Latest Odisha News

ଆଗାମୀ ୪୦ ଦିନ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ, ପଢ଼ନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ: ଚୀନରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ସତର୍କ ହୋଇଛନ୍ତି କେନ୍ଦ୍ର ସରକାର। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆକଳନ କରିଛି ଯେ ଭାରତରେ ଯଦି ଚୀନ୍ ପରି କରୋନା ଲହର ଆସେ ତାହେଲେ ସଂକ୍ରମିତଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇବ। କିନ୍ତୁ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା କମ୍ ରହିବ।

ମନ୍ତ୍ରଣାଳୟ ଆକଳନ କରିଛି ଯେ ଏହି ଲହରରେ ମୃତକଙ୍କ ସଂଖ୍ୟା ଅଧିକ ହେବ ନାହିଁ। ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୂତାଣୁର ଟ୍ରେଣ୍ଡ ଏବଂ ଟ୍ରେଣ୍ଡକୁ ଦେଖିଲେ ଅନୁମାନ କରାଯାଏ ଯେ ପୂର୍ବ ଏସିଆରେ ଲହର ପରେ ୩୫ ରୁ ୪୦ ଦିନ ମଧ୍ୟରେ ଏହି ଭୂତାଣୁ ଭାରତରେ ପହଞ୍ଚିବ।

ତେଣୁ ଏହି ପରିପ୍ରେକ୍ଷୀରେ, ଜାନୁଆରୀ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦେଶର ୨୦ ହଜାର ଡାକ୍ତରଖାନାରେ ମକ୍ ଡ୍ରିଲ୍ କରାଯାଇଥିଲା। ମକ୍ ଡ୍ରିଲରେ ପ୍ରକାଶିତ ଆକଳନରୁ ଜଣାପଡିଛି ଯେ ଭାରତରେ ଡେଲଟା ଭେରିଆଣ୍ଟ ପରି ଲହର ଆସିଲେ ମଧ୍ୟ ଏହାର ମୁକାବିଲା ପାଇଁ ପର୍ଯ୍ୟାପ୍ତ ପ୍ରସ୍ତୁତି ଚାଲିଛି। ଏଥିମଧ୍ୟରେ ଡାକ୍ତରଖାନାରେ ବେଡ୍, ଅକ୍ସିଜେନ, ଭେଣ୍ଟିଲେଟର ଏବଂ ଔଷଧ ଭଳି ଜିନିଷ ଅନ୍ତର୍ଭୁକ୍ତ ରହିଛି।

ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ, ପରିସ୍ଥିତିକୁ ଦୃଷ୍ଟିରେ ରଖି ଖୁବ ଶୀଘ୍ର ଚୀନ୍ ସମେତ ଅନ୍ୟାନ୍ୟ ଦେଶରୁ ଆସୁଥିବା ବିମାନ ଯାତ୍ରୀମାନଙ୍କ ପାଇଁ କରୋନା ପରୀକ୍ଷା ବାଧ୍ୟତାମୂଳକ କରାଯିବା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଲାଗୁ କରିବାର ସମ୍ଭାବନା ରହିଛି।

ଚୀନ୍ ବ୍ୟତୀତ ସିଙ୍ଗାପୁର, ଜାପାନ, ଥାଇଲ୍ୟାଣ୍ଡ, ଦକ୍ଷିଣ କୋରିଆ ଏବଂ ହଂକଂରେ କରୋନା ଗ୍ରାଫ ଉପରମୁହାଁ ରହିଛି। ସୂତ୍ରରୁ ପ୍ରକାଶ ଯେ ଡିସେମ୍ବର ୨୬ ଏବଂ ୨୭ ରେ ଦେଶର ବିଭିନ୍ନ ବିମାନ ବନ୍ଦରରେ ୬୦୦୦ ଯାତ୍ରୀଙ୍କୁ କରୋନା ପରୀକ୍ଷା କରାଯାଇଥିଲା, ଯେଉଁଥିରେ ୩୯ ଜଣ ଯାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ କରୋନାର BF.୭  ଭାରିଆଣ୍ଟ ଯେଉଁମାନଙ୍କ ନିକଟରେ ଚିହ୍ନଟ ହେଉଛି ସେମାନଙ୍କ ଉପରେ ଟିକାର ପ୍ରଭାବ କେତେ ରହୁଛି ଅନୁଧ୍ଯାନ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଏଥର ସରକାର କୌଣସି ପ୍ରତିବନ୍ଧକ ଲଗାଇବାକୁ ଉଦ୍ଦେଶ୍ୟ ରଖି ନାହାନ୍ତି। ମାସ୍କ ଏବଂ ଅନ୍ୟାନ୍ୟ ନିୟମ ମାନିବାକୁ ସରକାର ବିଚାର କରୁଛନ୍ତି। ଏବେ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଭାରତର ଅଭିବୃଦ୍ଧି ହାର ୭% ରହିଛି। ତେଣୁ ପ୍ରତିବନ୍ଧକ ଲଗାଇଲେ ଭାରତର ଅର୍ଥନୀତି ଉପରେ ପ୍ରଭାବ ପଡ଼ିପାରେ।

 

 

Comments are closed.