Latest Odisha News

ଏକ ଲକ୍ଷ ଟଙ୍କାର ଲାପଟପ ମିଳିବ ୪୦ ହଜାର ଟଙ୍କାରେ  : ଅନିଲ ଅଗ୍ରଓ୍ବାଲ

ମୁମ୍ବାଇ:  ଆପଣ ଭଲ ଲାପଟପ୍ କିଣିବାକୁ ଚାହୁଁଛନ୍ତି କି? ଯଦି ହଁ ତେବେ ଆଉ କିଛି ଦିନ ଅପେକ୍ଷା କରନ୍ତୁ  । କାରଣ ହେଉଛି ଏହାର ଦାମ ଆଉ କିଛି ଦିନ ଭିତରେ ୪୦ ହଜାର ଟଙ୍କାରେ ମିଳିପାରେ । ଏଭଳି ଦାବି ରଖିଛନ୍ତି ଶିଳ୍ପପତି ଅନିଲ୍ ଅଗ୍ରଓ୍ବାଲ ।  ଏକ ଲକ୍ଷ ଟଙ୍କାର ଲାପଟପ  ୪୦ ହଜାର ଟଙ୍କାରେ ମିଳିବ ବୋଲି ସେ ଜାତୀୟ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ଲାପଟପ୍ ଦାମ ବଢ଼ିବା ପଛରେ ମୁଖ୍ୟ କାରଣ ହେଉଛି, ଲାପଟପର ଅନେକ ଉପକରଣ  ଭାରତରେ ଉତ୍ପାଦନ ହେଉନାହିଁ । ଏଥିପାଇଁ ଚୀନ, କୋରିଆ, ତାଇଓ୍ବାନ ଉପରେ ନିର୍ଭର କରିବାକୁ ପଡୁଛି । ତେବେ ଆଉ ଚୀନ ଉପରେ ନିର୍ଭର ନହୋଇ ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଥିବା  କହିଛନ୍ତି ବେଦାନ୍ତ କଂପାନି ଚେୟାରମ୍ୟାନ୍ ଅନିଲ ଅଗ୍ରଓ୍ବାଲ । ତାଇଓ୍ବାନ କଂପାନି ଫକ୍ସକନ୍ ସହ ମିଶି ଗୁଜରାଟରେ ସେମି କଣ୍ଡକ୍ଟର କଂପାନି ନିର୍ମାଣ କରିବାକୁ ଚୁକ୍ତି କରିବା ପରେ ଏପରି କହିଛନ୍ତି ଅନିଲ ଅଗ୍ରଓ୍ବାଲ । ଗୁଜରାଟରେ ତାଙ୍କ କଂପାନି ୧.୫୪ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ କରିବ ବୋଲି ଚୁକ୍ତି କରିସାରିଛି ।

 ଭାରତରେ ସେମି କଣ୍ଡକ୍ଟର ଚିପ୍ସ ବନିବା ପରେ ଅନେକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଦାମ କମିଯିବ । ବିଶେଷ କରି ଯେଉଁ ଭଲ ଲାପଟପ ଏବେ ଏକ ଲକ୍ଷ ଟଙ୍କାରେ ମିଳୁଛି ତାହା ୪୦ ହଜାର ଟଙ୍କାରେ ମିଳିବ ବୋଲି ସେ କହିଛନ୍ତି ।

 ତାଙ୍କ କଂପାନି ଏବେ ଇଲେକ୍ଟ୍ରୋନିକ୍ସ ର ବିଭିନ୍ନ ଉପକରଣ ନିର୍ମାଣ ଉପରେ ଅଧିକ  ଧ୍ୟାନ ଦେଉଛି । ମହାରାଷ୍ଟ୍ର ଏବଂ ଗୁଜରାଟରେ ଏସବୁ ଉପକରଣ ପାଇଁ ଯୋଜନା ଚାଲିଛି ।  ଆଗାମୀ ଦିନରେ ମୋବାଇଲର ଦାମ ମଧ୍ୟ କମିବ ବୋଲି ସେ କହିଛନ୍ତି । ତାଇଓ୍ବାନ ଏବଂ କୋରିଆ ଏବେ ସେମିକଣ୍ଡକ୍ଟର ଉତ୍ପାଦନ  କରୁଛନ୍ତି । ଯଦି ଏହି ସାମଗ୍ରୀ ଭାରତରେ ଉତ୍ପାଦନ କରାଯିବ ତେବେ ଏହାର ଦାମ ଅଧାକୁ ଆସିଯିବ । ବେଦାନ୍ତ ଏବେ ଫୋନର ବିଭିନ୍ନ ଉପକରଣ, ଇଲେକ୍ଟ୍ରିକ ଯାନ ନିର୍ମାଣ ପାଇଁ ଅଧିକ ଧ୍ୟାନ ଦେଉଥିବା ସେ କହିଛନ୍ତି।

Comments are closed.