Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାର ଶ୍ରୀ ବଟ ଗଣେଶଙ୍କ ମନ୍ଦିର ବିଷୟରେ ଜାଣିବା, ଠିକ କଳ୍ପବଟ ତଳେ ୧୨ ଫୁଟ ଉଚ୍ଚତାର ଏକ ମୂଖ୍ୟ ମନ୍ଦିର ବା ଗର୍ଭ ଗୃହ ଓ ତା ସମ୍ମୁଖରେ କ୍ଷୁଦ୍ର ଓ ମୁକ୍ତ ଜଗମୋହନକୁ ନେଇ ମନ୍ଦିରଟି ନିର୍ମିତ୍ତ ହୋଇଛି। ଗର୍ଭଗୃହଟି ସାଢେ ପାଞ୍ଚ ଫୁଟରେ ପାଞ୍ଚ ଫୁଟ ଆକାରର, ସେହିପରି ଜଗମୋହନ ଟି ୫ -୫ ଫୁଟ ଆକାରର ଅଟେ। ଏହାରି ମଧ୍ୟରେ ଇଷତ ଧବଳ ରଙ୍ଗରେ ରକ୍ତ ବର୍ଣ୍ଣ ମିଶା ଶରୀର ଧାରଣ ପୂର୍ବକ ପ୍ରାୟ ଚାରି ଫୁଟ ଉଚ୍ଚତାର ମୂର୍ତ୍ତି ବିରାଜମାନ କରିଛନ୍ତି। ଏକ ପାଦ ଜାନୁ ଉପରେ ରଖି ଶାନ୍ତ ମୁଦ୍ରାରେ ଉପବେଶନ କରିଥିବା କଳ୍ପ ଗଣେଶ ବା ବଟ ଗଣେଶଙ୍କ ଧବଳ ମୁଖଟି ସର୍ବଦା ଚନ୍ଦନ ଚର୍ଚ୍ଚିତ ହୋଇ ସୁଶୋଭିତ ହୋଇଥାଏ। ବିଗ୍ରହର ନିର୍ମାଣ ଶୈଳୀ ଅତ୍ୟନ୍ତ ପ୍ରାଚୀନ। ଏହାଙ୍କର ଚାରି ହସ୍ତ, ଦକ୍ଷିଣ ଉପର ହସ୍ତରେ ଅକ୍ଷମାଳ, ଦକ୍ଷିଣ ତଳ ହସ୍ତରେ ଭଗ୍ନ ଦନ୍ତ, ବାମ ଉପରେ ପରଶୁ ଓ ବାମ ତଳ ହସ୍ତ ରେ ଲଡ଼ୁ(ମୋଦକ )ଧାରଣ କରିଛନ୍ତି । ଏହାଙ୍କ ସମ୍ମୁଖରେ ଏକ କ୍ଷୁଦ୍ର ସ୍ତମ୍ଭ ଉପରେ କଳା ମୁଗୁନି ପ୍ରସ୍ତର ନିର୍ମିତ୍ତ ୮ ଇଞ୍ଚ ଲମ୍ବ ଓ ୪ ଇଞ୍ଚ ଉଚ୍ଚର କ୍ଷୁଦ୍ର ଅତ୍ୟନ୍ତ କମନୀୟ ଓ କାରୁକାର୍ୟ୍ଯ ପୂର୍ଣ୍ଣ ମୂଷିକ ବିରାଜିତ। ଏହି ମୂଷିକ ବାହନଙ୍କ ସ୍ଥାପତ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟ ପୂର୍ଣ୍ଣ, ଏହାଙ୍କ ଶରୀରରେ ହସ୍ତ ସଞ୍ଚlଳନ କଲେ ଏହା ଜୀବନ୍ତ ମୂଷିକର ଭ୍ରମ ସୃଷ୍ଟି କରେ, କାରଣ ଏହା ହସ୍ତକୁ କଣ୍ଟକିତ ବା ରୁବୁରୁବିଆ ଲାଗେ। ଦୀର୍ଘ ଦିନ ହେଲା ଭକ୍ତମାନଙ୍କ ହସ୍ତ ସ୍ପର୍ଶ ପାଇ ମଧ୍ୟ ଏହା ସରି ନାହିଁ ଓ ଉକ୍ତ କଣ୍ଟାକଣ୍ଟା ସ୍ପର୍ଶ ଏବେ ବି ଜୀବନ୍ତ ଲାଗେ, ଏହା ହିଁ ଉତ୍କଳୀୟ ସ୍ଥାପତ୍ୟ ର ପ୍ରକୁଷ୍ଠ ନମୁନ୍l ଅଟେ। ଶ୍ରୀମନ୍ଦିର