Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୪ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରର ଅନେକ ତୀର୍ଥ ଅନେକ ସ୍ଥାନ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ନରେନ୍ଦ୍ର ପୁଷ୍କରିଣୀ। କିନ୍ତୁ ଏହା ପଞ୍ଚ ତୀର୍ଥ ମଧ୍ୟରେ ଗଣା ହୁଏନି। କିନ୍ତୁ ଶ୍ରୀକ୍ଷେତ୍ରରେ ପ୍ରବେଶ କରୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତ ଏହି ପୁଷ୍କରିଣୀ ରେ ସ୍ନାନ କରିବାର ଅଭିଳାଷ ରଖିଥାନ୍ତି। କେବଳ ଭକ୍ତ ଓ ଶ୍ରଦ୍ଧାଳୁ ନୁହଁନ୍ତି ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ଏକୋଇଶି ଦିନ ଧରି ଏହି ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରନ୍ତି । ଏଣୁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ତାଙ୍କ ରଚିତ ରସିକ ହାରlବଳି କାବ୍ୟରେ ଖୁବ ସୁନ୍ଦର ବର୍ଣ୍ଣନା କରି ଲେଖିଛନ୍ତି :- ନରେନ୍ଦ୍ର ତଡlରେ କରୀନ୍ଦ୍ର ସୁରେନ୍ଦ୍ର ପରିହରି,ନାବରେ ଭାବରେ ବିଜୟ କରି ସୁଖେ ବିହରି, ପଛେ ରହି ସ୍ଵଛେ ବିରହି ପୁଛେ ଦ୍ବିଜେ ସେବନ୍ତି ରଞ୍ଜନ, ବ୍ୟଜନ ସଜଳ କରେ ଧରି ବିଞ୍ଚନ୍ତି। ସଂସାର ସାର ଘନ ସାର ପିଚିକା କେ ମାରଇ, କ୍ଷୀର ନିଧି ଧୀର ଲହରି ପରି ଚାମର ଶୋହି।

ଉପରୋକ୍ତ ବର୍ଣ୍ଣନା ପଢିଲା ପରେ ଯେ କୌଣସି ଭକ୍ତ ମନ ଏହି ପୁଷ୍କରିଣୀ ପ୍ରତି ଓ ପ୍ରଭୁଙ୍କ ଚନ୍ଦନଯାତ୍ରା ପ୍ରତି ନିଶ୍ଚିତ ଆକୃଷ୍ଟ ହେବ। ଏମିତି ମଧ୍ୟ ମହାପ୍ରଭୁଙ୍କର ଘୋଷଯାତ୍ରା ପରେ ଏହି ଚନ୍ଦନ ଯାତ୍ରାର ଚମକ ଓ ଖ୍ୟାତି ଅନେକ। ଏହା ଶ୍ରୀଜୀଉମାନଙ୍କର ଭବ୍ୟ ଓ ବୃହତମ ଯାତ୍ରା। ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ଏହି ଯାତ୍ରା ଆରମ୍ଭ ହୋଇ ଦୀର୍ଘ ଏକୋଇଶି ଦିନ ପର୍ଯ୍ୟନ୍ତ ଏହା ମହାସମାରୋହରେ ପାଳିତ ହୁଏ । ନରେନ୍ଦ୍ର ପୁଷ୍କରଣୀ ପୂର୍ବରୁ ଏହି ଯାତ୍ରା ଜଗନ୍ନାଥବଲ୍ଳଭ ମଠସ୍ଥ ଉଦ୍ୟାନରେ ଥିବା ବେଣ୍ଟ ପୋଖରୀରେ ଅନୁଷ୍ଠିତ ହେଉଥିଲା । ଆଗାମୀ ଅଧ୍ୟାୟରେ ଜାଣିବା ନରେନ୍ଦ୍ର ପୁଷ୍କରିଣୀର ଜନ୍ମ ବୃତ୍ତାନ୍ତ ଓ ଚନ୍ଦନ ଯାତ କଥା ଜାଣିବା । ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ ।

“ଏ ଦେହ ଥିଲେ ଜ୍ଞାନ ପାଇ
ଜଳେ ଯେସନେ ଚନ୍ଦ୍ର ଛାଇ ।
ଜ୍ଞାନେ ସକଳ ପାପ ନାଶେ
ନିର୍ବାଣ ମୁକତି ପ୍ରକାଶେ ।
ଯେ ଅବା ଅନ୍ନ କ୍ଷୁଧାକାଳେ
ମିଳିବ ପୂର୍ବ କର୍ମ ଫଳେ।
ତାହା ସନ୍ତୋଷେ ଭୋଗ କରି
କର୍ମ ସାଧିବ ଦେହ ଧରି ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.