ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ବେଢାବୁଲା କ୍ରମରେ ଭକ୍ତଟିଏ ଏହାପରେ ବାଇଶି ପାହାଚ ଡେଇଁ ଭିତର ବେଢାରେ ପହଞ୍ଚେ। ଅବଶ୍ୟ ତା ପୂର୍ବରୁ ରୋଷଶାଳାକୁ ରାସ୍ତା ଅଛି। କିନ୍ତୁ ସାଧାରଣ ଭକ୍ତ ପାଇଁ ଏହା ମନା। ସେହିପରି ଶ୍ରୀ ଅଗ୍ନିଶ୍ୱର ମହାଦେବଙ୍କ ମନ୍ଦିର ଓ ଭୋଗ ରାସ୍ତା ପାର ହୋଇ ଭକ୍ତ ପହଞ୍ଚେ ଶ୍ରୀ ସତ୍ୟନାରାୟଣଙ୍କ ମନ୍ଦିରରେ। ଶ୍ରୀମନ୍ଦିର ବେଢାବୁଲା ବା ଭିତର ବେଢାବୁଲା ଏହି ଜାଗାରୁ ହିଁ ଆରମ୍ଭ ହୋଇଥାଏ। ଶ୍ରୀମନ୍ଦିର ମଧ୍ୟରେ ଅନେକ ସ୍ଥାନରେ ପ୍ରଭୂ ସତ୍ୟନାରାୟଣ ପୂଜିତ ହୁଅନ୍ତି। କିନ୍ତୁ ଏହାଙ୍କୁ ମୂଖ୍ୟ ବିଗ୍ରହ ଭାବରେ ଗଣାଯାଏ। ଏହି ମନ୍ଦିରର ଐତିହାସିକ ଓ ଆଧ୍ୟାତ୍ମିକ ମାନ୍ୟତା ଅନସ୍ବୀକାର୍ଯ୍ୟ।
କୁହାଯାଏ ଓଡ଼ିଶାରେ ମୁସଲମାନ ଶାସନ ସମୟରେ ତାଙ୍କର ସତ୍ୟ (ପୀର) ଓ ହିନ୍ଦୁମାନଙ୍କ ନାରାୟଣଙ୍କୁ ମିଶାଇ ଏହି ସତ୍ୟନାରାୟଣଙ୍କ ରୁପର ପରିକଳ୍ପନା ହୋଇଛି। ଆମ ଆଧ୍ୟାତ୍ମିକ ଚିନ୍ତାଧାରାରେ ନବଜାତଟିଏ ପାଇଁ ନାରାୟଣ ଉପାସନା ଆଦିମ କାଳରୁ ଥିଲା, କିନ୍ତୁ ଷୋଡଶ ଶତାବ୍ଦୀ (ମୁସଲମାନ ଶାସନ ପ୍ରତିଷ୍ଠା )ପରେ ଓଡ଼ିଶାରେ ଉଭୟ ସମ୍ପ୍ରଦାୟ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଏହି ସତ୍ୟନାରାୟଣ ପୂଜାର ପରିକଳ୍ପନା ହୋଇଛି ବୋଲି ପ୍ରଫେସର ହରପ୍ରସାଦ ମିଶ୍ରଙ୍କ ମତ।
ମୁକ୍ତି ଚିନ୍ତାମଣି ଗ୍ରନ୍ଥ ଏହାଙ୍କୁ ସ୍ୱୟଂବିଷ୍ଣୁ(ନାରାୟଣ )ଭାବେ ବର୍ଣନା କରି ଏହାଙ୍କ ଧ୍ୟାନ “ଶୁକ୍ଲାମ୍ବରଧର ବିଷ୍ଣୁ ଶଶିବର୍ଣଂ ଚତୁଭ୍ରୁଜମ୍, ପ୍ରସନ୍ନବଦନଂ ଧ୍ୟlୟତେ ସର୍ଵବିଘ୍ନ ପଶାନ୍ତୟେ “ଅର୍ଥାତ ହେ ବିଷ୍ଣୁ (ସତ୍ୟ ନାରାୟଣ )। ତୁମ୍ଭେ ଶୁକ୍ଳ ବସ୍ତ୍ର ବିଳାସୀ, ତୁମ୍ଭେ ଶଶିପ୍ରଭ, ଚତୁର୍ଭୁଜ. ସଦା ପ୍ରସନ୍ନ ବଦନ ପ୍ରଭୂଙ୍କୁ ସମସ୍ତ ବିଘ୍ନ ବିନାଶ ପାଇଁ ଧ୍ୟାନ କରୁଛୁ । ଏହି ସତ୍ୟନାରାୟଣ ଉତ୍ତର ଦ୍ୱାର ଭିତର ବେଢା ଗୁମୁଟ ପାର୍ଶ୍ଵରେ ଏକ ମନ୍ଦିରରେ ମଧ୍ୟ ପୂଜା ପାଉଛନ୍ତି। କିନ୍ତୁ ଏହି ମନ୍ଦିରଟି ସୁନାଗୋସେଇଁଙ୍କ ମାରଫତରେ ରହିଛି, ଏଠାରେ ଶ୍ରୀଜୀଉମାନଙ୍କର ପୁଷ୍ପ ହାର ଓ ପୁଷ୍ପ ଅଳଙ୍କାର ଦୈନିକ ପ୍ରସ୍ତୁତ ହୋଇଥାଏ। ତେଣୁ କେତେକ ଗବେଷଜ ଏହି କାର୍ଯ୍ୟ ଆଲୋଚ୍ୟ ସତ୍ୟନାରାୟଣ ମନ୍ଦିରରେ ହେଉଥିବାର ମତ ସମ୍ପୂର୍ଣ ମିଥ୍ୟା ଓ ଭ୍ରମାତ୍ମକ ଅଟେ। ଏହି ମୂଖ୍ୟ ସତ୍ୟନାରାୟଣ ମନ୍ଦିରଟି ଶ୍ରୀଜଗନ୍ନାଥ ମନ୍ଦିର ସତ୍ୱଲିପି ଅନୁସାରେ ଭିତର ବେଢାରେ ପ୍ଲଟ ନମ୍ବର ୧୧୩ ରେ ଅବସ୍ଥିତ ଅଟେ। ଉତ୍ତର ଦ୍ୱାର ନିକଟରେ ଥିବା ସତ୍ୟନାରାୟଣଙ୍କ ଛଡା ପାତାଳେଶ୍ଵର ମନ୍ଦିର ସମ୍ମୁଖ୍ୟରେ ମଧ୍ୟ ସତ୍ୟନାରାୟଣ ବିରାଜିତ। ଏହା ଛଡା ଗlରଦ ଘରେ ଏକ ଠଣାରେ ପ୍ରଭୂ ସତ୍ୟନାରାୟଣ ବିରାଜମାନ ଓ ପୂଜିତ ଅଛନ୍ତି। ଆଗାମୀ ଅଧ୍ୟାୟରେ ସମ୍ପୂର୍ଣ ମନ୍ଦିର ଓ ମୂର୍ତ୍ତି ତତ୍ତ୍ୱ ଆଲୋଚନା କରିବା। ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।
ଭୂତ ଭବିଷ୍ୟ ବତ୍ତମାନ
ଯୋଗୀ ଜାଣନ୍ତି ଯୋଗ ଧ୍ୟାନେ ।
ସେ ସିଦ୍ଧି ତ୍ରିକାଳଜ୍ଞ ନାମ
ଆବର ସିଦ୍ଧି ଏବେ ଶୁଣ ।
ଶୀତ ବରଷା ଘର୍ମ ବାତ
ଯହିଁରେ ନ କରଇ ଗ୍ରସ୍ତ ।
ଯେଣେ ତ୍ରିବିଧ ତାପ ନାହିଁ
ଅଦ୍ୱନ୍ଦ୍ୱ ସିଦ୍ଧି ଏ ବୋଲାଇ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.