୍ର ରଜ୍ୟା ଯେଉଁଠି ପ୍ରାକ୍ ବ୍ରାହ୍ମୀ, ବ୍ରାହ୍ମୀ ଓ ପରବର୍ତ୍ତୀ ବ୍ରାହ୍ମୀ ଲିପିର ସନ୍ଧାନ ମିଳିଛି । ସମଗ୍ର ଓଡ଼ିଶାର ୫୫ଟି ଗୁମ୍ଫାରୁ ୫୭୭୫ ଟି ଗୁମ୍ଫା ଚିତ୍ରରେ ମିଳେ ଆମର ଅତୀତର ସ୍ୱାକ୍ଷର ।

ନୂଆପଡ଼ାର ଗୁଡ଼ହାଣ୍ଡି ଓ ଯୋଗୀମଠରେ, ବିକ୍ରମଖୋଲରେ ଆମ ଭାଷାର ଆଦ୍ୟ ପଦଚିହ୍ନ ସ୍ପଷ୍ଟ ଆମ ବୋଇତବନ୍ଦାଣ ସହ ଲାଓମାନଙ୍କର ଥାଟ୍ ଲୁଆଙ୍ଗ, କାମ୍ବୋଡ଼ିଆର ବନ୍ ଓମ୍‌ ତୋକ୍ ଓ ଥାଇଲ୍ୟାଣ୍ଡର ଲୋଇ କ୍ରାଥୋଙ୍ଗ୍‌ର ବହୁ ସାମ୍ୟ ଦେଖିବାକୁ ମିଳେ ଯାହାକି ଆମ ଗୌରବମୟ ନୌବାଣିଜ୍ୟର ସୂଚନାଦିଏ । କହିବା ବାହୁଲ୍ୟ, ଚୁମ୍ଫାଚିତ୍ର, ମନ୍ଦିର ଗାତ୍ର, ପୋଥିପଥର, ମଠମନ୍ଦିର ସର୍ବତ୍ର ଆମ ଭାଷାର ପ୍ରାଚୀନତା, ଆମ ଭାଷାର ଗୌରବଗାଥାର ପ୍ରମାଣ ସ୍ପଷ୍ଟ ।

ଶିଳାଲେଖ, ତାଳପତ୍ର ପୋଥିଠୁ ଆରମ୍ଭ କରି ବୌଦ୍ଧ ପରିବ୍ରାଜକଙ୍କ ବିବରଣୀ ସବୁଠି ଆମେ ଆମ ଭାଷାର ଜୟଜୟକାର ଦେଖୁ । ସପ୍ତମ ଶତାବ୍ଦୀ ବେଳକୁ ଓଡ଼ିଶାରେ ବଜ୍ରଯାନ, କାଳଚକ୍ରଯାନ ଓ ସହଜଯାନ, ବୌଦ୍ଧଧର୍ମର ଏ ତିନୋଟି ଶାଖା ପଲ୍ଲବିତ ହୋଇଥିଲା । ବୁଦ୍ଧଦେବଙ୍କ ପ୍ରଥମ ଶିଷ୍ୟ ଭାବେ ପରିଚିତ ତପସୁ ଓ ଭଲ୍ଲୁକଙ୍କ କଥା ଆମେ ଅବଗତ ଅଛେ । ବୌଦ୍ଧବିଦ୍ୱାନ୍ ପଦ୍ମସମ୍ଭବ ଓଡ଼ିଶାରୁ ତିବ୍ଦତକୁ ଯାଇ ବଜ୍ରଯାନ ପ୍ରଚାର ପ୍ରସାର ସହ ଏହାର ନୂଆନାମ ଦେଇଥିଲେ ଲାମା । ଅଷ୍ଟମ, ନବମ ଶତାବ୍ଦୀର ଓଡ଼ିଶାରୁ ବୌଦ୍ଧ ବିଦ୍ୱାନ୍ ଆଚାର୍ଯ୍ୟ ପୀତୋପାଦ ସହଜଯାନ ଓ ବଜ୍ରଯାନ ବିଷୟରେ ବୁଝାଇ ଲେଖିଥିବା ଲେଖା ମିଳେ । ସାଧନାମାଳାରେ ବୌଦ୍ଧଧର୍ମର ଚାରୋଟି ମୁଖ୍ୟକେନ୍ଦ୍ର ମଧ୍ୟରୁ ଉଡ଼ୀୟାନ (ଆଧୁନିକ ଓଡ଼ିଶା) କିଭଳି ଗୁରୁତ୍ୱପୂର୍ଣ୍ଣ ଥିଲା ତାହା ପ୍ରମାଣ ମିଳେ । ସେହିଭଳି ଆମେ ଦେଖୁ, ଇନ୍ଦ୍ରଭୂତି ସମଲକ (ଆଧୁନିକ ସମ୍ବଲପୁର)ର ରାଜା ବଜ୍ରଯାନ, ସହଜଯାନରେ ସଂସ୍କାର ଆଣିବାର ପ୍ରୟାସ କରିଥିଲେ । ତାଙ୍କ ଲିଖିତ ‘ଜ୍ଞାନସିଦ୍ଧ’ ରେ ଏକଥା ସ୍ପଷ୍ଟ । ତିବ୍ଦତ ପର୍ଯ୍ୟନ୍ତ ସେ ବଜ୍ରଯାନର ପ୍ରସାର କରିଥିଲେ । ଏସବୁ କଥାରୁ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ ଓଡ଼ିଆ ଜାତି ବା ଓଡ଼ିଶା ଭୌଗୋଳିକ ଭୂଖଣ୍ଡର ଅନ୍ତଃସ୍ୱରରେ ଭାଷା ଓ ଭାବର ଉତ୍ସ ଛପି ରହିଛି ।

