ଅହମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି । ନେତାମାନଙ୍କ ଦଳ ଡିଆଁ ପର୍ବ ସେତିକି ବଢ଼ୁଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଜେପି ଓ କଂଗ୍ରେସ ଦୁଇ ଦଶନ୍ଧି ଧରି ଏଠି ଲଢ଼େଇ କରୁଛନ୍ତି । ତେବେ ବିଜେପିକୁ ସରକାରରୁ ହଟାଇପାରୁନାହିଁ କଂଗ୍ରେସ। ପ୍ରତି ନିର୍ବାଚନ ସମୟରେ ଦୁଇ ଦଳଙ୍କ ମଧ୍ୟରେ ଲଢ଼େଇ ଜୋରଦାର ହେଉଛି । ଚଳିତ ବର୍ଷ ନିର୍ବାଚନକୁ ଆଉ ମାସେ ରହିଛି । ଏହା ପୂର୍ବରୁ କଂଗ୍ରେସ ଏବଂ ଆପରୁ ନେତାମାନେ ଇସ୍ଥଫା ଦେବା ଦେଖିବାକୁ ମିଳୁଛି ।
କଂଗ୍ରେସ ଦଳର ବରିଷ୍ଠ ନେତା ତଥା 10 ଥର ବିଧାୟକ ଜିତିଥିବା ମୋହନ ସିଂ ରଥୱା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଆଦିବାସୀ ନେତା ଭାବେ ତାଙ୍କର ଭୋଟ ବ୍ୟାଙ୍କ ରହିଛି ନିଜ ସମର୍ଥକଙ୍କ ସହ ସେ ବିଜେପିରେ ସାମିଲ ହୋଇଛନ୍ତି । ଏଥର ମଧ୍ୟ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ସେ କହିଛନ୍ତି । ଦଳରେ ଏକତା ନଥିବାରୁ କଂଗ୍ରେସ ଏଠାରେ ସରକାର ଗଠନ କରିପାରିବ ନାହିଁ ବୋଲି ସେ କହିଛନ୍ତି ।
ସେହିପରି କଂଗ୍ରେସରୁ ଆପ ଆସିଥିବା ଧନୀ ନେତା ଇନ୍ଦ୍ରାନିଲ ରାଜଗୁରୁ ଆପ୍ ଛାଡିଛନ୍ତି। ଇସୁଦାନ ଗଡଭୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରାଯିବା ପରେ ସେ ଦଳ ଛାଡିଛନ୍ତି । ପୂର୍ବତନ ବିଧାୟକ ଇନ୍ଦ୍ରାନିଲ ରାଜଗୁରୁ ଆପରେ ବଡ଼ ଚେହେରା ଥିଲେ । ତାଙ୍କୁ ଦଳରେ ସମ୍ମାନ ମିଳୁନଥିବା ଅଭିଯୋଗ ଆଣି ସେ ଦଳ ଛାଡିଛନ୍ତି ।
ଡିସେମ୍ବର 1 ଏବଂ 5ରେ ଗୁଜରାଟରେ ନିର୍ବାଚନ ହେବ । 182ଟି ବିଧାନସଭା ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଏଥର ମଧ୍ୟ ବିଜେପି ଗୁଜରାଟରେ ସରକାର ଗଠନ କରିବ ବୋଲି ବିଭିନ୍ନ ଓପିନିୟନ ପୋଲରେ କୁହାଯାଇଛି ।
Comments are closed.