Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା କରୁ କରୁ ଆମେ ଆସି ପହଞ୍ଚି ଯାଇଛେ ଏକ ସ୍ୱତନ୍ତ୍ର ମନ୍ଦିରରେ ଯାହା କି ମୂଖ୍ୟ ମନ୍ଦିର ପରି ଅତ୍ୟନ୍ତ ମହୀୟାନ। ଏଭଳି କୌଣସି ଭକ୍ତ ବା ଶ୍ରଦ୍ଧାଳୁ ନାହାନ୍ତି ଯେକି ଏହି ମନ୍ଦିରରେ ପାଦ ନପକାଇ ଅବା ମୁହୂର୍ତ୍ତଟିଏ ନବସି, ତାର ବେଢାବୁଲା ସମ୍ପୂର୍ଣ୍ଣ କରିଦେବ। ବୋଧହୁଏ ଆପଣମାନେ ଅନୁମାନ କରି ସାରିବେଣି ମୁଁ ଆଜି ନେଉଛି ମା ଲଷ୍ମୀଙ୍କ ମନ୍ଦିରକୁ। ଶ୍ରୀମନ୍ଦିର ମଧ୍ୟରେ ମୂଖ୍ୟ ମନ୍ଦିର ପରେ ବିଶେଷ ଭାବରେ ଆଦୃତ ଲାଭ କରିଥାଏ ଶ୍ରୀ ଲଷ୍ମୀ ଠାକୁରାଣୀଙ୍କ ମନ୍ଦିର। ଭକ୍ତଙ୍କ ସମାବେଶ ହେଉ ଅବା ଶ୍ରୀଜଗନ୍ନାଥଙ୍କ ସହଧର୍ମିଣୀ, ଶ୍ରୀମନ୍ଦିରର କର୍ତ୍ତୀ ରୂପେ ହେଉ ମା ଲଷ୍ମୀ ଠାକୁରାଣୀଙ୍କ ସ୍ଥାନ ଅନ୍ୟତମ ଅଟେ।ଋଗ ବେଦରେ ଐଶ୍ୱର୍ଯ୍ୟର ଦେବୀ କହିଲେ “ଶ୍ରୀ “ଙ୍କୁ ବୁଝାଏ।  ଏଠାରେ ମଧ୍ୟ ଶ୍ରୀ ଜଗନ୍ନାଥ ମନ୍ଦିର ଅପେକ୍ଷା ଶ୍ରାଦ୍ଧଳୁଟିଏ ଅତି ଆନନ୍ଦରେ ଉଚ୍ଚାରଣ କରେ ଶ୍ରୀ ମନ୍ଦିର ବୋଲି। କାରଣ ବିଶ୍ୱପାଳକ ଶ୍ରୀ ବିଷ୍ଣୁ (ଜଗନ୍ନାଥ )ଙ୍କ ପାଳନାତ୍ମିକା ମହାଶକ୍ତି ହେଲେ ଏହି ଲଷ୍ମୀଠାକୁରାଣୀ। ସମଗ୍ର ବ୍ରହ୍ମାଣ୍ଡା  ଜଗତର ଦେବତା ଯଦି ଶ୍ରୀଜଗନ୍ନାଥ, ତେବେ ସମଗ୍ର ଜଗତର ଅବା ବିଶ୍ୱ ବ୍ରହ୍ମାଣ୍ଡର ଧନ ଓ ଐଶ୍ଵର୍ଯ୍ୟର ମାହାଦେବୀ ମା ଲଷ୍ମୀ ହିଁ ଅଟନ୍ତି। ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଭିତର ବେଢାର ପ୍ଲଟ ନମ୍ବର  ୫୫ ରେ ମାଙ୍କ ସ୍ୱତନ୍ତ୍ର ଓ ଭବ୍ୟ ମନ୍ଦିର ଅବସ୍ଥିତ । ଗବେଷକଙ୍କ ମତରେ ତଥା ମାଦଳା ପାଞ୍ଜି ଆଧାରରେ ଜଣାଯାଏ ପ୍ରଥମେ କେଶରୀ ବଂଶର ରାଜା ଯଯାତି କେଶରୀ ଓ ପରେ ଗଙ୍ଗ ବଂଶର ରାଜା ଅନଙ୍ଗଭୀମ ଦେବ ଏହାର ନିର୍ମାଣ କରାଇଥିଲେ। ଐତିହାସିକ ରାଖାଲ ଦାସ ବାନାର୍ଜୀଙ୍କ ଇଂରାଜୀ ଭାଷାରେ ଲିଖିତ ପୁସ୍ତକ “History of Orissa vol -1″ରେ ଉଲ୍ଲେଖ ଅଛି ଲଷ୍ମୀଙ୍କ ମନ୍ଦିର ରାଜା ଅନଙ୍ଗଭୀମ ଦେବଙ୍କ ରାଜ୍ୱତ କାଳରେ ହିଁ ନିର୍ମିତ୍ତ ହୋଇଥିଲା।  ଏହି କଥାକୁ ଗ୍ରହଣ ନକରି କେତେକ ଗବେଷକଙ୍କ ମତ ମହାରାଜ ଚୋଡ଼ଗଙ୍ଗ ଦେବ ଏହି ମନ୍ଦିର ନିର୍ମାଣ କରିଥିଲେ ବୋଲି ପ୍ରାବନ୍ଧିକ ବନ୍ଧୁ ପାଢ଼ୀ ଏହି ଭବ୍ୟ ମନ୍ଦିର ଶ୍ରୀମନ୍ଦିରର ଉତ୍ତର ପଶ୍ଚିମ କୋଣ ଖ୍ରୀଷ୍ଟିୟ ତ୍ରୟୋଦଶ ଶତାବ୍ଦୀରୁ ବିରାଜମାନ କରିଥିବାର ପ୍ରମାଣ ଦିଅନ୍ତି । ଆଗକୁ ଏହି ଐତିହାସିକ ତଥ୍ୟଗୁଡ଼ିକ  ହୁରି ପ୍ରାଞ୍ଜଳ ଭାବରେ ତର୍ଜମା କରିବା। ଏବେ ଜଗତ ପାଳନ କାରିଣୀ ମା ଲଷ୍ମୀ ଠାକୁରାଣୀଙ୍କୁ କରିବା ଆରାଧନା ତାଙ୍କ ଧ୍ୟାନ ମନ୍ତ୍ରରେ