ଆମେ ଆମର ଭାଷାର ଇତିହାସକୁ ଲକ୍ଷ୍ୟ କଲେ ଦେଖୁ ଯେ, ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀରୁ ଆମ ଭାଷାର ପ୍ରାଚୀନ ନାମ ଉଡ୍ର ବିଭାଷାର ସଂକେତ ମିଳୁଛି । ଭରତମୁନିଙ୍କ ନାଟ୍ୟଶାସ୍ତ୍ରରେ ଏ ଭାଷା କଥା ଅଛି । ପ୍ରାକୃତ ଲଙ୍କେଶ୍ୱର ଗ୍ରନ୍ଥରେ ଅଠରଟି ଭାଷା ମଧ୍ୟରେ ଓଡ଼ିଆ ଭାଷା, ଲଳିତ ବିସ୍ତରରେ ବୁଦ୍ଧଦେବ ଜାଣିଥିବା ଚଉଷଠିଟି ଲିପି ମଧ୍ୟରୁ ଉଡ୍ରଲିପିର କଥା ଥିବାସହ ଜୈନ ସମବାୟ ସୂତ୍ର, ପ୍ରଜ୍ଞାପନୀ ସୂତ୍ର, ନନ୍ଦୀସୂତ୍ର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରୁ ମିଳିଥିବା ଶିଳାଲେଖ ଗୁଡ଼ିକରେ ଖୋଦିତ ଭାଷାରେ ଉଡ୍ରବିଭାଷା, ଅର୍ଦ୍ଧମାଗଧୀ, ବ୍ରାହ୍ମୀଲିପି, କୁଶାଣ ବ୍ରାହ୍ମୀଲିପି, ଅପଭ୍ରଂଶ ଓଡ଼ିଆ ଭାଷା କଥା କୁହାଯାଇଛି । ଏ ସବୁ ଆମର ସେ ସମ୍ପଦ । ଆମେ ଶାସ୍ତ୍ରୀୟ ଭାଷା ଦିବସ ପାଳନ କରୁଥିବାବେଳେ ଆମକୁ ଆମର ଭାଷାର ପ୍ରାଚୀନତା, ପ୍ରାଚୀନ ପରମ୍ପରା, ନୌବାଣିଜ୍ୟ ସମ୍ପର୍କ ସହ ବୌଦ୍ଧଗାନ ଓ ଦୋହାରୁ ଆମେ ପ୍ରାମାଣିକ ତଥ୍ୟ ପାଇଥାଉ । ଆମ ଭାଷା, ଶାସ୍ତ୍ରୀୟ ଭାଷା ଏହା ଆମକୁଗୌରବାନ୍ୱିତ କରିଛି । ଏହାର ସୁରକ୍ଷା ଓ ସଂରକ୍ଷଣ ଦିଗରେ ଆସନ୍ତୁ ଆମେ ସମସ୍ତେ ନିଜ ନିଜ ଭୂମିକା ନିର୍ବାହ କରିବା ।

ବରିଷ୍ଠ ଗବେଷକ, ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର,
ଶିକ୍ଷା ମନ୍ତ୍ରାଳୟ, ଭାରତ ସରକାର, ଭୁବନେଶ୍ୱର-୭୫୧୦୦୯
ଭୁବନେଶ୍ୱର-୭୫୧୦୦୨

Leave A Reply

Your email address will not be published.