Latest Odisha News

BREAKING NEWS

ବିଶାଖାପାଟଣାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସୀମାନ୍ତରେ ଅଟକିଲା ଶତାଧିକ ଟ୍ରକ୍‌

ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସୀମାନ୍ତରେ ନାହିଁ ନଥିବା ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି।

ଶନିବାର ବିଶାଖାପାଟଣାରେ ଥିବା ଆନ୍ଧ୍ର ବିଶ୍ବବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଜନସଭାକୁ ସମ୍ବୋଧନ ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଏଥିରେ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌. ଜଗନମୋହନ ରେଡ଼ିଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ପ୍ରାୟ ୩ ଲକ୍ଷ ଲୋକେ ସାମିଲ ହେବେ ବୋଲି ଯୋଜନା ଥିଲା। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ପରିଚାଳନା ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା। ଆନ୍ଧ୍ରପ୍ରଦେଶର ପ୍ରବେଶ ଦ୍ବାର ଇଚ୍ଛାପୁରମ୍‌ ସହର ପାଖରୁ ହିଁ ୧୬ ନମ୍ବର ଜାତୀୟ ରାଜପଥକୁ ଏକପାଖିଆ କରିଦିଆଯାଇଥିଲା। ଯାହା ଫଳରେ ଭାରିଯାନ ଚଳାଚଳ ପ୍ରଭାବିତ ହୋଇଥିଲା। ଇଚ୍ଛାପୁର ଠାରୁ ଜାତୀୟ ରାଜପଥରେ ପ୍ରାୟ ବ୍ରହ୍ମପୁର ସହର ପର୍ଯ୍ୟନ୍ତ ଟ୍ରାଫିକ ଏକ ପ୍ରକାର ଅଟକି ଯାଇଥିଲା। ରାଜପଥର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ଯାଇଥିଲା। ଏପରିକି ବ୍ରହ୍ମପୁର ସହରର ଅନ୍ଧପସରା ରୋଡ ପର୍ଯ୍ୟନ୍ତ ଟ୍ରକଗୁଡ଼ିକ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।

ଚାଳକମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇଥିଲେ। ଆନ୍ଧ୍ରପ୍ରଦେଶ ପୋଲିସର ଏଭଳି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଟ୍ରକ ଚାଳକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟପଟେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଗୋଳନ୍ଥରା ଥାନା ପୋଲିସ ତରଫରୁ ଉଦ୍ୟମ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମ ପ୍ରାୟ ୩ଟା ପରେ ଶେଷ ହୋଇଥିଲା। ଏହା ପରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଗାଡ଼ି ଚଳାଚଳ ସ୍ବଭାବିକ ହୋଇଥିଲା।

Comments are closed.