Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୯

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ବାହାର ଚନ୍ଦନ ଯାତ୍ରା ଚାଲିଛି । ଶାସ୍ତ୍ର କହେ “ବୈଶାଖେ ଚ ସିତେ ପକ୍ଷେ ତୃତୀୟାୟାଂ ଜଗତ ଗୁରୋ, ନାବ କ୍ରୀଡା ପକୁବୀର ସର୍ବକlମାର୍ଥ ସିଦ୍ଧୟେ. (ଯାତ୍ରା ଭାଗବତ )। ଆମେ ଚନ୍ଦନ ମଣ୍ଡପରେ ଜଳକ୍ରୀଡା ବିଧି ଆଲୋଚନା କରିବା ଦିନରେ ଦୁଇ ଚାପ ଗୋଟିଏ ଘେରା ବୁଲି ଏକତ୍ର ହୁଅନ୍ତି, ଏଠାରେ ବନ୍ଦାପନା ହୋଇ ଠାକୁରମାନେ ଚନ୍ଦନ ମଣ୍ଡପକୁ ଅଣାଯାଏ। ସେହି ଚନ୍ଦନ ମଣ୍ଡପରେ ତିନୋଟି ସୁବାସିତ ଜଳ ପୂର୍ଣ୍ଣ କୁଣ୍ଡ ରହିଥାଏ। ପୂର୍ବ ଭାଗରେ ଥିବା କୁଣ୍ଡରେ ମଦନମୋହନ ଶ୍ରୀଦେବୀ ଓ ଭୂଦେବୀ ବିଜେ କରନ୍ତି ମଧ୍ୟ କୁଣ୍ଡରେ ରାମକୃଷ୍ଣ ଓ ପଶ୍ଚିମ ଭାଗ କୁଣ୍ଡରେ ପଞ୍ଚୁ ପାଣ୍ଡବ ବା ପାଞ୍ଚ ମହାଦେବ ବିଜେ କରନ୍ତି। ସେହି ଚନ୍ଦନ ଚକଡା ରୋଷଘରେ ପ୍ରସ୍ତୁତ ମାଣ୍ଡୁଅ ଭୋଗ ପରେ ଦିଅଁମାନେ ବିଡ଼ିଆ ଲାଗି ହୁଅନ୍ତି। ଠାକୁର ମାନଙ୍କୁ ଏହାପରେ ପୁଷ୍ପ ଅଳଙ୍କାର ଆଦିରେ ବେଶ କରାଯାଏ। ବିଭିନ୍ନ ଦିନରେ ବିଭିନ୍ନ ବେଶ ହୁଅନ୍ତି । ଏହାପରେ ପୁନଶ୍ଚ ଚାପକୁ ପୂର୍ବ ରୀତିନୀତି ରେ ବିଜେ କରି ରାତ୍ର ଚାପ କରନ୍ତି ।

ଏଭଳି କୋଡିଏ ଦିନ ପରେ ଶେଷ ଦିନ ଯାତ୍ରା କୁ ବିଶେଷ ଭାବରେ ପାଳନ କରାହୁଏ। ଯାହାକୁ ଭଉଁରୀ କୁହାଯାଏ । ଅତ୍ୟନ୍ତ ଆକର୍ଷଣୀୟ ପଟୁଆରରେ ଠାକୁରମାନେ ଚନ୍ଦନ ଚକଡାକୁ ଆସନ୍ତି। କେବଳ ଦିନ ଚାପ ପରେ, ଦୁଇ ଚାପ ଏକତ୍ର ହୋଇ ଦେବ ମିଳନ କରାଯାଏ। ଠାକୁରମାନେ ହଳଦୀ ପାଣି ପିଚିକାରୀ ଖେଳନ୍ତି ଓ ବନ୍ଦାପନା ହୁଏ। ଆଉ ରାତ୍ର ଚାପ ନହୋଇ ପୁଣି ଆଡମ୍ବରରେ ସମସ୍ତେ ସ୍ଵସ୍ଥାନ ଗମନ କରନ୍ତି। ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା ଏକ ବିଶେଷ ଆକର୍ଷଣର ବିଷୟ ଅଟେ। ଅନେକ ଭକ୍ତ, ଶ୍ରଦ୍ଧାଳୁ ଏହାକୁ ଉପଭୋଗ କରନ୍ତି। ଆଗାମୀ ଅଧ୍ୟାୟରେ ଭିତର ଚନ୍ଦନ କଥା ଜାଣିବା, ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।

କୋଟି ବ୍ରହ୍ମlଣ୍ଡ ମାୟା ମୟେ
କ୍ଷଣମାତ୍ରକେ ଯାନ୍ତି କ୍ଷୟେ ।
ଯେ ଯାହା ତହୁଁ ଥାନ୍ତି ଆସି
.. ଅନ୍ତେ ଚଳନ୍ତି ତାହା ଗ୍ରାସି ।
ପ୍ରକୃତି ସଂଯୋଗେ ଜଗତ
ଅନ୍ତେ ପ୍ରକୃତି କରେ ଗ୍ରସ୍ତ ।
ସେ ମୋର ମାୟା କାଳ ରୂପୀ
ପ୍ରକୃତି ରୂପେ ଥାଇ ବ୍ୟାପି ।
ଏଣୁ ସେ କାଳେ ସୃଷ୍ଟି କରେ
ଅନ୍ତେ ବ୍ରହ୍ମlଣ୍ଡ ସେ ସଂହାରେ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.