Latest Odisha News

ଏସଟିଏଫର ରେଡ୍, ଜବତ ହେଲା ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର

କଟକ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ହ୍ରଦ ନିକଟରେ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଚଢ଼ାଉ କରି ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ରବିବାର ଏସଟିଏଫର ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଏସଟିଏଫର ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ କଟକ ଜିଲ୍ଲା ପୁଲିସର ସହାୟତା ପରେ ଚଢ଼ାଉ ବେଳେ ଦୁଇ ନିଶା ବେପାରୀ ଜୁମେଶ କୁମାର ସାହୁ ଓ ହେମନ୍ତ କୁମାର ପ୍ରଧାନଙ୍କୁ ଗିରଫ କରାଯାଇଛି। ଏନଡିପିଏସ୍ ଆକ୍ଟ ୧୯୮୫ର ଧାରା ୨୧(ଗ)/୨୯ରେ ମାମଲା ରୁଜୁ ହୋଇଥିବା ଉଭୟ ଅଭିଯୁକ୍ତଙ୍କ ନିକଟରୁ ୧ କେଜି ୩୩୫ ଗ୍ରାମ୍ (୧୩୩୫ ଗ୍ରାମ୍)ରୁ ଅଧିକ ଓଜନର ବ୍ରାଉନ୍ ସୁଗାର, ଗୋଟିଏ କାର୍ ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।

ସୂଚନାଯୋଗ୍ୟ, ନିକଟରେ ଏସଟିଏଫ ଜଣେ କୁଖ୍ୟାତ ନିଶା ବେପାରୀକୁ କାବୁ କରିବା ସହ ୨ କୋଟି ଟଙ୍କାର ୨.୨ କେଜି ବ୍ରାଉନସୁଗାର ଜବତ କରିଥିଲା। ଖୋର୍ଦ୍ଧା ଜଟଣୀ ବାଇପାସ ନିକଟରୁ ଗିରଫ ହୋଇଥିବା ବେପାରୀ ହେଲେ ରାକେଶ ସାମନ୍ତରାୟ ଓରଫ ରାକା। ଏସଟିଏଫର ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ରାଜ୍ୟରେ ନିଶାଦ୍ରବ୍ୟ ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। ୨୦୨୦ ମସିହାରୁ ଏସଟିଏଫ୍ ପୃଥକ ପୃଥକ ଘଟଣାରେ ୬୫ କେଜିରୁ ଅଧିକ ବ୍ରାଉନସୁଗାର/ହିରୋଇନ୍ ଜବତ କରିଛି । ସେହିପରି ୨୦୨ ଗ୍ରାମ୍ କୋକେନ୍ ଓ ୧୧୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ, ଅଫିମ ୭୫୦ ଗ୍ରାମ୍ ଜବତ ହୋଇଛି। ଏହି ବେଆଇନ କାରବାରରେ ବର୍ତ୍ତମାନ ସୁଦ୍ଧା ୧୬୫ରୁ ଅଧିକ ନିଶା ବେପାରୀଙ୍କୁ ଗିରଫ କରାଯାଇଛି।

Comments are closed.