Latest Odisha News

ଅନୁଭୂତିରୁ ଯେଉଁ ସାହିତ୍ୟ ସୃଷ୍ଟି ହୁଏ, ତାହା କାଳଜୟୀ : ସ୍ମୃତି ପଟ୍ଟନାୟକ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସ୍ମୃତି ପଟ୍ଟନାୟକ । ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ ପୁଣି କବିତାର ତତ୍ତ୍ୱ ଏବଂ ଉପନ୍ୟାସର ଆରମ୍ଭ । ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ଶାଣିତ ଶବ୍ଦର ପ୍ରୟୋଗ ସହ ସାବଲୀଳ ଭାବର ମଧୁରପଣରେ ଅତି ନିଖୁଣ ଭାବରେ ସେ ସଜାଇ ପାରନ୍ତି ତାଙ୍କ ସର୍ଜନାର ଧାରା ।

ବହ୍ନିଶିଖା, ଦେବୀ ଓ ଅନ୍ୟାନ୍ୟ ଗଳ୍ପ, ଦାଗ, ତଥାପି, ଗୋଧୂଳିର ଛାଇ, ସମ୍ଭାବନାର ସକାଳ ଆଦି ପୁସ୍ତକ ସହ ଆହୁରି ଅନେକ ପୁସ୍ତକର ସେ କାଳଜୟୀ ସ୍ରଷ୍ଟା। ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଏବଂ ସମ୍ବର୍ଦ୍ଧିତା।

ଲେଖିକା ସ୍ମୃତି ପଟ୍ଟନାୟକଙ୍କ ସହିତ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’

ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ମୂଖ୍ୟ ଉତ୍ସ କ’ଣ ଥିଲା ?

ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ମୁଖ୍ୟ ଉତ୍ସ ଥିଲା ମାଆଙ୍କ ଗଳ୍ପ ଓ ଉପନ୍ୟାସ ପଢିବାର ଆଗ୍ରହ ଦେଖି , ସ୍କୁଲରେ ପଞ୍ଚମ ଓ ଷଷ୍ଠ ଶ୍ରେଣୀରେ ପଢିଲା ସମୟରୁ ସାହିତ୍ୟ ପ୍ରତି ଆକର୍ଷଣ ସୃଷ୍ଟି ହୋଇଥିଲା । ବହୁ ସମୟରେ ମାଆ ପଢି ସାରିଲା ପରେ ତାଙ୍କ ଅଜାଣତରେ ମୁଁ ଲୁଚାଇ ପ୍ରତିଭା ରାୟ ଓ ବିଭୁତି ପଟ୍ଟନାୟକ ଙ୍କର ଉପନ୍ୟାସ ପଢୁଥିଲି ।

ରଚନା ସହିତ ଅନୁଭୂତି କେତେ ମାତ୍ରାରେ ଜଡ଼ିତ ?

ରଚନା ସହିତ ଅନୁଭୂତି ଅନ୍ତରଙ୍ଗ ଭାବେ ଜଡିତ, ଅନୁଭୂତି ରୁ ଯେଉଁ ସାହିତ୍ୟ ସୃଷ୍ଟି ହୁଏ ; ତାହା କାଳଜୟୀ ସାହିତ୍ୟ ହୋଇଥାଏ ।

ଆପଣ ଏକାଧାରରେ ଜଣେ କବି, ଔପନ୍ୟାସିକା ଏବଂ ଗାଳ୍ପିକା । ତେବେ କେଉଁ ପରିଚୟ ଆପଣଙ୍କୁ ଅଧିକ ଆତ୍ମସନ୍ତୋଷ ଦେଇଛି ଓ କାହିଁକି ?

ଉପନ୍ୟାସ ଲେଖିବା ମୋତେ ଅଧିକା ଆତ୍ମସନ୍ତୋଷ ଦେଇଛି । କାରଣ ଉପନ୍ୟାସରେ ଚରିତ୍ରମାନଙ୍କୁ ମୁଁ ଠିକ୍ ଭାବରେ ନ୍ୟାୟ ଦେଇପାରିଛି ଓ ସେମାନଙ୍କର ବୈଶିଷ୍ଟ୍ୟ ପ୍ରତିପାଦନ କରି ପାରିଛି ବୋଲି ମୋତେ ଅନୁଭବ ହୁଏ । ସ୍ବପ୍ନରେ ସେମାନଙ୍କ ସହ ଯେମିତି ମୁଁ କଥାବାର୍ତ୍ତା ମଧ୍ୟ କରେ । ଉପନ୍ୟାସଟିଏ ଲେଖିଲା ବେଳେ ମାନସିକ ଓ ଶାରୀରିକ ପ୍ରସ୍ତୁତି ନିହାତି ଦରକାର ; ସମାଜ ପାଇଁ ବାର୍ତ୍ତାବହ ସାଜନ୍ତି ଚରିତ୍ରମାନେ ।

ଆପଣଙ୍କ ବୃତ୍ତି ଆପଣଙ୍କ ପ୍ରବୃତ୍ତିକୁ କିଭଳି ପ୍ରଭାବିତ କରିଛି ?

