Latest Odisha News

BREAKING NEWS

ବସ୍ତି ପ୍ରତିଭାଙ୍କୁ ମଞ୍ଚ ଦେଲା ବିଏମ୍‌ସି

ବ୍ରହ୍ମପୁର:ବ୍ରହ୍ମପୁର ସହରର ବସ୍ତିଗୁଡ଼ିକରେ ରହିଥିବା ପ୍ରତିଭାଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ମଞ୍ଚ ଦେଇଛି ବ୍ରହ୍ମପୁର ମହାନଗର ନିଗମ। ସୋମବାର ଠାରୁ ମହାନଗର ନିଗମ ତରଫରୁ ବସ୍ତିଗୁଡ଼ିକରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ ଆରମ୍ଭ ହୋଇଯାଇଛି । ସ୍ବାଧୀନତାର ଅମୃତ ମହୋତ୍ସବ ଅଧିନରେ ଆସନ୍ତା ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସହରର ସମସ୍ତ ବସ୍ତିରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ମହାନଗର ନିଗମର ୨୫ ନମ୍ବର ୱାର୍ଡର ବିଜିପୁର କାଳୁଆ ମନ୍ଦିର କଲ୍ୟାଣ ମଣ୍ଡପରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ଆୟୋଜନକୁ ପ୍ରଶଂସା କରିଥିଲେ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ‘ଜାଗା ମିଶନ’ରେ ବସ୍ତିଗୁଡ଼ିକରେ ଅନେକ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । ରାସ୍ତାର ଠାରୁ ଆଲୋକ ପର୍ଯ୍ୟନ୍ତ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ବସ୍ତିଗୁଡ଼ିକରେ ଏଭଳି ପ୍ରତିଯୋଗିତା ଆୟୋଜନ ଫଳରେ ଅନେକ ଲୁକ୍କାୟୀତ ପ୍ରତିଭା ଲୋକଲୋଚନକୁ ଆସିବ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ମେୟର ସଂଘମିତ୍ରା ଦଳେଇ ଯୋଗଦେଇ କହିଥିଲେ ଯେ, ସ୍ଥାନୀୟ ପ୍ରତିଭାବାନ ପୁଅ ଝିଅଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନରେ ଏହି କାର୍ଯ୍ୟକ୍ରମ ଫଳପ୍ରଦ ହେବ। ବସ୍ତିଗୁଡ଼ିକର ଉନ୍ନୟନ ପାଇଁ ଆଗାମୀ ଦିନରେ ମଧ୍ୟ ‘ଜାଗା ମିଶନ’ରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମିଶନର ଜେ.ସୋନାଲ, କର୍ପୋରେଟର ନରସିଂହ ସେଠୀ ଏବଂ ସୋନାଲି ଗନ୍ତାୟତ ଉପସ୍ଥିତ ଥିଲେ । ନୋଡାଲ୍‌ ସିଓ ସ୍ମିତା ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ସିଓ କବିତାରାଣୀ ପାତ୍ର ପରିଚାଳନା କରିଥିଲେ। ଏହି ଅବସରରେ ବସ୍ତିର ପିଲାମାନଙ୍କ ମଧ୍ୟରେ ଝୋଟି, ନୃତ୍ୟ, କବିତା, ସଂଗୀତ ଏବଂ ତର୍କ ସହ ଅନ୍ୟାନ୍ୟ ପ୍ରତିଯୋଗିତା ଆୟୋଜନ ହୋଇଥିଲା । କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବହୁ ଅଞ୍ଚଳବାସୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ସେହିଭଳି ସହରର ଅନ୍ୟାନ୍ୟ ସ୍ଥାନ ଯଥା ହରିଡ଼ାଖଣ୍ଡି କଲ୍ୟାଣ ମଣ୍ଡପ, କାଳୁଆ ମନ୍ଦିର କଲ୍ୟାଣ ମଣ୍ଡପ ଏବଂ ଠାକୁରାଣୀ ମନ୍ଦିର କଲ୍ୟାଣ ମଣ୍ଡପରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସ୍ଥାନୀୟ କର୍ପୋରେଟରମାନେ ଅତିଥି ଭାବେ ଯୋଗଦେଇଥିଲେ। ସହରର ସମସ୍ତ ୪୨ଟି ୱାର୍ଡର ବସ୍ତିଗୁଡ଼ିକରେ ଏହି ପ୍ରତିଯୋଗିତା ଆଗାମୀ ଦିନରେ ଆୟୋଜନ କରାଯିବ ବୋଲି ମହାନଗର ନିଗମ ତରଫରୁ ସୂଚନା ମିଳିଛି।

Leave A Reply

Your email address will not be published.