Latest Odisha News

BREAKING NEWS

ରାସ୍ତା ଚିକ୍କଣ ହେଉଛି କିନ୍ତୁ ଓ୍ୱାର୍ଡରେ ମଶା ଭର୍ତ୍ତି, ବିଏମସି ଆଗରେ ବିଜେପିର ଅଭିନବ ପ୍ରତିବାଦ

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ମଶାଙ୍କ ଉପଦ୍ରବକୁ ବିରୋଧ କରି ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ ଅଫିସ ସମ୍ମୁଖରେ ଏକ ଅଭିନବ ପ୍ରତିବାଦ କରିଛି ଭାରତୀୟ ଜନତା ପାର୍ଟି। ବିଏମସିର ଫାଟକ ଆଗରେ ମଶାରି ବାନ୍ଧି ଭିତରେ ବସି ରାଜଧାନୀବାସୀଙ୍କ ସହ ପ୍ରତିଦିନ ଲଢ଼ୁଥିବା ମଶାଙ୍କ ଉପଦ୍ରବକୁ ବିରୋଧ କରିଛି ବିରୋଧୀ ବିଜେପି।

ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି, ଭୁବନେଶ୍ୱରବାସୀଙ୍କୁ ମୌଳିକ ସେବା ଯୋଗାଇ ଦେବା ପାଇଁ ବିଏମସି ସମସ୍ତ ପ୍ରକାର ଟିକସ ଆଦାୟ କରୁଛି। ମଶାଙ୍କ ଉପଦ୍ରବ ଏପରି ଯେ ରାତିକୁ ଭୁଲିଯାଏ, ମଶାମାନେ ଦିନରେ ମଧ୍ୟ କାମୁଡ଼ିଥାନ୍ତି। ମଶା ତେଲ ସିଞ୍ଚନ ପାଇଁ ଡ୍ରୋନ୍ ମୁତୟନ ନେଇ କମିସନର କହିଥିଲେ. ହେଲେ କାହିଁକି ଏତେ ଦୂରକୁ ଚାଲିଗଲା ପରିସ୍ଥିତି? ଏହି ଡ୍ରୋନ୍ ନିୟୋଜନ କେବଳ ସେମାନଙ୍କ ପକେଟରେ କିଛି ଟଙ୍କା ପାଇବାର ଆଉ ଏକ ଚାଲ ବୋଲି ସେ ଅଭିଯୋଗ କରିଛନ୍ତି।

ଖୋର୍ଦ୍ଧା ବିଜେପି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି,ଭୁବନେଶ୍ୱରବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ବିଏମସି ବହୁ ଦୂରରେ। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ପାର୍କିଂ ସ୍ଥାନ, ଇଭେଣ୍ଟ ପାଇଁ ଟେଣ୍ଡର ଜାରି କରିବା ଇତ୍ୟାଦିରୁ ଅର୍ଥ ଉପାର୍ଜନ କରିବା। ଆମେ ନିଗମକୁ ଚେତାବନୀ ଦେବାକୁ ଚାହୁଁଛୁ, ଆମେ ଏହି ପ୍ରତିବାଦକୁ ମଧ୍ୟ ରାସ୍ତାକୁ ନେଇଯିବୁ। ସେହିପରି ହକି ପାଇଁ ରାସ୍ତା ଘାଟ ଚିକ୍କଣ କରୁଛି ପ୍ରଶାସନ କିନ୍ତୁ ଓ୍ୱାର୍ଡ ବାସୀଙ୍କ ସମସ୍ୟା ବିଏମସିକୁ ଦେଖାଯାଉନି ବୋଲି ସେ କହିଛନ୍ତ।

ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେ ପୂର୍ବରୁ ସୂଚନା ଦେଇଥିଲେ ଯେ, ସହରର ଯେଉଁ ଦୁର୍ଗମ ଅଞ୍ଚଳରେ ଗାଡ଼ି ପହଞ୍ଚିପାରିବ ନାହିଁ, ସେଠାରେ ମଶା ମାରିବାକୁ ଡ୍ରୋନ୍ ମାଧ୍ୟମରେ ରାସାୟନିକ ସ୍ପ୍ରେ କରାଯିବ। ଏହାବ୍ୟତୀତ ସହରରେ ସଫେଇ କାମରେ ନିୟୋଜିତ ଗାଡ଼ି ସଂଖ୍ଯା ବଢ଼ାଇବାକୁ ପୌରସଂସ୍ଥା ଯୋଜନା କରିଛି।

Comments are closed.