Latest Odisha News

ଅଣ୍ଡର ୧୭ ମହିଳା ଫିଫା ବିଶ୍ୱକପ: ଭାରତ 0-3 ଗୋଲରେ ମରକ୍କୋଠାରୁ ହାରିଲା

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିୟମରେ ପୁଣି ଭାରତ ପରାଜିତ ହୋଇଛି । ଅଣ୍ଡର ୧୭ ମହିଳା ଫିଫା ବିଶ୍ୱକପରେ ରାତି ୮ଟାରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ମହିଳା ଫୁଟବଲ ଟିମ୍ ମରକ୍କୋଠାରୁ 0- 3 ଗୋଲ ରେ ପରାସ୍ତ ହୋଇଛି । ଉଭୟ ଟିମ୍  ପ୍ରଥମ ହାଫ୍ ଟାଇମ ଭିତରେ କୈାଣସି ଗୋଲ ସ୍କୋର କରିନଥିବା ବେଳେ ଦ୍ବିତିୟ ହାଫରେ ତିନିଟି ଗୋଲ ଦେଇଥିଲା ମରକ୍କୋ ଦଳ ।

ନିଜର ପ୍ରଥମ ମ୍ୟାଚରେ ଭାରତ ହାରିଥିବାରୁ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ଥିଲେ ମଧ୍ୟ ଭାରତୀୟ ମହିଳା ଟିମ୍ ପରାସ୍ତ ହୋଇଛି ।  ମଙ୍ଗଳବାର ମଧ୍ୟ ଭାରତ ତା’ର ପ୍ରଥମ ମ୍ୟାଚ୍‌‌ରେ ଆମେରିକାଠାରୁ ୦-୮ ଗୋଲରେ ପରାସ୍ତ ହୋଇଥିଲା।

ଅନ୍ୟପଟେ ମରକ୍କୋ ତା’ର ପ୍ରଥମ ମ୍ୟାଚ୍‌‌ରେ ୦-୧ ଗୋଲରେ ବ୍ରାଜିଲଠାରୁ ପରାସ୍ତ ହୋଇ ଅଭିଯାନ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚ୍‌‌ର ବିଫଳତାକୁ ପଛରେ ପକାଇ ଭାରତ ଏହି ମ୍ୟାଚରେ ଭଲ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷ ଭାଗରେ ଗୋଲକୁ ଅଟକାଇପାରିନଥିଲା । ଶେଷ କିଛି ମିନିଟ ବ୍ୟବଧାନରେ ମରକ୍କୋ ଖେଳାଳିମାନେ ଆକ୍ରମଣାତ୍ମକ ଖେଳି ଗୋଲ ଦେବାରେ ସକ୍ଷମ ହୋଇଥିଲେ ।

 ଭାରତୀୟ ହେଡ୍‌‌ କୋଚ୍‌‌ ଥୋମାସ ଡେନେର୍ବି ଆଜିର ଖେଳକୁ ନେଇ ପ୍ରଶଂସା କରିଛନ୍ତି । ତେବେ ଗୋଲ ସ୍କୋର ପାଇଁ ଆହୁରି ରଣନୀତି କରିବାକୁ ପଡିବ ବୋଲି କୋଚ କହିଛନ୍ତି । ଆଜି କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଟିମ୍ କୁ ମଧ୍ୟ ଫୁଟବଲ ପ୍ରଶଂସକମାନେ ବେଶ ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା ।

Comments are closed.