ମୁମ୍ବାଇ: ଇଣ୍ଡୋନେସିଆ ଫେରିଲା ଓରାଙ୍ଗଉଟାନ ଶାବକ ‘ରକି’। ଆଗକୁ ନନ୍ଦନକାନନରେ ଥିବା ୫ ଶାବକ ମଧ୍ୟ ଫେରିଯିବେ। ମହାରାଷ୍ଟ୍ରରୁ ଉଦ୍ଧାର ହୋଇଥିବା ସୁମାତ୍ରାନ ଓରାଙ୍ଗଉଟାନ ଶାବକ(ରକି) ସଫଳତାର ସହ ଇଣ୍ଡୋନେସିଆକୁ ଫେରାଇ ଦିଆଯାଇଛି। ୨୦୨୪ ନଭେମ୍ବରରେ ଭାରତରୁ ଉଦ୍ଧାର ହୋଇଥିବା ବନମଣିଷ ଶାବକକୁ ଇଣ୍ଡୋନେସିଆ ପଠାଯାଇଛି । ଭାରତ ଓ ଇଣ୍ଡୋନେସିଆର ବନ୍ୟପ୍ରାଣୀ ସୁରକ୍ଷା ସଂସ୍ଥା ଏବଂ CITES କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଏହା ସମ୍ଭବ ହୋଇଛି ।
ସୋମବାର ଇଣ୍ଡୋନେସିଆର ମେଡାନସ୍ଥିତ କୁଆଲାନାମୁ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଦେଶର ଜଙ୍ଗଲ ମନ୍ତ୍ରାଳୟର ଅଧିକାରୀମାନେ ଓରାଙ୍ଗଉଟାନ ଶାବକକୁ ସ୍ୱାଗତ କରିଥିଲେ। ଏହାର ପାଳନ ଓ ଯତ୍ନ ପାଇଁ ଭାରତରେ ହୋଇଥିବା ପୂର୍ବ ଖର୍ଚ୍ଚକୁ ମଧ୍ୟ ଭାରତ ସରକାର ଛାଡ଼ କରିଛନ୍ତି। ୨୦୨୪ରେ ମହାରାଷ୍ଟ୍ରର ଡୋମ୍ବିଭଲିସ୍ଥିତ ପାଲାଭା ସିଟି ହାଉସିଂ କମ୍ପେଲକ୍ସର ଏକ ବାଥରୁମରେ ବନ୍ଦ ପିଞ୍ଜରା ଭିତରୁ ଏହି ଓରାଙ୍ଗଉଟାନ ଶାବକକୁ ଉଦ୍ଧାର କରାଯାଇଥିଲା। ଥାନେ ବନ ବିଭାଗ ଚଢ଼ାଉ କରି ଏହାକୁ ଉଦ୍ଧାର କରିଥିଲା। ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ନିର୍ଦ୍ଦେଶ ଅନୁଯାୟୀ, ୨୦୨୫ରୁ ଏହାକୁ ବନତାରାରେ ରଖାଯାଇଥିଲା। ଭାରତରେ ଉଦ୍ଧାର ହୋଇଥିବା ଏକ ବନ୍ୟପ୍ରାଣୀକୁ ତାହାର ମୂଳ ବାସସ୍ଥାନ ଥିବା ଦେଶକୁ ଫେରାଇ ଦେବା ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।
ଅନ୍ୟପଟେ ଓଡ଼ିଶାର ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆଶ୍ରୟ ନେଇଥିବା ୫ଟି ଓରାଙ୍ଗଉଟାନ ଶାବକଙ୍କୁ ମଧ୍ୟ ଇଣ୍ଡୋନେସିଆ ଫେରାଇବା ପାଇଁ ପ୍ରକ୍ରିୟା ଜାରି ରହିଛି। ସେମାନଙ୍କ ପ୍ରଜାତି ଓ ମୂଳ ବାସସ୍ଥାନ ସମ୍ପର୍କରେ ନିଶ୍ଚିତ ହେବା ପରେ ପ୍ରତ୍ୟାବର୍ତ୍ତନ ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ଇଣ୍ଡୋନେସିଆ ଜଙ୍ଗଲ ମନ୍ତ୍ରାଳୟର ବନ୍ୟଜନ୍ତୁ ବିଶେଷଜ୍ଞମାନେ ଆସନ୍ତା ନଭେମ୍ବରରେ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷଜ୍ଞ ଦଳଙ୍କ ଯାଞ୍ଚ ଓ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ନନ୍ଦନକାନନରେ ଥିବା ଓରାଙ୍ଗଉଟାନମାନଙ୍କୁ ମଧ୍ୟ ସେମାନଙ୍କ ମୂଳଦେଶକୁ ଫେରାଇ ନିଆଯିବ ବୋଲି ଆଶା କରାଯାଉଛି।

