ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ନିବାସ ସ୍ଥଳ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ନିର୍ମିତ ମେଘନାଦ ପ୍ରାଚୀର ବଉଳମାଳ ପଥରରେ ନିର୍ମିତ , ଚାରିଦ୍ୱାର ବ୍ୟତୀତ ଅନ୍ୟ କେଉଁଠି କୌଣସି କାରୁକାର୍ଯ୍ୟ ହୋଇନାହିଁ, କିନ୍ତୁ ଏହି ସୁଦୃଢ ଓ ଉଚ୍ଚ ପ୍ରାଚୀରର ଶୋଭା ବଢ଼ାଇଛି ଏହାର ଉପରି ଭାଗରେ ଥିବା ପ୍ରାୟ ୨୨ ରୁ ୨୪ ଇଞ୍ଚ ଉଚ୍ଚାର ସୁନ୍ଦର ଗାଙ୍ଗଲା ମାନ।ଏହି ଗାଙ୍ଗଲା ଗୁଡିକ ମେଘନାଦ ପ୍ରାଚୀର ର ଠିକ ବାହାର ଅଂଶରେ ନିର୍ମିତ୍ତ ହୋଇଛି, କିଛି ଗାଙ୍ଗଲା ମଧ୍ୟ କାରୁକାର୍ଯ୍ୟ ପୂର୍ଣ୍ଣ ଓ ବିକାଶିତ ପୁଷ୍ପର ପାଖୁଡା ପରି ପ୍ରତୀୟମାନ ହୁଏ। ମେଘନାଦ ପ୍ରାଚୀରର ବିଶାଳତା ସହ ଗାଙ୍ଗଲା ଗୁଡିକର ସୌନ୍ଦର୍ଯ୍ୟ ଅତ୍ୟନ୍ତ ଚିତାକର୍ଷକ ଲାଗେ। ମେଘନାଦ ପ୍ରାଚୀରର ଚାରି ଦ୍ୱାର ଏକସଙ୍ଗେ ନିର୍ମିତ୍ତ ହୋଇ ନଥିବାର ପ୍ରମାଣ ମିଳେ।
ମାଦଳା ପାଞ୍ଜିର ତଥ୍ୟ କହେ ଗଜପତି ଦିବ୍ୟସିଂହ ଦେବ (ଖ୍ରୀ ୧୭୯୩ -୧୭୯୮ )ଙ୍କ ଶାସନ କାଳରେ ପଶ୍ଚିମ ଦ୍ୱାର ନିର୍ମିତ ହୋଇଥିଲା। ମାଦଳା ପାଞ୍ଜିର କେତେକ ତଥ୍ୟ, ଐତିହାସିକ ତଥ୍ୟ ସହ ଖାପ ନ ଖାଇଲେ ମଧ୍ୟ, ଶ୍ରୀମନ୍ଦିର ଇତିହାସ ପାଇଁ ମାଦଳା ପାଞ୍ଜି ହିଁ ନିର୍ଭର ଯୋଗ୍ୟ ଦସ୍ତାବିଜ ଅଟେ। ଏହି ମାଦଳା ପାଞ୍ଜିର ଅନ୍ୟ ଏକ ସୂତ୍ର କହେ ରାଜା ପୁରୁଷୋତ୍ତମ ଦେବ ମଧ୍ୟ ମେଘନାଦ ପ୍ରାଚୀର ନିର୍ମାଣରେ କିଛି ଯୋଗ ଦାନ କରିଛନ୍ତି ।
ଏହି କଥାର ସତ୍ୟତା ମେଘ ନାଦ ପ୍ରାଚୀରର ଚାରି ଦ୍ୱାରର ନିର୍ମାଣ ଶୈଳୀ ଓ କାରୁକାର୍ଯ୍ୟ ଦେଖିଲେ ଅନୁମେୟ ହୁଏ। କାରଣ ପ୍ରତ୍ୟେକ ଦ୍ୱାରର କାରୁକାର୍ଯ୍ୟ ସ୍ୱତନ୍ତ୍ର ଓ ଗୋଟିଏଠାରୁ ଅନ୍ୟଟି କିଛି ମାତ୍ରାରେ ଭିନ୍ନ। କେବଳ ସିଂହଦ୍ୱାରଟି କୂର୍ମ ପ୍ରାଚୀରର ଥିବା ପୂର୍ବ ଦ୍ୱାରର ଠିକ ସାମ୍ନାରେ ରହି ଅଛି। ଅନ୍ୟ ତିନୋଟି ଦ୍ୱାର ସେଭଳି ସାମ୍ନାରେ ନାହିଁ। ଉତ୍ତର ଦ୍ୱାର ଦେଇ ମହାପ୍ରଭୁଙ୍କ ଦାରୁ ଶଗଡି ଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଏହାର ହସ୍ତୀ ପ୍ରତିମା ଠିକ ଦ୍ୱାର ବାହାରେ ରହିନାହିଁ। ସବୁ କଥାକୁ ବିଚାର କଲେ ମେଘନାଦ ପ୍ରାଚୀର ଜଣେ ରାଜାଙ୍କ ସମୟରେ ନିର୍ମିତ୍ତ ହୋଇ ଥିବାର ପ୍ରମାଣ ମିଳେ ନାହିଁ । କିନ୍ତୁ ସବୁଠାରୁ ଚଳଚଞ୍ଚଳ ସିଂହଦ୍ୱାର ଏହାର ଭବ୍ୟତା ଓ ପ୍ରାଧlନ୍ୟତା ଦୃଷ୍ଟିରୁ ନିଶ୍ଚିତ ଭାବରେ ରାଜା ମତଭାନୁ କପିଳେନ୍ଦ୍ର ଦେବଙ୍କ ଦ୍ୱାରା ମେଘନାଦ ପ୍ରାଚୀର ସହ ଏକା ସଙ୍ଗରେ ନିର୍ମିତ୍ତ ହୋଇଥିବାର ଯଥେଷ୍ଟ ପ୍ରମାଣ ମିଳେ। ଆଗାମୀଅଧ୍ୟାୟରେ ସ୍ୱତନ୍ତ୍ର ଭାବେ ସିଂହ ଦ୍ୱାରର ଆଲୋଚନା ରଖିବା, ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।
ମୁହିଁ ଅଖିଳ ଆତ୍ମା ଅଟେ
ମୋର ଦର୍ଶନେ ସର୍ବ ତୁଟେ ।
ଏ ଭାବ ବୁଝି ନିରବଧି
ଯତ୍ନେ ଭକତି ଯୋଗ ସାଧି ।
ଏଣୁ ଭକତି ଯୋଗ ଯୁକ୍ତେ
ଯେ ଯୋଗୀ ଭଜେ ଏକ ଚିତ୍ତେ ।
ସେ ମହାଶୟ ଏ ଜଗତେ
ଜ୍ଞାନ ବୈରାଗ୍ୟ ଅବା କେତେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.