Latest Odisha News

ବୀମା ଟଙ୍କାକୁ ନେଇ ଧର୍ମେନ୍ଦ୍ରଙ୍କ ଯୁକ୍ତିର କୌଣସି ଆଧାର ନାହିଁ: ସସ୍ମିତ ପାତ୍ର

ଭୁବନେଶ୍ୱର: କେନ୍ଦ୍ରକୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚାଷୀଙ୍କୁ ବୀମା ଟଙ୍କା ଦେବାକୁ ବୀମ କମ୍ପାନୀ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ଏହାକୁ ନେଇ ତେଜିଛି ରାଜନୀତି। ବିଜେଡି କହିଛି କେନ୍ଦ୍ର ବୀମା ଟଙ୍କା ଅଟକାଇ ରଖିଥିଲା। ହେଲେ ରାଜ୍ୟ ବିଜେପି କହିଛି ରାଜ୍ୟ ସରକାରଙ୍କ ବ୍ୟବସ୍ଥାରେ ଥିବା ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ପାଇଁ ଏଥିପାଇଁ ଦାୟୀ। ଆଜି ଏ ନେଇ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ମଧ୍ୟ ଭେଟିଛନ୍ତି। ଏହାପରେ ବିଜେଡି ସାଂସଦ ସସ୍ମିତ ପାତ୍ର ଜବାବ ରଖିଛନ୍ତି। ଏବେ କାହିଁକି ହଠାତ୍ ବୀମା ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ରମନ୍ତ୍ରୀ ପୂର୍ବରୁ କାହିଁକି ନୁହେଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିବା ବେଳେ ଧର୍ମେନ୍ଦ୍ର କହିଛନ୍ତି, ତୋମାରଙ୍କ ସହ ଓଡ଼ିଶା ସମେତ ବରଗଡ଼ ଜିଲ୍ଲା ଓ ପଦ୍ମପୁର ଅଞ୍ଚଳର ଚାଷୀଙ୍କ ବୀମାରାଶି ଏବଂ ରାଜ୍ୟ ସରକାର ଓ ବୀମା କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଥିବା ତ୍ରୁଟିପୂର୍ଣ୍ଣ ଅମଳ ପରୀକ୍ଷା ଓ ଫସଲ ବୀମାରାଶି ତଥା ହିତାଧିକାରୀଙ୍କ ତଥ୍ୟ ବିଷୟରେ ଦୃଷ୍ଟି ଆକର୍ଷଣ କଲି।

ସସ୍ମିତ ପାତ୍ର କହିଛନ୍ତି, ଚାଷୀଙ୍କୁ ବୀମା ଟଙ୍କା ମିଳିବା ନେଇ ମୁଖ୍ୟମନ୍ତ୍ରୀ ଅନେକ ଥର ପ୍ରଚେଷ୍ଟା କରିଛନ୍ତି । ବାରମ୍ବାର ଫସଲ ବୀମା ଯୋଜନା ପାଇଁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଧ୍ୟ ଚେଷ୍ଟା କରିଛନ୍ତି । କିନ୍ତୁ କେନ୍ଦ୍ର ସରକାର ଫସଲ ବୀମା ଯୋଜନା ଟଙ୍କା ଅଟକାଇ ରଖିଥିଲେ ବୋଲି ସସ୍ମିତ ପାତ୍ର କହିଛନ୍ତି। ହେଲେ ଚାଷୀ ଯେଉଁଭଳି ବୀମା ଟଙ୍କାକୁ ନେଇ ଅଡିବସିଲେ ଏହାକୁ ଦେଖି ବରଗଡ଼ ଚାଷୀଙ୍କୁ ବୀମା ଟଙ୍କା ଦେବା ପାଇଁ ନିଷ୍ପତି ନେଇଛି କେନ୍ଦ୍ର ସରକାର।

ବିଜେଡି କେବେ ଚାଷୀ ଓ ଚାଷୀଙ୍କୁ ନେଇ ରାଜନୀତି କରେନାହିଁ। ବିଜେପି ବିଭିନ୍ନ ସମୟରେ ଚାଷୀଙ୍କ ହକକୁ ଅଟକାଇ ଥାଏ। ପୂର୍ବରୁ ୨୦୧୯ ବେଳେ କାଳିଆ ଯୋଜନାକୁ ଅଟକାଇବା ପାଇଁ ବିଜେପି ପ୍ରୟାସ କରିଥିବା ବିଜେଡି କହିଛି।

ସସ୍ମିତ ପାତ୍ର ସ୍ପଷ୍ଟ କରିଛନ୍ତି, ଚାଷୀଙ୍କୁ ଯେଉଁ ବୀମା ଟଙ୍କା ମିଳୁଛି ତାର ନାମ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା । କେନ୍ଦ୍ର ସରକାର ନିଜ ତହବିଲରୁ ଏହି ଟଙ୍କା ଚାଷୀଙ୍କୁ ଦିଅନ୍ତି। ଏଥିରେ ରାଜ୍ୟର କୌଣସି ଭୂମିକା ନାହିଁ। କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଚିଠି ଲେଖିଛନ୍ତି ସେଥିରେ କୌଣସି ଭିତ୍ତି ନାହିଁ । ଚିଠିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏଚଡିଏଫସି କମ୍ପାନୀ ଘଫଲତି କରୁଛି । କିନ୍ତୁ ପ୍ରଶ୍ନ ଉଠୁଛି ଏହି ବ୍ୟାଙ୍କ ତଥା ବୀମା କମ୍ପାନକୁ କିଏ ଦାଇତ୍ୱ ଦେଲା ବୋଲି ସସ୍ମିତ ପାତ୍ର ପ୍ରଶ୍ନ କରିଛନ୍ତି। ଏହି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଏଚଡିଏଫସି ବ୍ୟାଙ୍କକୁ କେନ୍ଦ୍ର ସରକାର ସାମିଲ କରିଛନ୍ତି।  ଏହି ଏଚଡିଏଫସି ବ୍ୟାଙ୍କ ବିଭିନ୍ନ ବିଜେପି ଶାସିତ ରାଜ୍ୟରେ ମଧ୍ୟ ଚାଷୀଙ୍କୁ ବୀମା ଟଙ୍କା ଦେଉଛି। ତେଣୁ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଘଫଲତି କଥା କହୁଛନ୍ତି ସେ ନେଇ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବିଜେଡି ସାଂସଦ ଦାବି କରିଛନ୍ତି।

Comments are closed.