Latest Odisha News

ଗ୍ରହଣରେ ଭୋଜନକୁ ନେଇ ବ୍ରହ୍ମପୁରରେ ଉତ୍ତେଜନା

ବ୍ରହ୍ମପୁର: ଚନ୍ଦ୍ରଗହଣରେ ସାମୁହିକ ଭୋଜନ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ମଙ୍ଗଳବାର ବ୍ରହ୍ମପୁର ସହରରେ ଉତ୍ତେଜନା ଦେଖିବାକୁ ମିଳିଛି। ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ଏବଂ ହାତାହାତି ପରେ ପୋଲିସକୁ ଲାଠି ମାଡ଼ କରିବାକୁ ପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ମାନବବାଦୀ ହେତୁବାଦୀ ସଂଗଠନ(ଏଚଆରଓ) ଗଞ୍ଜାମ ଜିଲା ତରଫରୁ ବ୍ରହ୍ମପୁର ସିଟି ହାଇସ୍କୁଲ ନିକଟରେ ସାମୁହିକ ଭୋଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଗ୍ରହଣ ସମୟରେ ପାକତ୍ୟାଗ ପାଇଁ ଯୋତିଷମାନେ ପରାମର୍ଶ ଦେଉଥିବା ଯୋଗୁ ଏହା ଭୁଲ୍‌‌ ଏବଂ ଅବୈଜ୍ଞାନିକ ବୋଲି ଲୋକଙ୍କୁ ସଚେତନ କରିବା ଉଦେ୍ଧଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନ୍ୟପଟେ ଏଭଳି କାର୍ଯ୍ୟକ୍ରମ ହିନ୍ଦୁ ଧର୍ମ ବିରୋଧୀ ବୋଲି କେତେକ ସଂଗଠନ ଏହାର ଘୋର ବିରୋଧ କରିଥିଲେ।

ବ୍ରାହ୍ମଣ ସମାଜ, ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ସହ ଅନ୍ୟାନ୍ୟ ସଂଗଠନର କର୍ମକର୍ତାମାନେ ଏକ ଶୋଭାଯାତ୍ରାରେ ଆସି ଆୟୋଜନ ସ୍ଥଳରେ ପହଞ୍ଚିଥିଲେ। ପ୍ରଥମେ ସେମାନେ ହେତୁବାଦୀଙ୍କ ଉପକୁ ଗୋବର ମାଡ଼ କରିଥିଲେ। ପରେ ଆୟୋଜନ ସ୍ଥଳକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଟେଣ୍ଟକୁ ଭାଙ୍ଗି ଦେବା ସହ ବିଭିନ୍ନ ସାମଗ୍ରୀକୁ ଏଣେତେଣେ ଫିଙ୍ଗି ଦେଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସକୁ ଲାଠି ମାଡ଼ କରିବାକୁ ପଡ଼ିଥିଲା।

ଏହାକୁ ନେଇ ଅନେକ ସମୟ ପର୍ଯ୍ୟନ୍ତ ସେଠାରେ ଉତ୍ତେଜନା ଲାଗି ରହିଥିଲା। ବ୍ରହ୍ମପୁର ଅତିରିକ୍ତ ଏସପି ଅସୀମ ପଣ୍ଡା, ଏସଡିପିଓ ରାଜୀବ ଲୋଚନ ପଣ୍ଡା ପହଞ୍ଚି ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରିଥିଲେ। ହେତୁବାଦୀମାନଙ୍କୁ ଥାନାକୁ ନେଇଥିଲେ। ଅନ୍ୟପଟେ ବିରୋଧ କରୁଥିବା ବିଭିନ୍ନ ସଂଗଠନର କର୍ମକର୍ତାଙ୍କୁ ମଧ୍ୟ ଘଉଡ଼ାଇଥିଲା ପୋଲିସ।

Comments are closed.