ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ବାଇଶି ପାହାଚ ଆଲୋଚନା ଭିତରେ ସେଠାରେ ଅଧିଷ୍ଠିତ ଦେବା ଦେବୀଙ୍କ ସମ୍ପର୍କରେ ସୂଚନା ଦେବା ନିହାତି ଆବଶ୍ୟକ। ପୁଣି ଶୈବ ଓ ବୈଷ୍ଣବ ଧାରା ଯେଉଁଠି ସମାନ ଭାବରେ ପ୍ରତିଷ୍ଠା ଲାଭ କରିଛି ସେଠାରେ ଶ୍ରୀ କାଶୀ ବିଶ୍ୱନାଥଙ୍କ ମନ୍ଦିର ବାଇଶି ପାହାଚର ତୃତୀୟ ପାହାଚ (ସିଂହଦ୍ୱାର ପଟୁ ), ଅବା ପ୍ରବେଶ କରୁ କରୁ ଠିକ ବାମ ପଟେ ଦକ୍ଷିଣ ଦିଗରେ ପ୍ରତିଷ୍ଠା ଲାଭ କରିବା ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ। ଗବେଷକ ତଥା ବାଗ୍ମୀ ପଣ୍ଡିତ ସଦାଶିବ ରଥ ଶର୍ମାଙ୍କ ତଥ୍ୟ ଅନୁସାରେ ୧୬୧୧ ଖ୍ରୀଷ୍ଟାଦ୍ଧରେ ବିଧି ବଦ୍ଧ ଭାବରେ ଏହି କ୍ଷୁଦ୍ର ମନ୍ଦିରଟି ପ୍ରତିଷ୍ଠିତ ହୋଇ ସେଥିରେ ଶ୍ରୀ କାଶୀ ବିଶ୍ଵନାଥଙ୍କ ନାମରେ ନାମିତ ଶିବଲିଙ୍ଗ ପୂଜା ପାଉଛନ୍ତି। ଏ ବିଷୟରେ ଅନେକ କିମ୍ବଦନ୍ତୀ ଶ୍ରୀକ୍ଷେତ୍ରରେ ଶୁଣିବାକୁ ମିଳେ। ପ୍ରଥମେ ଏକ ରୋଚକ ପୌରାଣିକ ଜନସ୍ମୃତି କହୁଛି :-
ନୀଳାଚଳେ ରହିବି ମୁଁ ଦାରୁ ରୂପ ଧରି
ବାଇଶି ପାହାଚ ତଳେ ଆସନ ତୁମରି ।
ଏହି ବାଣୀ ଭଗବାନ ଶ୍ରୀକୃଷ୍ଣ, ପ୍ରଭୂ ବିଶ୍ୱନାଥଙ୍କୁ କହିଥିଲେ ବୋଲି ଜନମୁଖରେ ପ୍ରଚାରିତ ହେଉଛି। ତେବେ ଏଭଳି କାହିଁକି କହିଲେ, ତାର କାରଣ ହେଲା ଆଶୁତୋଷ ବିଶ୍ଵନାଥଙ୍କଠାରୁ ବର ପ୍ରାପ୍ତ ହୋଇ କାଶୀର ରାଜା ତ୍ରିବିକ୍ରମ ନିଜକୁ ସ୍ୱୟଂ ବାସୁଦେବ ବୋଲି ପ୍ରଚାର କଲା। ନିଜର ଅହଂକାର ଯୋଗୁ ଶ୍ରୀକୃଷ୍ଣଙ୍କ ଅବମାନନା କରନ୍ତେ, ତାର ଆଚରଣରେ କ୍ଷୁବ୍ଧ ହୋଇ ଶ୍ରୀକୃଷ୍ଣ ତାହାଙ୍କୁ ନିଜ ସୁଦର୍ଶନ ଚକ୍ର ସାହାଯ୍ୟରେ ବଧ କରିଥିଲେ ଓ ଏଭଳି ଅପାତ୍ରରେ ବରଦାନ କରିଥିବାରୁ ଶ୍ରୀ କାଶୀ ବିଶ୍ୱନାଥଙ୍କୁ ମଧ୍ୟ ଭର୍ଚ୍ଚନା କରି ବାଇଶି ପାହାଚରେ ରହିବାକୁ କହିଥିଲେ। ଅନ୍ୟ ଏକ ଲୋକ କଥା ହେଲା ଜଣେ ଦରିଦ୍ର ସେବାୟତ ଚକ୍ରପାଣି ଖୁଣ୍ଟିଆ, ଶ୍ରୀ କାଶୀ ବିଶ୍ୱନାଥଙ୍କ ଦର୍ଶନ ଅଭିଳାଷ ରଖି ଭକ୍ତବତ୍ସଳ ଶ୍ରୀଜଗନ୍ନାଥଙ୍କୁ ଗୁହାରି କରିଥିଲେ। ଭକ୍ତର ଇଚ୍ଛା ପୂରଣ ନିମନ୍ତେ, ଶ୍ରୀଜଗନ୍ନାଥ ଙ୍କ ଆଜ୍ଞାରେ ବାଇଶି ପାହାଚରେ ଶ୍ରୀ କାଶୀ ବିଶ୍ଵନାଥ ସ୍ୱୟଂ ପ୍ରକଟ ହୋଇଥିଲେ ଓ ସେହି ଦିନଠାରୁ ସେଠାରେ ପୂଜା ପାଉଛନ୍ତି। କିନ୍ତୁ କାଶୀ ପିଠାଧିଶ ଶ୍ରୀ ଶ୍ରୀବଲ୍ଳଭଚାର୍ଯ୍ୟଙ୍କ ମତ ଅନ୍ୟ ପ୍ରକାର, ତାଙ୍କ ମତରେ ସ୍ୱୟଂ ଶ୍ରୀକାଶୀ ବିଶ୍ୱନାଥ, ପ୍ରତ୍ୟହ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ଅଭିଳାଷ ନେଇ ଏହି ବାଇଶି ପାହାଚରେ ଅପେକ୍ଷା କରିଥିଲେ ଓ ପ୍ରତ୍ୟହ ଜଣେ ବିଧବା ବ୍ରlହ୍ମଣୀଙ୍କ ସହାୟତାରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରୁଥିଲେ। ଥରେ ବ୍ରlହ୍ମଣୀ ପ୍ରଭୁଙ୍କର ପ୍ରକୃତ ସ୍ୱରୂପକୁ ଜାଣିଯିବାରୁ, ସେହି ଦିନଠାରୁ ଶିବ ଲିଙ୍ଗ ରୂପ ଧାରଣ କରି ଏହି ବାଇଶି ପାହାଚରେ ପୂଜା ପାଉଛନ୍ତି ଏବଂ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରୁ କରୁ ଭକ୍ତମାନେ ପ୍ରଥମେ ଶ୍ରୀ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରି ତାପରେ ମନ୍ଦିର ବେଢା ବୁଲା ର ବିଧି ପାଳନ କରୁଥାନ୍ତି। ଏଭଳି କିମ୍ବାଦନ୍ତୀର ସତ୍ୟତା ଯାହା ଥାଉନା କାହିଁକି ମୂଳତଃ ଶୈବ ଚେତନା ସହ ବୈଷ୍ଣବ ଚେତନାର ମିଳନ ଏହାର ମୂଳ ଉଦ୍ଦେଶ୍ୟ । ଆସନ୍ତୁ ସେହି ଚେତନାରେ ନିଜକୁ ସାମିଲ କରି ଗାଇବା ;-
“ବିଶେଶ୍ୱରlୟ ନରକାର୍ଣବ ତାରଣlୟ, ଭକ୍ତିପ୍ରଦାୟ ଭବରୋଗ ବିମୋଚନାୟ, ଗୌରୀପ୍ରିୟାୟ ବରଦାୟ ତ୍ରିଲୋଚନାୟ, ସଂସାର ଦୁଃଖହରଣlୟ ନମଃ ଶିବାୟ । “
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.