ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୭
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏକ ବିଶେଷ ଯାତ୍ରା ହେଲା ଚନ୍ଦନ ଯାତ୍ରା ଏବଂ ଏହି ଚନ୍ଦନ ଯାତ୍ରା ଦୁଇଟି ପର୍ଯାୟରେ ସଂଘଟିତ ହୁଏ।
ପ୍ରଥମଟି ବୈଶାଖ ଶୁକ୍ଳ ତୃତୀୟା, ଯାହାକି ଅକ୍ଷୟ ତୃତୀୟା ନାମରେ ଖ୍ୟାତ ସେହି ଦିନରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ଏକୋଇଶି ଦିନ ବାହାର ଚନ୍ଦନ ହିସାବରେ ଅନୁଷ୍ଠିତ ହୁଏ। ତା ପରବର୍ତ୍ତୀ ଏକୋଇଶି ଦିନ ଭିତର ଚନ୍ଦନ ହିସାବରେ ପାଳିତ ହୁଏ । ଏହି ବାହାର ଚନ୍ଦନ ଯାତ୍ରା ସହ ଆଲୋଚ୍ୟ ନରେନ୍ଦ୍ର ପୁଷ୍କରିଣୀ ସର୍ବୋତ୍ତ ଭାବେ ଜଡିତ। ଆସନ୍ତୁ ତେବେ ଜାଣିବା ଏହାର ରୀତିନୀତି ଅକ୍ଷୟ ତୃତୀୟା ଦିନଟି ଶ୍ରୀମନ୍ଦିର ପାଇଁ ଏକ ବିଶେଷ ଦିନ କାରଣ ଏହିଦିନ ପ୍ରସିଦ୍ଧ ଘୋଷଯାତ୍ରା ନିମିତ୍ତ ରଥ ନିର୍ମାଣ ର ଶୁଭାରମ୍ଭ ହୁଏ। ଏହି ଦିନ ମଧ୍ୟ ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇବାପାଇଁ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନଯାତ୍ରାର ଶୁଭାରମ୍ଭ ହୁଏ । ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି ଶେଷ ପରେ ସୁନା ଅଳଙ୍କାର ବିମଣ୍ଡିତ ହୋଇ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଛଅ ବିଗ୍ରହ ଯଥା ରାମକୃଷ୍ଣ ମଦନ ମୋହନଙ୍କ ସହ ଶ୍ରୀଦେବୀ ଓ ଭୁଦେବୀ ପ୍ରଭୁଙ୍କ ଆଜ୍ଞା ମାଳ ପ୍ରାପ୍ତ ହେଲା ପରେ ରାମକୃଷ୍ଣ ପାଲିଙ୍କିରେ ଓ ମଦନ ମୋହନ ଶ୍ରୀଦେବୀ ଓ ଭୂଦେବୀ ମଣି ବିମାନରେ ବିଜେ ହୋଇ ବିଜେ କାହାଳି ବାଜିବା ପରେ ବିମାନବଡୁ ସେବକମାନେ ଘଣ୍ଟ କାହାଳି ଓ ଛତ୍ର ସହ ନରେନ୍ଦ୍ର ଚକଡାକୁ ଯାତ୍ରା କରନ୍ତି । ଏହି ଯାତ୍ରା ସମୟରେ ଶ୍ରୀମନ୍ଦିର ମୂଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ କିଛି ସମୟ ଅଟକି ରଥ ଅନୁକୂଳ ନୀତି ସାରନ୍ତି। ସେଠାରୁ ସିଧା ବଡ଼ଦାଣ୍ଡ ଦେଇ ନରେନ୍ଦ୍ର ଚକଡାକୁ ମହାଆଡମ୍ବରରେ ଯାଆନ୍ତି। ଏହାଙ୍କ ସହ ପଞ୍ଚୁପାଣ୍ଡଵ ଅର୍ଥାତ ପାଞ୍ଚ ମହାଦେବ (ଯମେଶ୍ୱର, ମାର୍କଣ୍ଡେୟ, ଲୋକନାଥ, କପାଳମୋଚନ ଓ ନୀଳକଣ୍ଠ )ସ୍ଵ ସ୍ଵ ବିମାନରେ ବିଜେ କରି ଚନ୍ଦନ ଚକଡାକୁ ଯାତ୍ରା କରନ୍ତି । ଦିଅଁମାନେ ଚନ୍ଦନ ଚକଡାରେ ପହଁଞ୍ଚିଲା ପରେ ଭିତରଛ ମହାପାତ୍ର ପାଞ୍ଚ ଦିଅଁଙ୍କୁ କର୍ପୁର ଜଳରେ ମଣୋହି କରାନ୍ତି । ବିଜେ ପ୍ରତିମା ମାନେ ପହଞ୍ଚିବା ପୂର୍ବରୁ ଚନ୍ଦନ ମଣ୍ଡପ ଓ ନାବମାନେ ସଜ୍ଜିତ ହୋଇ ରହିଥାନ୍ତି । ବଡ଼ ଚାପ (ସଜ୍ଜିତ ନାବ )ରେ ରାମକୃଷ୍ଣ ନିଜର ମଣ୍ଡିତ ଆସନକୁ ବିଜେ କରନ୍ତି। ତାଙ୍କ ସହ ପଞ୍ଚ ମହାଦେବ ଏହି ଚାପରେ ସ୍ଵ ସ୍ଵ ସିଂହାସନକୁ ବିଜେ କରନ୍ତି। ଏହାପରେ ଛୋଟ ଚାପ ବା ସଜ୍ଜିତ ନୌକାରେ ମଦନମୋହନ, ଶ୍ରୀଦେବୀ ଓ ଭୁଦେବୀ ବିଜେ ହୁଅନ୍ତି। ଉଭୟ ଚାପ ଉପରେ ପ୍ରସାଦ ଓ ବିଡ଼ିଆ ଲାଗି କରାଯାଏ । ଏହାପରେ ଦିନ ଚାପ ଆରମ୍ଭ ହୁଏ ଅର୍ଥାତ ନରେନ୍ଦ୍ର ପୁଷ୍କରିଣୀ ଚାରିପଟେ ଏକ ଘେରା ବୁଲି ଆସନ୍ତି। ଦୁଇ ଚାପକୁ ଏକାଠି କରି ରାମକୃଷ୍ଣଙ୍କୁ ମଦନମୋହନଙ୍କ ଚାପରେ ବିଜେ କରାଯାଏ ଓ ବନ୍ଦାପନା ସହ ଆଲଟ ଚାମର ସେବା ହୁଏ। ଏହା ପରେ ହେଉଥିବା ରୀତିନୀତି ବିଷୟରେ ଆଗାମୀ ଅଧ୍ୟାୟରେ ଆଲୋଚନା କରିବା। ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।
ଯେ ଦେବ ପିତୃ ଋଷି ଗଣେ
ସେବା ନକରେ ମୂଢ଼ ପଣେ ।
ଯକ୍ଷର ପ୍ରାୟେ ରଖେ ଧନ
ଲଂଘଇ ଜ୍ଞାତି ବନ୍ଧୁ ଜନ ।
ସଞ୍ଚେ ଦେହକୁ କ୍ଳେଶ ଦେଇ
ସେ ପ୍ରାଣୀ ନରକେ ପଡଇ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.