ସତ୍ତ୍ୱଲିପିରେ ଉଲ୍ଲେଖ ପ୍ରକାରେ ଏହା ପ୍ଲଟ ନମ୍ବର ୯୫ ରେ ଅବସ୍ଥିତ। ଶ୍ରୀମନ୍ଦିରର ଖୁଣ୍ଟିଆ ସେବକମାନେ ଏହି ଗଣେଶଙ୍କ ସେବା ଅଧିକାରୀ ଅଟନ୍ତି। ସେମାନଙ୍କ ତରଫରୁ ଶ୍ରୀ ଭଗବାନ ପଣ୍ଡା ବଟ ଗଣେଷଙ୍କ ପୂଜା ନୀତି କାନ୍ତି ଦୈନିକ କରିଥାନ୍ତି। ପ୍ରତ୍ୟୁଷରୁ ଆଳତି ଓ ସ୍ନାନ ସାରି ବେଶ ହୋଇଥାଏ। ଶ୍ରୀମନ୍ଦିର କୋଠରୁ ଖଞ୍ଜା ଥିବା ବଲ୍ଳଭ ଭୋଗ ପରେ ସକାଳ ଧୂପ ହୁଏ। ଏହାପରେ ଚନ୍ଦନ ଲାଗି ହୋଇଥାନ୍ତି। ସନ୍ଧ୍ୟା ରେ ଆଳତି ପରେ, ଖଇ କୋରା, ରାଶିଲଡୁ, କଦଳୀ ଇତ୍ୟାଦି ଭୋଗ ହୋଇ ପହୁଡ଼ ନୀତି ହୁଏ। ଏହାଙ୍କ ବିଶେଷ ଉତ୍ସବ ହେଲା ଗଣେଶ ଚତୁର୍ଥୀ, ଅନେକ ଭକ୍ତ ସମାଗମ ହୁଅନ୍ତି ଏହି ଦିନ। ଏକ ବିଶେଷ ପରମ୍ପରା ବିଷୟରେ କହୁଛି ଶ୍ରୀମନ୍ଦିରର ଅନେକ ସେବକ, ବିଶେଷ କରି ବାଲିସାହି, ହରଚଣ୍ଡୀ ସାହି, ମଣିକର୍ଣ୍ଣିକା ସାହିରେ ରହୁଥିବା ସେବକ ମାନେ ଦକ୍ଷିଣ ଦ୍ୱାର ଦେଇ ଭିତରକୁ ଆସିଥାନ୍ତି। ଭିତର ବେଢା ରେ ପହଞ୍ଚି ଡାହାଣ ପାର୍ଶ୍ଵରେ ଥିବା ପାଣି କୁଣ୍ଡରେ ପାଦ ଧୋଇ, ବଟ ଗଣେଶଙ୍କୁ ପ୍ରଣାମ କରି, ତାଙ୍କର ସେବା କାର୍ଯ୍ୟରେ ଯୋଗଦାନ ଏକ ନିତିଦିନିଆ ପରମ୍ପରା ଅଟେ। ଆମେ ମଧ୍ୟ କରିବା ଆରାଧନା ଓ ଭାଗବତ ପଠନ କାରଣ ଏହି ଗଣେଶ ଙ୍କ ସମ୍ମୁଖରେ କବି ଜଗନ୍ନାଥ ଦାସଙ୍କ ପିତା ଶ୍ରୀ ଭଗବାନ ଦାସ ସର୍ବଦା ପୁରାଣ ପାଠ କରୁଥିବାର ପ୍ରମାଣ ଅଛି। ଗଜପତି ପୁରୁଷୋତ୍ତମ ଦେବ ତାଙ୍କୁ “ପୁରାଣ ପଣ୍ଡା “ଉପାଧି ମଧ୍ୟ ଦେଇଥିଲେ। ସେହିପରି ତାଙ୍କ ସୁପୁତ୍ର ଅତିବଡ଼ି ଜଗନ୍ନାଥ ଦାସ ମଧ୍ୟ ଏହି ସ୍ଥାନରେ କଲେ ଭାଗବତ ପାଠ ।

ଅନେକ ଜନ୍ମ ତପ ଫଳେ
ମନୁଷ୍ୟ ଜନ୍ମ ମହୀ ତଳେ ।
ଯାହାର ଦିବ୍ୟ ଜ୍ଞାନ ସ୍ପୁରେ
ମୋର ମହିମା ସେ ସୁମରେ ।
ମନ ନିବେଶି ମୋ ପୟରେ
ବିଷୟ ସୁଖ ନ ବିଚାରେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.