“ସରସିଜ ନିଳୟେ ସରୋଜ ହସ୍ତେ

ଧବଳ ତରାଂଶୁଳଗନ୍ଧମାଲ୍ୟ ଶୋଭେ

ଭଗବତୀ ହରିବଲ୍ଲଭେ ମନୋଜ୍ଞ

ତ୍ରିଭୁବନ ଭୂତିକରି ପ୍ରସୀଦ ମହ୍ୟମ୍ “

ଅର୍ଥାତ ହେ ମହାଲକ୍ଷ୍ମୀ ! ତୁମେ ପଦ୍ମ ନିଳୟର ବିଳାସିନୀ, ତୁମେ ହସ୍ତରେ ପଦ୍ମ କଳିକା ନିତ୍ୟ ବିରାଜମାନ କରିଥାଏ। ତୁମେ ଶୁକ୍ଳ ବସ୍ତ୍ର ପରିଧାନ କରିଛ। ତୁମେ ଗନ୍ଧ ମାଲ୍ୟ ରେ ବିଭୂଷିତା ଅଟନ୍ତି , ତୁମେ ଶ୍ରୀହରିଙ୍କ ପ୍ରିୟ (ବଲ୍ଳଭା)ବି ଅଟନ୍ତି। ତୁମେ ମନୋଜ୍ଞା, ତୁମେ ତିନି ଭୁବନର ଐଶ୍ଵର୍ୟ୍ଯଦାୟିନୀ,  ହେ ପାଳନକାରିଣୀ ଆମକୁ ପ୍ରସନ୍ନ ହୁଅନ୍ତୁ। ଜୟ ମା ଲଷ୍ମୀ

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.