Latest Odisha News

‘ପ୍ରତୀକ୍ଷା’କୁ ବଡ଼ ସଫଳତା: ଆମେରିକାରେ ମିଳିଲା ଶ୍ରେଷ୍ଠ କାହାଣୀ ପୁରସ୍କାର

ଭୁବନେଶ୍ବର: ‘ପ୍ରତୀକ୍ଷା’କୁ ପୁଣି ମିଳିଛି ବଡ଼ ସଫଳତା  । ଏକାଦଶ ଡିସିଏସଏଏଫଏଫ( ଡିସି ସାଉଥ୍ ଏସିଆନ୍ ଫିଲ୍ମ ଫେଷ୍ଟିଭାଲ୍)  ସମାରୋହରେ ଏହି ଫିଲ୍ମକୁ ଶ୍ରେଷ୍ଠ କାହାଣୀ ପାଇଁ ପୁରସ୍କାର ମିଳିଛି। ପରଦାକୁ ଆସିବା ପୂର୍ବରୁ ଏହି ଫିଲ୍ମକୁ ନେଇ ଚର୍ଚା ହେବା ସହ ‘ପ୍ରତୀକ୍ଷା’କୁ ମିଳିଛି ଶ୍ରେଷ୍ଠ କାହାଣୀର ପୁରସ୍କାର। ନଭେମ୍ବର 3 ରୁ ଆରମ୍ଭ ହୋଇଥିବା ସାଉଥ୍ ଏସିଆନ୍ ଫିଲ୍ମ ଫେଷ୍ଟିଭାଲ୍ ରେ ଜୁରିମାନେ ପ୍ରଶଂସା କରିବା ସହ ଶ୍ରେଷ୍ଠ କାହାଣୀ ପୁରସ୍କାର ଭାବେ ମନୋନୀତ କରିଛନ୍ତି । ଆଗାମୀ ଡିସେମ୍ବର ୨ ତାରିଖରେ ‘ପ୍ରତୀକ୍ଷା’ ପରଦାକୁ ଆସିବାକୁ  ଯାଉଛି ।

ଆମେରିକାରେ ଆୟୋଜିତ  ‘ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍’ ପ୍ରଯୋଜିତ ତଥା ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ସଫଳତା ପାଇଁ ଏହି ଟିମ୍ ଉତ୍ସାହିତ ଅଛନ୍ତି ।  ଏହି ସିନେମାକୁ ଏକାଦଶ ଡିସିଏସଏଏଫଏଫ( ଡିସି ସାଉଥ୍ ଏସିଆନ୍ ଫିଲ୍ମ ଫେଷ୍ଟିଭାଲ୍)  ସମାରୋହରେ  ପୁରସ୍କାର ମିଳିଥିବା ଜଣାପଡିଛି ।  ବିଶିଷ୍ଟ କଥାକାର ଗୌରହରି ଦାସ ହେଉଛନ୍ତି ‘ପ୍ରତୀକ୍ଷା’ର ଲେଖକ। ଶ୍ରୀ ଦାସଙ୍କ ଏକ କ୍ଷୁଦ୍ର ଗଳ୍ପରୁ ଏହି ସିନେମାର କାହାଣୀ ଅନୁପ୍ରାଣିତ ହୋଇଛି। ‘ପ୍ରତୀକ୍ଷା’ର ସଂଳାପ ଓ ଚିତ୍ରନାଟ୍ୟ ରୋଶନ୍ ବିଶୋଇ ରଚନା କରିଛନ୍ତି।

ସେହିପରି ଗୋଆ ଚଳଚ୍ଚିତ୍ର ଉତ୍ସବ ପରି ଅନ୍ତର୍ଜାତୀୟସ୍ତରରେ  ଚଳଚ୍ଚିତ୍ର ଉତ୍ସବରେ ଦେଶର କେତୋଟି ବଛା ବଛା ଫିଚର ଫିଲ୍ମ ବର୍ଗରେ ସ୍ଥାନ ପାଇଛି  ‘ପ୍ରତୀକ୍ଷା’  ।  ସମଗ୍ର ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଗୌରବର କଥା ବୋଲି ମନେକରାଯାଉଛି। ୫୩ତମ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ।

ସମ୍ମାନଜନକ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବର (ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ) ଭାରତୀୟ ପାନୋରାମା ବିଭାଗରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’। ‘ଜୟ ଭୀମ୍’, ‘ଆରଆରଆର’ ଓ ‘କଶ୍ମୀର ଫାଇଲ୍ସ’ ଭଳି ଚର୍ଚ୍ଚିତ ଚଳଚ୍ଚିତ୍ର ସହ ‘ପ୍ରତୀକ୍ଷା’ ପ୍ରଦର୍ଶିତ ହେବା ନେଇ ‘ଇଫି ୨୦୨୨’ ପକ୍ଷରୁ ଘୋଷଣା କରାଯାଇଛି।

ଚଳିତ ଥର ଭାରତୀୟ ପାନୋରାମାରେ ମୋଟ ୨୫ଟି ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବାକୁ ଚୟନିତ ହୋଇଛି । ଏହି ୨୫ଟି ଚଳଚ୍ଚିତ୍ର ମଧ୍ୟରୁ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ରଭାବେ ‘ପ୍ରତୀକ୍ଷା’ ମନୋନୀତ ହୋଇଛି

  ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଗୀତ ରଚନା କରିଛନ୍ତି ଦୁର୍ଗାମାଧବ ପଣ୍ଡା ଓ ପ୍ରିୟରଞ୍ଜନ ସାହୁ। ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଅଛନ୍ତି। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଦୀପନ୍ୱିତ ଦାସ ମହାପାତ୍ର, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ରୋଶନ୍ ବିଶୋଇ, ଦୀପକ ଉପାଧ୍ୟାୟ, ଶ୍ରୀଲା ତ୍ରିପାଠୀ, ଅବକାଶ ମିଶ୍ର ଓ ରୂପମ୍ବିକା ନାୟକ ପ୍ରମୁଖ ଅଭିନୟ କରିଛନ୍ତି।

Comments are closed.