ମୁମ୍ବାଇ: ଗତ ବର୍ଷ ଅକ୍ଟୋବରରେ ଏନସିବିର ମୁମ୍ବାଇ ୟୁନିଟ୍ ଡ୍ରଗ୍ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରିଥିଲା। ଗୋଟିଏ ବର୍ଷ ପରେ ଏନସିବିର ଭିଜିଲାନ୍ସ ଟିମ୍ ଏହାର ନିର୍ଦ୍ଦେଶକଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଏନସିବିର ମୁମ୍ବାଇ ୟୁନିଟ୍ ଏହି ମାମଲାର ତଦନ୍ତରେ ଅନେକ ଅନିୟମିତତା କରିଛି। ଆର୍ୟାନ ଖାନ ଏବଂ ତାଙ୍କ ସଙ୍ଗମାନଙ୍କ ବିରୋଧରେ ନିଶା ନିବାରଣ ଆଇନ ଅନୁଯାୟୀ ଡ୍ରଗ୍ସ-ଅନ-କ୍ରୁଜ୍ ମାମଲାରେ ଏନସିବି ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ତାହା ସନ୍ଦେହଜନକ ବୋଲି ଏକ ରିପୋର୍ଟରୁ ଜଣାପଡିଛି।
ଏନସିବି ଡେପୁଟି ଡାଇରେକ୍ଟର ଜେନେରାଲ (ଦକ୍ଷିଣ ପଶ୍ଚିମ ଅଞ୍ଚଳ) ଜ୍ଞାନେଶ୍ୱର ସିଂ ବୁଧବାର ମୁମ୍ବାଇରେ କହିଛନ୍ତି ଯେ ସେ ତାଙ୍କ ରିପୋର୍ଟ ନୂଆଦିଲ୍ଲୀରେ ଏନସିବି ନିର୍ଦ୍ଦେଶକଙ୍କୁ ଦେଇଛନ୍ତି, କିନ୍ତୁ ସେ ଏହି ରିପୋର୍ଟରେ କ’ଣ ଲେଖା ହୋଇଛି ତାହା ସରକାରୀ ଭାବେ ପ୍ରକାଶ କରି ନାହାଁନ୍ତି। ଜ୍ଞାନେଶ୍ୱର ସିଂ ମଧ୍ୟ ଏନସିବିର ଭିଜିଲାନ୍ସ ଦଳର ମୁଖ୍ୟ ଅଛନ୍ତି। ଏନସିବିର ଭିଜିଲାନ୍ସ ଦଳର ନିକଟ ସୂତ୍ରରୁ ପ୍ରକାଶ ଯେ ଅନୁସନ୍ଧାନ ବେଳେ ଆର୍ୟାନ ମାମଲାର ତଦନ୍ତରେ ଅନେକ ଅନିୟମିତତା ହୋଇଥିବା ଜଣାପଡିଛି। ତଦନ୍ତରେ ସମ୍ପୃକ୍ତ ଅଧିକାରୀଙ୍କ ଉଦ୍ଦେଶ୍ୟ ଉପରେ ଭିଜିଲାନ୍ସ ଟିମ୍ ମଧ୍ୟ ପ୍ରଶ୍ନ ଉଠାଇଛି।
ଉକ୍ତ ମାମଲାରେ ଆର୍ୟାନ ଖାନ ଗିରଫ ହେବା ଓ ତିନି ସପ୍ତାହ ଜେଲରେ ରହିବାର ଆଠ ମାସ ପରେ ତାଙ୍କୁ ସମସ୍ତ ଦୋଷରୁ ମୁକ୍ତ କରି ଖଲାସ କରିଦିଆଯାଇଥିଲା। ସେତେବେଳେ ଏନସିବି ସ୍ୱୀକାର କରିଥିଲା ଯେ ଆର୍ୟାନ ଓ ଅନ୍ୟ ପାଞ୍ଚ ଜଣଙ୍କ ବିରୋଧରେ ଏହା ଯଥେଷ୍ଟ ପ୍ରମାଣ ନୁହେଁ। ତେଣୁ ଆର୍ୟାନ ମାମଲରେ କିଛି ଗଡ଼ବଡ଼ ଥିବା ସନ୍ଦେହ କରି ଯେଉଁ ଅଭିଯୋଗ ହୋଇଥିଲା ତାହାର ତଦନ୍ତ ପାଇଁ ଏମସିବି ଦ୍ୱାରା ଏକ ସ୍ୱତନ୍ତ୍ର ତଦନ୍ତକାରୀ କମିଟି ଗଠନ କରାଯାଇଥିଲା। ଏହି କମିଟି ପକ୍ଷରୁ ଦିଲ୍ଲୀ ମୁଖ୍ୟାଳୟକୁ ରିପୋର୍ଟ ପଠାଇଥିଲା। ଏହି ରିପୋର୍ଟ ଅନୁଯାୟୀ ଏହି ମାମଲାରେ ଅନେକ ଅନିୟମିତା ରହିଛି ଏବଂ ତଦନ୍ତ ଦାୟିତ୍ୱରେ ଥିବା ଏନସିବି ଅଧିକାରୀଙ୍କୁ ସନ୍ଦେହ କରାଯାଉଛି।
ଏନସିବିର ଭିଜିଲାନ୍ସ ଟିମ୍ ତଦନ୍ତରେ ବିଭାଗର ସାତ ରୁ ଆଠ ଜଣ ଅଧିକାରୀଙ୍କ ଭୂମିକା ସନ୍ଦେହଜନକ ଥିଲା ବୋଲି ରିପୋର୍ଟରେ କୁହାଯାଇଛି। ଅନୁସନ୍ଧାନ ବେଳେ ଦଳ ୬୫ ଜଣ ସାକ୍ଷୀଙ୍କୁ ଯାଞ୍ଚ କରି ସେମାନଙ୍କ ମତାମତ ନିଆଯାଇଥିଲା। ଏହି ସମସ୍ତ ସାକ୍ଷୀଙ୍କ ମତାମତ କ୍ୟାମେରାରେ ରେକର୍ଡ କରାଯାଇଛି। ଏହା ସହିତ ଭିଜିଲାନ୍ସ ଟିମ୍ ମଧ୍ୟ ଏହି ଘଟଣାର ତଦନ୍ତ ପାଇଁ ଶାହାରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନୀଙ୍କ ମତାମତ ରେକର୍ଡ କରିଛି। ତେବେ ଆର୍ୟାନ ଜେଲରୁ ମୁକ୍ତି କରାଇବା ପାଇଁ ଟଙ୍କା ଦାବି କରାଯାଇଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା ତାହାର କୌଣସି ଭିତ୍ତି ନାହିଁ ବୋଲି ଉକ୍ତ ଏସଆଇଟି ଉକ୍ତ ରିପୋର୍ଟରେ ପ୍ରକାଶ କରିଛି।
Comments are closed.