ମୋ ବୃତ୍ତି ନିଶ୍ଚିତ ଭାବରେ ମତେ ସହାୟକ ହୋଇଛି । ପିଲାମାନଙ୍କ ସହ ଆଳାପ ଆଲୋଚନା ମତେ ଅନେକ ଚରିତ୍ର ସୃଷ୍ଟି କରିବା ପାଇଁ ସହାୟକ ହୁଏ ।

ଉପନ୍ୟାସଟିଏ ଲେଖିଲା ବେଳେ ଆପଣ କି ପ୍ରକାର ପ୍ରସ୍ତୁତି କରିଥାନ୍ତି ?

ଉପନ୍ୟାସଟିଏ ଲେଖିଲା ବେଳେ ମାନସିକ ଓ ଶାରୀରିକ ପ୍ରସ୍ତୁତି ନିହାତି ଦରକାର ; ସମାଜ ପାଇଁ ବାର୍ତ୍ତାବହ ସାଜନ୍ତି ଚରିତ୍ରମାନେ ।

ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ଇପ୍ସିତ ସୃଷ୍ଟିକୁ ରୂପ ଦେଇ ପାରିଛନ୍ତି କି ?

ନା, ମୋତେ ବେଳେ ବେଳେ ଲାଗେ କିଛି ନା କିଛି ବାକି ରହିଯାଇଛି ମୋର ଈପ୍ସିତ ସୃଷ୍ଟି କୁ ରୂପ ଦେବାପାଇଁ ।

ଆପଣ ନିଜ ରଚନାର ସମୀକ୍ଷା କଲେ କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

ନିଜ ରଚନା ର ସମୀକ୍ଷା କଲେ ମୁଁ ଠିକ୍ ଭାବରେ କରିପାରିବିନି, ନିଜ ମାନସ ସନ୍ତାନ ସନ୍ତତି ମାନଙ୍କ ର ଭୁଲ୍ ମାଆ ଆଖିକୁ ଦେଖାଯାଏନି ।

ଜଣେ ଲେଖକର ସାମାଜିକ ଦାୟିତ୍ଵବୋଧ କିପରି ହେବା ଆବଶ୍ୟକ ?

ଜଣେ ଲେଖକର ସାମାଜିକ ଦାୟିତ୍ୱବୋଧ ରହିବା ନିହାତି ଉଚିତ୍।  ମୋ ମତରେ ଲେଖାରେ ସାମାଜିକ ପ୍ରତିଶୃତିବଦ୍ଧତା ଏବଂ ଅଙ୍ଗୀକାରବଦ୍ଧତା ଲେଖକୀୟ ସ୍ବୀକୃତି ଦିଏ। ସମାଜକୁ ଦିଗ୍‌ଦର୍ଶନ ଦେବା ଲେଖା ମାଧ୍ୟମରେ ଜଣେ ଲେଖକର ଏକାନ୍ତ କର୍ତ୍ତବ୍ୟ ।

ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟକ କେତେ ମାତ୍ରାରେ ସହାୟକ ହୋଇଛି ?

ହଁ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସାମାଜିକ ଗଣମାଧ୍ୟମ ର ଭୂମିକା ନିଶ୍ଚିତ ଭାବେ ଗୁରୁତ୍ବପୂର୍ଣ୍ଣ। ସେମାନେ ସାହିତ୍ୟ ଓ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କଣ ସ୍ଵପ୍ନ ଦେଖନ୍ତି ?

ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଅନେକ ଅକୁହା ସ୍ବପ୍ନ ରହିଛି ମନ ଭିତରେ। ନିଜର ବ୍ୟସ୍ତବହୁଳ ଜୀବନ ଓ ସମାଜକୁ ନେଇ ଏକ ସର୍ବକାଳୀନ ଉପନ୍ୟାସ ରଚନା କରିବା ପାଇଁ ବହୁତ ଆକାଂକ୍ଷା ରହିଛି । ଶେଷରେ ଏତିକି କହିବି ସାହିତ୍ୟରେ ସବୁ ସମୟରେ ମାନବୀୟ ମୂଲ୍ୟବୋଧ ରହୁ ; ଯାହା ମୋ ହୃଦୟରେ ଏଯାବତ୍ ରହିଛି ଓ ଭବିଷ୍ୟତରେ ରହିବ ମଧ୍ୟ ।

 

 

Comments are closed.