Latest Odisha News

BREAKING NEWS

ରାଜ୍ୟରେ ରୋଗୀ ଦେଖିବାକୁ ମାତ୍ର ୫୧ ପ୍ରତିଶତ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଅଛି!

ଭୁବନେଶ୍ୱର: ଓଡ଼ିଶାରେ ରୋଗୀ ଦେଖିବାକୁ ମାତ୍ର ୫୧ ପ୍ରତିଶତ ଡାକ୍ତରଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ରହିଛି । ବିଶ୍ୱବ୍ୟାଙ୍କର ଏକ ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି । ଆଉ ବାକି ଡାକ୍ତରଙ୍କର ଆବଶ୍ୟକ ଯୋଗ୍ୟତା ନାହିଁ । ଏ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ଗୁରୁବାର ଓଡିଶାର ଡାକ୍ତରମାନଙ୍କ ଯୋଗ୍ୟତା ଜାଣିବା ପାଇଁ ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ନକଲି ଡାକ୍ତରଙ୍କୁ ନେଇ ଚାଲିଥିବା ଏକ ମାମଲାର ଶୁଣାଣି କରି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ବିଶ୍ୱବ୍ୟାଙ୍କର ତଥ୍ୟରେ ଅସନ୍ତୁଷ୍ଟ ହୋଇ କୋର୍ଟ ଓଡ଼ିଶା ସରକାରଙ୍କୁ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ କେଉଁ ଆଧାରରେ ତଦନ୍ତ କରାଯିବ ସେ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କାମ ଶେଷ କରିବାର ସମୟ ସୀମା ମଧ୍ୟ କୋର୍ଟଙ୍କୁ ଜଣାଇ ଦିଆଯିବା ଉଚିତ। ଏହାବ୍ୟତୀତ ଆବଶ୍ୟକ ଯୋଗ୍ୟତା ନଥିବା ଡାକ୍ତରଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ରାଜ୍ୟ ସରକାର କୋର୍ଟଙ୍କୁ ଅବଗତ କରାଇବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୩ ଜାନୁଆରି ୨୭ରେ ହେବ।

ପୂର୍ବରୁ ଓଡ଼ିଶା ହାଇକୋର୍ଟ ରାଜ୍ୟରେ ଥିବା ସରକାରୀ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ମୌଳିକ ସୁବିଧା ନଥିବା ନେଇ ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ସମସ୍ୟାର ସମାଧାନ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ସୁବିଧା ସମ୍ପର୍କରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟର ଅନୁଧ୍ୟାନ କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

Comments are closed.