ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାଇଶି ପାହାଚ ତତ୍ତ୍ୱ ଅନେକ, ରହସ୍ୟ ମଧ୍ୟ ଅନେକ। ସଂଖ୍ୟାରେ ରହସ୍ୟ, ନିର୍ମାଣରେ ରହସ୍ୟ, ତାକୁ ଛୁଇଁ ଯିବା ଆସିବା ନିୟମରେ ବି ରହସ୍ୟ। ତେଵେ ଆସନ୍ତୁ ସବୁ ରହସ୍ୟକୁ ଉନ୍ମୋଚନ କରିବା ପୂର୍ବରୁ, ଜାଣିବା ତାର ନିର୍ମାଣ ଇତିହାସ। ପୁରୀର ରାଜା ଭାନୁଦେବଙ୍କ ଦ୍ୱାରା ଏହା ନିର୍ମିତ ହୋଇଛି ବୋଲି ଇତିହାସ କହେ। ହେଲେ ସମୟର କୌଣସି ସୂଚନା ନାହିଁ। କିନ୍ତୁ ଅଛି ସୁନ୍ଦର କିମ୍ବଦନ୍ତୀଟିଏ। ଅପୁତ୍ରିକ ରାଜା ଭାନୁଦେବ ପ୍ରଭୂ ଯମେଶ୍ୱରଙ୍କୁ ପୂଜା କରି ଏକ ପୁତ୍ର ସନ୍ତାନ ଲାଭ କଲେ। ଦୈଵଜ୍ଞମାନେ କୋଷ୍ଟି ବିଚାର କରି କହିଲେ ଏ ପୁତ୍ରର ବୟସ ମାତ୍ର ୨୨ ବର୍ଷ, ତେଣୁ ପୁଣି ଯମେଶ୍ୱରଙ୍କ ଶରଣ ପଶିଲେ ଏବଂ ଆଜ୍ଞା ପାଇଲେ ଏହି ବାଇଶି ପାହାଚ ନିର୍ମାଣ କରିବା ପାଇଁ। ବାଇଶି ପାହାଚ ନିର୍ମାଣ ଚାଲିଥିବା ସମୟରେ ୫ ମ(ସିଂହ ଦ୍ୱାର ପଟୁ )ପାହାଚରେ ଏକ ଝର ପଡିଲା। ପୁଣି ଜମେଶ୍ୱରଙ୍କ ଆଶ୍ରା ଓ ଆଦେଶରେ ବରୁଣଙ୍କ ଆରାଧନା କଲେ। ସ୍ୱପ୍ନରେ ବରୁଣ କହିଲେ କାଲି ପ୍ରଭାତରେ ସମୁଦ୍ର ସ୍ନାନ କରିବ ଓ ଯାହା ମିଳିବ ତାହାକୁ ନେଇ ଝର ମୁହଁରେ ଦେଲେ ଝର ବନ୍ଦ ହେବ। ପରଦିନ ସମୁଦ୍ର ସ୍ନାନ ସମୟରେ ଭାନୁଦେବ ଏକ ମାଙ୍କଡା ପଥର ପାଇଲେ। ଯାହାକୁ ଆଣି ଝର ଜାଗାରେ ଦେବାରୁ ଝର ବନ୍ଦ ହୋଇ ବାଇଶି ପାହାଚ ନିର୍ମାଣ ସମ୍ପୂର୍ଣ ହେଲା। ଏହା ପରେ ରାଜଗୁରୁଙ୍କ ପରାମର୍ଶରେ ଭାନୁଦେବ ନିଜ ପୁତ୍ରକୁ ଏହି ବାଇଶି ପାହାଚରେ ଗଡ଼ାଇଲେ। ଏଥିରେ ସେ ରୋଗମୁକ୍ତ ହେବା ସହ, ତାର ଆୟୁଷ ମଧ୍ୟ ବୃଦ୍ଧି ପାଇଲା। ସୁସ୍ଥ ଓ ନିରାମୟ ଜୀବନ ଅତିବାହିତ କରି ପିତା ମାତାଙ୍କୁ ଧନ୍ୟ କଲା। ଏହି ସ୍ମୃତିକୁ ମନେ ପକାଇ ଆଜି ବି ଅନେକ ପିତା ମାତା ନିଜ ସନ୍ତାନମାନଙ୍କୁ ବାଇଶି ପାହାଚରେ ଗଡ଼ାଇ ଥାନ୍ତି ଓ ନିଜ ପିତୃ ପୁରୁଷଙ୍କୁ ଏହିଠାରେ ପିଣ୍ଡ ଦାନ କରନ୍ତି। ଦୀପାବଳି ଅମାବାସ୍ୟାରେ ଦୀପ ବା କାଉଁରିଆ ଜାଳି କହନ୍ତି । ବଡ଼ ବଡୁଆ ହୋ ଅନ୍ଧାରରେ ଆସ, ଆଲୁଅରେ ଯାଅ, ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ, ପୁରୁଷୋତ୍ତମ ଯାଅ, ବାଇଶି ପାହାଚେ ଗଡ଼ଗଡଉ ଥାଅ, ଅମୃତ ଦୃଷ୍ଟିରେ ଆମକୁ ଚାହିଁ ଥାଅ ।” ଏଭଳି ବାଇଶି ପାହାଚ ମହିମା ଅନେକ. ତେବେ ଆଉ ଏକ ରହସ୍ୟ ହେଲା “ଯମଶିଳା “। ଶ୍ରୀକ୍ଷେତ୍ରରେ ଚାରି ଶିଳାର ମହତ୍ୱ ଅନେକ ଯଥା “ଯମ ଶିଳା, ପିତୃ ଶିଳା, ମୁକ୍ତି ଶିଳା, ତଥେବଚ, କୈବଲ୍ୟ ଶିଳା ଏତଃl ସା ଶିଳା ଚତୁବ୍ରିଧ ସ୍ମୃତଃ । ସିଂହଦ୍ୱାର ପଟୁ ଦ୍ଵିତୀୟ ପାହାଚରେ ଏକ କଳା ପଥର ଖଣ୍ଡ ଦେଖିବାକୁ ମିଳେ, ଏହା ହିଁ ଯମ ଶିଳା। ଏହାକୁ ସ୍ପର୍ଶ କରି ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଅକାଳ ମୃତ୍ୟୁ ଭୟ ଦୂର ହୁଏ, ସମସ୍ତ ପାପତାପ ମଧ୍ୟ ଦୂର ହୁଏ । କିନ୍ତୁ ଫେରିବା ସମୟରେ ଏହାକୁ ସ୍ପର୍ଶକଲେ, ସମସ୍ତ ଦର୍ଶନ ଫଳ ବ୍ୟର୍ଥ ଯାଏ।
ଶେଷରେ ଏତିକି କହିବି ଶ୍ରୀମନ୍ଦିରର ଏକ ମୂଖ୍ୟ ଓ ପବିତ୍ର ସ୍ଥାନ ହେଉଛି ବାଇଶି ପାହାଚ। ଭକ୍ତ ମୁଖରେ ଏହା ବୈକୁଣ୍ଠକୁ ସିଢି ବୋଲି ଶୁଣିବାକୁ ମିଳେ। କବି ପୁରୁଷୋତ୍ତମ ଦାସଙ୍କ “ଅଠର ନଳା ବୋଲି “କହେ :-
କେ ବୋଲଇ ଆଲୋ ତରାଲୋ
ମୁହଁରେ ପଡୁଛି ଖରା ଲୋ
ବାଇଶି ପାହାଚେ ଯାଇନ କିଣିମା
ପୋଡ଼ ପିଠା ଦୁଇ ସରା ଲୋ।
ଦିନ ବଦଳିଛି ଆଉ ବାଇଶି ପାହାଚରେ କୈବଲ୍ୟ ପସରା ନାହିଁ। କି ବଡ଼ ବଡୁଆ ଡାକ ହେଉନି। କିନ୍ତୁ ମଧୁର ସ୍ମୃତି ବଞ୍ଚିଛି ଓ ବଞ୍ଚିଥିବ ମଧ୍ୟ। ଆସନ୍ତୁ ପୁଣି ଗାଇବା :-
“ଥକା ମନ ଚାଲ ଯିବା,
ଚକା ନୟନ ଦେଖିବା,
ବାଇଶି ପାହାଚେ ବିକା,
ହେଉଛି କୈବଲ୍ୟ ଚୋଖା,
ହାଣ୍ଡିକ ପଡେ ସିଉକା,
ମନ ରଙ୍କା ଛଡାଇବା
ଥକା ମନ ଚାଲ ଯିବା,
ଚକା ନୟନ ଦେଖିବା।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.