Latest Odisha News

ରାଜ୍ୟରେ ଶିକ୍ଷାରେ ପରିବର୍ତ୍ତନ ସ୍ୱପ୍ନ ହୋଇ ନୁହେଁ ବରଂ ବାସ୍ତବରୂପ ନେଇସାରିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଉ ସ୍ୱପ୍ନ ନୁହେଁ । ବରଂ ଏହା ଏବେ ରାଜ୍ୟରେ ବାସ୍ତବ ରୂପ ନେଇସାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଏହା କହିଛନ୍ତି। ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଉଦବୋଧନ ଦେଇ ନବୀନ ପଟ୍ଟନାୟକ କହିଛନ୍ତି, ସ୍କୁଲ୍ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ପରିବର୍ତ୍ତନମୂଳକ ପଦକ୍ଷେପ ବଳିଷ୍ଠ ଫଳ ପ୍ରଦାନ କରିଛି।

ଆଜି ଓଡିଶାର ସରକାରୀ ବିଦ୍ୟାଳୟ ଗୁଡିକ ସାରା ଦେଶରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅନ୍ୟତମ ଶ୍ରେଷ୍ଠ ବିଦ୍ୟାଳୟ ମଧ୍ୟରେ ରହିଛି।

“5ଟି ନୀତିରେ ପରିଚାଳିତ ଆମ ସ୍କୁଲର ପରିବର୍ତ୍ତନ ପଦକ୍ଷେପ ଓଡ଼ିଶାର ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଆଶା ଆକାଂକ୍ଷାକୁ ଉନ୍ମୁକ୍ତ କରିବା ସହ ନୂଆ ଦିଗନ୍ତର ଦ୍ୱାର ଖୋଲିଛି” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଓଡ଼ିଶାରେ ସ୍କୁଲଗୁଡ଼ିକରେ ସ୍ମାର୍ଟ କ୍ଲାସରୁମ, ଉନ୍ନତ ଇ-ଲାଇବ୍ରେରୀ, ଅତ୍ୟାଧୁନିକ ଲାବୋରେଟୋରୀ, ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ଏବଂ ଶିଶୁ ଉପଯୋଗୀ କ୍ୟାମ୍ପସ ରହିଛି ବୋଲି ସେ କହିଥିଲେ।

ଏହା ଫଳରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ନାମଲେଖା ବୃଦ୍ଧି ପାଇଛି ବୋଲି ସେ କହିଥିଲେ।

ନବୀନ ପଟ୍ଟନାୟକ କହିଥିଲେ ଯେ ତାଙ୍କ ସରକାରର ‘ମୋ ସ୍କୁଲ’ ଏବଂ ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ର ପଦକ୍ଷେପ ସ୍କୁଲ ଶିକ୍ଷା କ୍ଷେତ୍ରରେ ଏକ ଦୃଶ୍ୟମାନ ପରିବର୍ତ୍ତନ ଆଣିଛି ଏବଂ ଜାତୀୟ ମଞ୍ଚରେ ଏହା ଖ୍ୟାତି ଆଣିଛି।

ଜାତୀୟସ୍ତରର ସ୍କୁଲ ମାନଙ୍କ ରାଙ୍କିଙ୍ଗ୍ ସର୍ଭେରେ ରାଜ୍ୟ ସରକାରୀ ବିଦ୍ୟାଳୟ ଗୁଡିକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱର ସର୍ବବୃହତ ପୁରାତନ ଛାତ୍ରଛାତ୍ରୀ ସଂଯୋଗୀକରଣ କାର୍ଯ୍ୟକ୍ରମ ମଧ୍ୟରୁ ଓଡ଼ିଶାର 50 ହଜାରରୁ ଅଧିକ ସରକାରୀ ବିଦ୍ୟାଳୟରେ 30 ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଓ ଗୋଷ୍ଠୀ ସଦସ୍ୟଙ୍କ ସହାୟତାରେ ସଂସ୍କାର କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଶିକ୍ଷା ବ୍ୟବସ୍ଥାକୁ ଉଚ୍ଚାଭିଳାଷୀ କରିବା ପାଇଁ ସରକାର 125 କୋଟି ଟଙ୍କାରୁ ଅଧିକ ମୂଲ୍ୟର ‘ସିଏମ ଆଓ୍ୱାର୍ଡ ଫର୍ ଏଜୁକେସନ’ ଯୋଜନା ଆରମ୍ଭ କରିଛନ୍ତି।

Comments are closed.