ନୂଆଦିଲ୍ଲୀ: ବୃହତ ଅର୍ଥନୈତିକ ଦେଶର ତାଲିକାର ଉପରମୁହାଁ ଅଗ୍ରସର ହେଉଛି ଭାରତ। ବ୍ରିଟେନ ପରେ ଏବେ ଭାରତର ଅର୍ଥନୀତି ଜାପାନକୁ ଟପିବାକୁ ଯାଉଛି। ଏବେ ଭାରତୀୟ ଅର୍ଥନୀତି ବିଶ୍ୱର ପଞ୍ଚମ ସ୍ଥାନରେ ରହିଛି। ଇଣ୍ଟରନେଶନାଲ ମୋନିଟାରି ଫଣ୍ଡ ବା ଆଇଏମ୍ଏଫ୍ ଅନୁଯାୟୀ, ବର୍ତ୍ତମାନର ଅଭିବୃଦ୍ଧି ହାରକୁ ଆଧାର କଲେ ଭାରତ ୨୦୨୭ରେ ଜର୍ମାନୀ ଏବଂ ୨୦୨୯ରେ ଜାପାନକୁ ଅତିକ୍ରମ କରି ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷର ପ୍ରଥମ ତ୍ରୌୟମାସିକ ଅଭିବୃଦ୍ଧି ହାର ୧୩.୫% ରହିଛି। ଏହି ହାରରେ ଭାରତରେ ଯଦି ଅର୍ଥନୀତି ଅଭିବୃଦ୍ଧି ହୁଏ ତାହେଲେ ଭାରତର ଅର୍ଥନୀତି ଆଗକୁ ଆଗ ବଢି ଚାଲିବାର ସମ୍ଭାବନା ରହିଛି। ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡକ୍ଟର ଅରବିନ୍ଦ ବିରମାନି କହିଛନ୍ତି ଯେ ଭାରତୀୟ ଅର୍ଥନୀତିର ଯାତ୍ରା ଜାରି ରହିବ ଏବଂ ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ।
ଅର୍ଥନୈତିକ ଦୃଷ୍ଟିରୁ ଋଷ-ୟୁକ୍ରେନ ଯୁଦ୍ଧ, ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ଅନେକ ବିକଶିତ ଦେଶର ଅର୍ଥନୀତି କଳା ଅନ୍ଧକାର ଭିତରେ ରହିଛି। ଏହି ବିକଶିତ ଦେଶ ଗୁଡିକର ଅର୍ଥନୀତି ମଧ୍ୟ ବିପଦରେ ରହିଛି। କିନ୍ତୁ ଭାରତରେ ଏହାର ଓଲଟା ରହିଛି। ଯେତେବେଳେ ଆଇଏମ୍ଏଫ୍ ବିଶ୍ୱର ଅନେକ ଦେଶର ଅଭିବୃଦ୍ଧି ହାରକୁ ହ୍ରାସ କରିଛି, ସେତେବେଳେ ଭାରତର ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୬.୮ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆକଳନ କରିଛି। ଯାହା ଚାଇନା, ଆମେରିକାଠୁ ଅଧିକ ରହିଛି।
ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢି ଚାଲିଛି। ୨୦୨୮-୩୦ ସୁଦ୍ଧା ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। ୨୦୧୪ ରେ ଭାରତୀୟ ଅର୍ଥନୀତି ବିଶ୍ୱର ଦଶମ ବୃହତ୍ତମ ଅର୍ଥନୈତିକ ଦେଶ ଥିଲା, ତେଣୁ ଆଗାମୀ ଦିନରେ ଯଦି ତୃତୀୟ ସ୍ଥାନରେ ଭାରତ ପହଞ୍ଚିବ ତାହେଲେ ଅନେକ ଦେଶ ଭାରତ ପଛରେ ରହିବ।
ଆଇଏମ୍ଏଫର ଆକଳନ ଅନୁଯାୟୀ ଭାରତ ଏହାର ଅର୍ଥନୀତିର ଆକାର ଦୃଷ୍ଟିରୁ ଆମେରିକା, ଚୀନ୍, ଜାପାନ ଏବଂ ଜର୍ମାନୀଠାରୁ ପଛରେ ନାହିଁ। ଆଇଏମ୍ଏଫ୍ ଅନୁଯାୟୀ, ୨୦୨୫-୨୬ ମସିହାରେ ଭାରତୀୟ ଅର୍ଥନୀତି ଜର୍ମାନୀ ସହିତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବ। ୨୦୨୬-୨୭ ରେ ଭାରତୀୟ ଅର୍ଥନୀତିର ଆକାର ୪.୯୪ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇବ। ଏବଂ ଏହା ପରେ ୨୦୨୭-୨୮ ବର୍ଷରେ ଜାପାନର ୫.୧୭ ଟ୍ରିଲିୟନ ଡଲାର ତୁଳନାରେ ଭାରତୀୟ ଅର୍ଥନୀତି ୫.୩୬ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇବ।
୨୦୨୧-୨୨ ମସିହାରେ ଭାରତୀୟ ଅର୍ଥନୀତିର ଆକାର ୩.୧୮ ଟ୍ରିଲିୟନ ଡଲାର ଥିଲା। ଯେତେବେଳେ କି ୨୦୨୧ ମସିହାରେ ବ୍ରିଟେନର ଅର୍ଥନୀତିର ଆକାର ୩.୧୯ ଟ୍ରିଲିୟନ ଥିଲା।
Comments are closed.