Latest Odisha News

BREAKING NEWS

ଏହି ଅମାବାସ୍ୟାର ନାମ କାହିଁକି ‘ମହାଳୟା’ ?

ଭୁବନେଶ୍ୱର :  ଆଜି ପବିିତ୍ର ମହାଳୟା । ଆଶ୍ୱିନ ମାସର ଅମାବାସ୍ୟା ‘ମହାଳୟା’ଅମାବାସ୍ୟା ଭାବରେ ପରିଚିତ ଓ ପ୍ରସିଦ୍ଧ। ଏହି ଅମାବାସ୍ୟାର ନାମ କାହିଁକି ‘ମହାଳୟା’, ତାହାର ଅନେକ ତାତ୍ପର୍ଯ୍ୟ ରହିଛି । ‘ମହତାଂ ଆଳୟଃ ମହାଳୟଃ’। ଅର୍ଥାତ୍ ମହାନ ପୁରୁଷମାନଙ୍କର ଆଳୟ ହେଉଛି ମହାଳୟ ।

ଏହି ପୁରୁଷମାନେ ହେଉଛନ୍ତି ଆମ କୁଳର ମହାନ ପୂର୍ବଜମାନେ । ସ୍ୱର୍ଗରେ ସେମାନେ ଯେଉଁ ପିତୃଲୋକରେ ଅବସ୍ଥାନ କରନ୍ତି ତାହା ‘ମହାଳୟା’ । ଆଶ୍ୱିନ ମାସର କୃଷ୍ଣପକ୍ଷ ଏହି ପିତୃପୁରୁଷମାନଙ୍କର ଶ୍ରାଦ୍ଧ ଓ ତର୍ପଣ ପାଇଁ ପ୍ରଶସ୍ତ। ବିଶେଷ କରି ଅମାବାସ୍ୟା ଦିନ ‘ମହାଳୟ’ ନିବାସୀ ସେହି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ତର୍ପଣ କରାଯାଉଥିବାରୁ, ଏହାର ନାମ ‘ମହାଳୟା ’।

ପାରମ୍ପରିକ ବିଧି ଅନୁସାରେ, ପିତୃକୁଳର ତିନିପୁରୁଷ ଓ ମାତୃକୁଳର ତିନିପୁରୁଷ- ଏହିପରି ଷଡ଼୍‌ପୁରୁଷଙ୍କୁ ଏହି ଶ୍ରାଦ୍ଧ ଓ ତର୍ପଣ କରାଯାଇଥାଏ । ବିଶେଷ କରି ମାତୃକୁଳର ତିନି ପୁରୁଷଙ୍କୁ ଏହିଦିନ ଶ୍ରାଦ୍ଧ ଓ ତର୍ପଣ କରାଯାଉଥିବାରୁ, ଲୋକମୁଖରେ ଏହିଦିନର ଶ୍ରାଦ୍ଧ ‘ମଉଳା ଶ୍ରାଦ୍ଧ’ ଭାବରେ ମଧ୍ୟ ପରିଚିତ ହୋଇଛି ।

ପବିତ୍ର ମହାଳୟା ଶ୍ରାଦ୍ଧ ପାଇଁ ଆଜି ଶହଶହ ଶ୍ରଦ୍ଧାଳୁ ପିତୃ ପୁରୁଷ ଓ ମାମୁଁ ଘର ତିନି ପୁରୁଷଙ୍କୁ ପିଣ୍ଡଦାନ କରିଥିଲେ। ପିଣ୍ଡଦାନ କଲେ ପରଲୋକଗତ ଆତ୍ମାର ସଦ୍‍ଗତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଓଡ଼ିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଆଜି ପିଣ୍ଡଦାନ କରି ଶ୍ରାଦ୍ଧ ଅର୍ପଣ କରୁଛନ୍ତି।

 

Leave A Reply

Your email address will not be published.